ପୂର୍ବପଟ ମୁଖ୍ୟ ବିମ୍‌ରେ ଫାଟ: ୩୭ଟି ସ୍ଥାନର ସ୍କାନିଂ ଶେଷ

ପୁରୀ: ନାଟମଣ୍ଡପ ବିମ୍‌ରେ ଥିବା ଫାଟର ମରାମତି କାମ ଆରମ୍ଭ ହୋଇଛି। ପ୍ଲାଷ୍ଟର ଛଡ଼ାଇବା ପରେ(ଡିପ୍ଲାଷ୍ଟରିଂ) ଯେଉଁ ଯେଉଁ ସ୍ଥାନରେ ଫାଟ ରହିଛି, ତାର ପର୍ଯ୍ୟାୟକ୍ରମେ ମରାମତି କରାଯାଉଛି। ଡିପ୍ଲାଷ୍ଟରିଂ ସମୟରେ ପୂର୍ବପାର୍ଶ୍ବ ମୁଖ୍ୟ ବିମ୍‌ରେ ଫାଟ ରହିଥିବା ଦେଖିବାକୁ ମିଳିଛି। ଏଣୁ ଏଥିରେ ସପୋର୍ଟିଂ ବିମ୍‌ ଦିଆଯିବ ବୋଲି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଅଧୀକ୍ଷକ ଡ. ଡି ବି ଗଡ଼ନାୟକ କହିଛନ୍ତି। ଡ. ଗଡ଼ନାୟକ କହିଛନ୍ତି, ମରାମତି କାମ ବର୍ତ୍ତମାନ ପ୍ରାଥମିକ ପର୍ଯ୍ୟାୟରେ ରହିଛି। ଯେଉଁ ଯେଉଁ ଜାଗାରେ ଫାଟ ରହିଛି, ତାର ଅନୁଧ୍ୟାନ କରାଯାଉଛି। ପୂର୍ବପାର୍ଶ୍ବ ମୁଖ୍ୟ ବିମ୍‌ ଓ କଲମ୍‌ରେ ଯେଉଁ ସ୍ଥାନରେ ଫାଟ ରହିଛି, ସେଠାରେ ସପୋର୍ଟିଂ ଦିଆଯିବ। ଏହାର ଡିଜାଇନ୍‌ ବି ଅନୁମୋଦିତ ହୋଇସାରିଛି ବୋଲି ଡ. ଗଡ଼ନାୟକ କହିଛନ୍ତି। ସୂଚନାଯୋଗ୍ୟ, ବହୁଦିନରୁ ନାଟମଣ୍ଡପରେ ଥିବା ଫାଟ କ୍ରାକ୍‌ ମିଟର୍‌ ଜରିଆରେ ଅନୁଧ୍ୟାନ କରାଯାଉଥିଲା। ହାଇକୋର୍ଟଙ୍କ ଆଦେଶ ପରେ ନାଟମଣ୍ଡପ ବିମ୍‌ ମରାମତି କାମ ଆରମ୍ଭ ହୋଇଛି। କିନ୍ତୁ କାର୍ତ୍ତିକ ମାସ ଚାଲିଥିବାରୁ କାମରେ ସେତେଟା ଅଗ୍ରଗତି ଦେଖିବାକୁ ମିଳିନଥିଲା। କାର୍ତ୍ତିକ ମାସ ଶେଷ ପରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ମରାମତି କାମକୁ ତ୍ବରାନ୍ବିତ କରିଛି।
ବହୁଦିନର ପ୍ରତୀକ୍ଷା ପରେ ଶେଷରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ ଆରମ୍ଭ ହୋଇଛି। ରତ୍ନଭଣ୍ଡାର ବାହାରପାର୍ଶ୍ବର ଆଜି ଲେଜର୍‌ ସ୍କାନିଂ କରାଯାଇଛି। ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ, ଶ୍ରୀମନ୍ଦିର ପ୍ରଶାସନର ପ୍ରାୟ ୨୦ଜଣିଆ ବୈଷୟିକ ଦଳ ଆଜି ରତ୍ନଭଣ୍ଡାର ବାହାରପାର୍ଶ୍ବ କାନ୍ଥର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆଜି ଦକ୍ଷିଣ-ପୂର୍ବ ଓ ଦକ୍ଷିଣ-ପଶ୍ଚିମ ପାର୍ଶ୍ବ କାନ୍ଥର ୩୭ଟି ସ୍ଥାନର ଲେଜର୍‌ ସ୍କାନିଂ କରାଯାଇଛି। କେତେ ଜାଗାରେ ଫାଟ ରହିଛି, ଏହା କେଉଁ ଅବସ୍ଥାରେ ରହିଛି, ସବୁର ଟିକିନିଖି ଯାଞ୍ଚ କରାଯାଇଛି। ବୁଧବାର ଦକ୍ଷିଣପାର୍ଶ୍ବ କାନ୍ଥର ଅନୁଧ୍ୟାନ କରାଯିବ। ଲେଜର୍‌ ସ୍କାନିଂ କାମ ବର୍ତ୍ତମାନ ପ୍ରୋସେସିଂରେ ରହିଛି ବୋଲି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଭୁବନେଶ୍ବର ସର୍କଲ୍‌ ଅଧୀକ୍ଷକ ଡ. ଡି ବି ଗଡ଼ନାୟକ କହିଛନ୍ତି।

