ବିଶ୍ୱକପ ୨୦୧୯: ଇଂଲଣ୍ଡ ବିଶ୍ୱ ବିଜେତା

କ୍ରିକେଟ୍‌ର ମକ୍କା ଲର୍ଡସରେ ଲେଖା ହୋଇଛି ବିଶ୍ବକପ୍‌ର ନୂଆ ଇତିହାସ। ଅଭୂତପୂର୍ବ ଉତ୍କଣ୍ଠା, ଅବିଶ୍ବସନୀୟ ରୋମାଞ୍ଚ ଓ ନାଟକୀୟ ଉତ୍‌ଥାନ-ପତନ ଭିତରେ ଏକ ସଂଘର୍ଷପୂର୍ଣ୍ଣ ଫାଇନାଲ୍ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ହରାଇ ଇଂଲଣ୍ଡ ହୋଇଛି ବିଶ୍ବବିଜେତା। ବିଶ୍ବକପ୍ ଆରମ୍ଭ ହେବାର ୪୪ ବର୍ଷ ପରେ ନିଜ ଘରୋଇ ମାଟିରେ ହିଁ ଇଂଲଣ୍ଡର ଭାଗ୍ୟ ଫିଟିଛି ଏବଂ ବିଶ୍ବକପ୍‌ ଇତିହାସରେ ପ୍ରଥମ ଥର ପାଇଁ ଡବଲ୍ ‘ଟାଇ’ ପ‌ରେ ହୋଇଛି ମ୍ୟାଚ୍‌ର ଫଇସଲା। ଆଉ ହୃତସ୍ପନ୍ଦନ ବନ୍ଦ ହେଲା ଭଳି ଫାଇନାଲ୍ ଲଢ଼େଇ ପାଇଁ ବିଶ୍ବକପ୍‌ର ଚଳିତ ସଂସ୍କରଣ ମଧ୍ୟ ସବୁଦିନ ପାଇଁ ସ୍ମରଣୀୟ ହୋଇ ଯାଇଛି। ତୀବ୍ର ସଂଘର୍ଷ ସହ ସୁପରଓଭର ଏବଂ ଯୁଗଳ ‘ଟାଇ’ ପାଇଁ ବିଶ୍ବକପ୍ ଇତିହାସରେ ଯୋଡ଼ି ହୋଇଛି ନୂଆ ଓ ସୁନେଲି ଫର୍ଦ। ଫାଇନାଲ ମ୍ୟାଚ୍‌ରେ ବୀରତ୍ବପୂର୍ଣ୍ଣ ବ୍ୟାଟିଂ କରି ଇଂଲଣ୍ଡର ତାରକା ଅଲରାଉଣ୍ଡର ବେନ୍ ଷ୍ଟୋକ୍‌ସ ‘ପ୍ଲେୟର୍‌ ଅଫ୍‌ ଦି ଫାଇନାଲ’ ବିବେଚିତ ହୋଇଛନ୍ତି। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡର ଅଧିନାୟକ କେନ୍ ୱିଲିୟମସନ୍ ‘ପ୍ଲେୟର ଅଫ୍‌ ଦି ଟୁର୍ଣ୍ଣାମେଣ୍ଟ’ ହୋଇଛନ୍ତି।

ରବିବାରର ଏହି ରୋମାଞ୍ଚଭରା ଫାଇନାଲରେ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୪୧ ରନ୍ କରିଥିଲା। ନିର୍ଦ୍ଧାରିତ ୫୦ ଓଭରରେ ଆୟୋଜକ ଇଂଲଣ୍ଡ ମଧ୍ୟ ସମସ୍ତ ୱିକେଟ୍ ହରାଇ ସେହି ୨୪୧ ରନ୍ କରିବା ପରେ ବିଶ୍ବକପ୍ ଫାଇନାଲ୍ ପ୍ରଥମ ଥର ପାଇଁ ସୁପରଓଭରକୁ ଯାଇଥିଲା। ସୁପରଓଭରରେ ମଧ୍ୟ ଉଭୟ ଦଳ କେହି କାହାରିକୁ ଛାଡ଼ି ନଥିଲେ। ଇଂଲଣ୍ଡ ୧୫ ରନ୍‌ କରିବା ପରେ ନ୍ୟୁଜିଲାଣ୍ଡ ମଧ୍ୟ ‌ସେହି ୧୫ ରନ୍ କରିଥିଲା। ଫଳରେ ଅପୂର୍ବ ସଂଯୋଗ ସହ ମ୍ୟାଚ୍ ଦୁଇ ଥର ଟାଇ ରହିଥିଲା। ତେବେ ଅଧିକ ବାଉଣ୍ଡରି ଆଧାରରେ ଇଂଲଣ୍ଡ ବାଜି ମାରି ବିଶ୍ବବିଜୟୀ ହୋଇଥିଲା। ସେହି କ୍ଷଣି ହିଁ ସାରା ଇଂଲଣ୍ଡ ଉତ୍ସବମୁଖର ହୋଇ ଉଠିଥିଲା। ଶେଷ ପର୍ଯ୍ୟନ୍ତ ଲଢ଼େଇ କଲେ ମଧ୍ୟ ଭାଗ୍ୟ ସାଥ୍‌ ନ ଦେବାରୁ ନ୍ୟୁଜିଲାଣ୍ଡ କିନ୍ତୁ ଲଗାତାର ଦ୍ବିତୀୟ ଥର ପାଇଁ ଉପବିଜେତାରେ ସନ୍ତୁଷ୍ଟ ରହିଥିଲା।

୧୯୭୯, ୧୯୮୭ ଓ ୧୯୯୨ରେ ଉପବିଜେତାରେ ସନ୍ତୁଷ୍ଟ ରହିଥିବା‌ ଇଂଲଣ୍ଡ ‌‌ଶେଷରେ ନିଜ ଚତୁର୍ଥ ଫାଇନାଲ୍ ପଦାର୍ପଣରେ ଐତିହାସିକ ସଫଳତା ଲାଭ କରିଛି। ବିଳମ୍ବରେ ହେଲେ ମଧ୍ୟ ଘରୋଇ ପରିବେଶରେ ବିଜେତା ହେବାର ଗୌରବ ଅର୍ଜନ କରିଛି ଇଂଲଣ୍ଡ। ୱେ‌ଷ୍ଟଇଣ୍ଡିଜ୍, ଭାରତ, ଅଷ୍ଟ୍ରେଲିଆ, ପାକିସ୍ତାନ ଓ ଶ୍ରୀଲଙ୍କା ପରେ ବିଶ୍ବକପ୍ ଜିତିବାରେ ଇଂଲଣ୍ଡ ଷଷ୍ଠ ଦଳ ହୋଇଛି। ଅନ୍ୟପକ୍ଷରେ ୨୦୧୫ରେ ଅଷ୍ଟ୍ରେଲିଆଠାରୁ ହାରି ବିଶ୍ବକପ୍ ବିଜୟରୁ ବଞ୍ଚିତ ହେବା ପରେ ଏଥର ଇଂଲଣ୍ଡଠାରୁ ହାରି ନ୍ୟୁଜିଲାଣ୍ଡ ପୁଣି ଥରେ ଟାଇଟଲ ହାସଲରୁ ଅଳ୍ପକେ ବଞ୍ଚିତ ହୋଇଛି। ତେବେ ପରାଜୟ ସତ୍ତ୍ବେ ଲଢ଼ୁଆ ଖେଳ ପାଇଁ ବିଶ୍ବ କ୍ରିକେଟପ୍ରେମୀଙ୍କ ହୃଦୟ ଜିତି ନେଇଛି।

Spread the love