ଖେଳ ପଡିଆରୁ ଶ୍ମଶାନ : କ୍ରିକେଟ୍ ଖେଳୁ ଖେଳୁ ପଡିଆ ମଝିରେ ଟଳିପଡିଲେ

ପଟ୍ଟାମୁଣ୍ଡାଇ ୨୨।୧୨: ମୃତ୍ୟୁ କେତେବେଳେ ଆସିବ କେହି ବି କହିବା ସମ୍ଭବ ନୁହେଁ । ବେଳେ ବେଳେ ମୃତ୍ୟୁ ଏମିତି ଆସେ ତାହା ଆପଣ ବି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ନିଜର ଇଚ୍ଛା ଓ ସ୍ବପ୍ନ ସବୁ ଧୂଳିସାତ କରି ଚାଲିଯାଏ ।

ସୂଚନାଯୋଗ୍ୟ ଯେ, ଯାଜପୁର ବରୀ ବ୍ଲକର କାହ୍ନୁ ଚରଣ ପରିଡା । ତାଙ୍କ ବୟସ ୧୮ ବର୍ଷ ହେବ । ଛୋଟ ବେଳରୁ କ୍ରିକେଟ ପ୍ରତି ବେଶ ଆଗ୍ରହ ଥିଲା । ଆଉ ଯେତେ ଯିଏ ବାରଣ କଲେ ମଧ୍ୟ କାହ୍ନୁଙ୍କୁ କ୍ରିକେଟରୁ କେହି ବି ଦୂରେଇ ପାରୁନଥିଲେ । ଖେଳପ୍ରତି ଅନାବିଳ ଭଲ ପାଇବା ତାଙ୍କୁ ଆଜି ମୃତୁ ମୁଖକୁ ଠେଲି ଦେଇଛି । ଭଲ ବ୍ୟାଟିଂ ସାଙ୍ଗକୁ ବୋଲିଂରେ ମଧ୍ୟ କିଛି କମ୍ ପାରଙ୍ଗମ ନଥିଲେ କାହ୍ନୁ  । କିଏ ଜାଣିଥିଲା ଦିନେ ଏହି ଖେଳ ହିଁ ତାଙ୍କ ପାଇଁ କାଳ ହେବ ଆଉ କ୍ରିକେଟ ମୈଦାନରେ ଚାଲିଯିବ ତାଙ୍କ ଜୀବନ । ବୋଲିଂ କରୁ କରୁ ଟଳି ପଡ଼ିଥିଲେ କାହ୍ନୁ । ଭଲ ଖେଳାଳି ହୋଇଥିବାରୁ କାହ୍ନୁ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ତରଡିପାଳ ଗାଁକୁ ଟି-୨୦ ଟୁର୍ଣ୍ଣ ମେଣ୍ଟ ଖେଳିବାକୁ ଆସିଥିଲେ । ମ୍ୟାଚ ଟାଇ ହୋଇଯିବାରୁ ସୁପର ଓଭର ଖେଳାଯାଉଥିଲା । ଚାରି ଓଭର ବିଶିଷ୍ଟ ଶେଷ ଓଭର ପକାଉଥିଲେ କାହ୍ନୁ । ୫ଟି ବଲ୍ ପକାଇ ଶେଷ ବଲ ରେ ବ୍ୟାଟ୍ସମ୍ୟାନକୁ ବିଟ୍ କରାଇ ଖୁସିରେ ଆତ୍ମବିଭୋର ହୋଇ ଅଚାନକ ପଡିଆ ମଝିରେ ଟଳି ପଡ଼ିଥିଲେ ।

ଏପରି ଦୁଃଖଦ ଘଟଣା ସାରା  ଅଞ୍ଚଳକୁ ସ୍ତବ୍ଧ କରିଦେଇଛି । ଏକମାତ୍ର ପୁଅକୁ ହରାଇ ଭାଙ୍ଗି ପଡିଛନ୍ତି ବାପା ମା’ ।  କାନ୍ଦ ବୋବାଳିରେ ଫାଟି ପଡୁଛନ୍ତି ସମ୍ପର୍କୀୟ । ନିର ବି ଯାଇଛନ୍ତି ସାଥୀ ଖେଳାଳି । ଆଉ ଏଭଳି ଘଟଣା ଶୁଣି ପୁରା ଭାଙ୍ଗି ପଡିଛନ୍ତି ପରିବାର ।

Spread the love