ଆଜି ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ଅଧୀକ୍ଷକ ଡ. ଗଡ଼ନାୟକଙ୍କ ନେତୃତ୍ବରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗର ବୈଷୟିକ ଦଳ, ବିଶେଷଜ୍ଞ ଦଳଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନର ଯନ୍ତ୍ରୀ ଓ ଅନ୍ୟମାନେ ସ୍ଥିତି ଅନୁଧ୍ୟାନ ପାଇଁ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ। ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରୁ ଅପରାହ୍ଣ ପ୍ରାୟ ସାଢ଼େ ୪ଟା ପର୍ଯ୍ୟନ୍ତ ସ୍ଥିତି ଅନୁଧ୍ୟାନ କରାଯାଇଥିଲା। ଡ. ଗଡ଼ନାୟକ କହିଛନ୍ତି, ଲେଜର୍‌ ସ୍କାନିଂ ମେସିନ୍‌ ଏକ ଉଚ୍ଚ କ୍ଷମତାସମ୍ପନ୍ନ କ୍ୟାମେରା। ଏହା ୩୬୦ ଡିଗ୍ରି ବୁଲି ଫଟୋ ଉତ୍ତୋଳନ କରି ପାରିବାର କ୍ଷମତା ରଖିଛି। ଅତିକ୍ଷୁଦ୍ର ଫାଟ ବି ଏଥିରୁ ଜାଣିହେବ।

ଲେଜର୍‌ ସ୍କାନର୍‌ ଖୁବ୍‌ ଧୀରେଧୀରେ ବୁଲି ଫଟୋ ଉତ୍ତୋଳନ କରିଥାଏ। ତେଣୁ ଆଜି କେବଳ ଦକ୍ଷିଣ-ପୂର୍ବ ଓ ଦକ୍ଷିଣ-ପଶ୍ଚିମ ପାର୍ଶ୍ବ ଅନୁଧ୍ୟାନ ସମ୍ଭବ ହୋଇପାରିଥିଲା। ଅନ୍ଧାର ହୋଇଯିବା ଓ ସମୟ ଅଭାବରୁ ଆଜି ଦକ୍ଷିଣପାର୍ଶ୍ବ କାନ୍ଥର ଲେଜର୍‌ ସ୍କାନିଂ ହୋଇପାରିନି। ଆସନ୍ତାକାଲି ବାକି ଥିବା ଅଂଶର ସ୍କାନିଂ କରାଯିବ। ଡ. ଗଡ଼ନାୟକ କହିଛନ୍ତି, ଏବେ କେତେ ଫାଟ ରହିଛି, କହିହେବନି। ସମ୍ପୂର୍ଣ୍ଣ ଅନୁଧ୍ୟାନ ପରେ ଏ ସଂପର୍କରେ ସ୍ପଷ୍ଟ ମତ ରଖିହେବ। ଲେଜର୍‌ ସ୍କାନିଂ ସମୟରେ ଶ୍ରୀମନ୍ଦିର କୋର୍‌ କମିଟି ସଦସ୍ୟ ଏନ୍‌ ସି ପାଲ୍‌, ଶ୍ରୀମନ୍ଦିର ନିର୍ବାହୀ ଯନ୍ତ୍ରୀ ଆଶିଷ ସୁବୁଦ୍ଧି, ପରିଚାଳନା କମିଟି ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

Spread the love