ଭାରତରେ କେତେ ସୁରକ୍ଷିତ ମହିଳା? ଏନସିଆରବି ରିପୋର୍ଟରେ ବଡ ଖୁଲାସା

ମଣିପୁରରେ ମହିଳାଙ୍କ ପ୍ରତି ହେଉଥିବା ଉତ୍ପୀଡନ ଉପରେ କିଛି ଭିଡିଓ ଭାଇରାଲ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କି, ‘ଏଭଳି ଭିଡିଓ ମୋର ହୃଦୟକୁ ଯନ୍ତ୍ରଣାରେ ଭରି ଦେଇଛି, ମଣିପୁର ଘଟଣା କୌଣସି ବି ସଭ୍ୟ ସମାଜ ପାଇଁ ଗ୍ରହଣୀୟ ନୁହେଁ । ଏଭଳି ଘଟଣା ପାଇଁ ସାରା ଦେଶ ଲଜ୍ଜିତ ହେବାକୁ ପଡୁଛି’ । ସେପଟେ ମଣିପୁର ହିଂସା ବାବଦରେ ଜାଣିବା ପାଇଁ ବିରୋଧୀ ମେଣ୍ଟର ୨୦ ଜଣ ସାଂସଦ ଦୁଇଦିନିଆ ମଣିପୁର ଗସ୍ତ କରିଛନ୍ତି । ଏହି ପ୍ରତିନିଧୀମଣ୍ଡଳ ମଣିପୁରର ହିଂସାଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବେ ।

ଏହାରି ମଧ୍ୟରେ ଏନସିଆରବି ବା ନ୍ୟାସନାଲ କ୍ରାଇମ ରିପୋର୍ଟ ବ୍ୟୁରୋ ଦେଶରେ ମହିଳା ହିଂସାକୁ ନେଇ ଯେଉଁ ରିପୋର୍ଟ ଦେଇଛି ତାହା ଆପଣଙ୍କୁ ଚକିତ କରିଦେବ । ଦେଶ ବିକାଶର ଅଧା ଭାଗିଦାରୀ ମହିଳାମାନେ ଦେଶ ସ୍ୱାଧୀନତା ପାଇବାର ୭୫ ବର୍ଷ ପରେ ବି ଭାରତରେ କିଭଳି ବଞ୍ଚିଛନ୍ତି ତାହା ଏହି ରିପୋର୍ଟରେ ଖୁଲାସା କରିଛି ଏନସିଆରବି । ଏହି ସଂସ୍ଥାର ରିପୋର୍ଟ କରୁଛି କି ଦେଶରେ ଦୈନିକ ୨୪୬ ଝିଅ ଓ ୧୦୨୭ ଜଣ ମହିଳା ନିଖୋଜ ହେଉଛନ୍ତି । ଦେଶରେ ଦୁଷ୍କର୍ମକୁ ନେଇ କଠୋର ଆଇନ ଥିଲେ ବି ଦୈନିକ ୮୭ ଜଣ ମହିଳାଙ୍କ ସହ ଦୁଷ୍କର୍ମ ହେଉଛି । ଯଦି ଆମେ ଏହାକୁ ରାଜ୍ୟ ରୁ ରାଜ୍ୟ ଦେଇ ଦେଖିବା ତେବେ ୨୦୨୧ ମସିହାରେ ରାଜସ୍ଥାନରେ ୬୩୩୭ ଦୁଷ୍କର୍ମ ଅଭିଯୋଗ ହୋଇଥିଲା । ସେହିଭଳି ମଧ୍ୟପ୍ରଦେଶରେ ୨୯୪୭, ଉତ୍ତର ପ୍ରଦେଶରେ ୨୮୪୫ ଓ ମହାରାଷ୍ଟ୍ରରେ ଏହି ଅଭିଯୋଗର ସଂଖ୍ୟା ୨୪୯୬ । ସେହିଭଳି ଗତ ୧ବର୍ଷ ମଧ୍ୟରେ ମଧ୍ୟପ୍ରଦେଶରୁ ୧୩୦୩୪ ଜଣ ଝିଅ ଓ ୫୫୭୦୪ ଜଣ ମହିଳା ନିଖୋଜ ହୋଇଥିବା ଅଭିଯୋଗ ଆସିଛି । ଏହି କ୍ରମରେ ମହାରାଷ୍ଟ୍ରରୁ ୩୯୩୭ ଜଣ ଝିଅ ଓ ୫୬୪୯୮ ଜଣ ମହିଳା ନିଖୋଜ ହୋଇଛନ୍ତି । ଯଦି ଆମେ ସାରା ଦେଶର କଥା କହିବା ତେବେ ୨୦୨୧ ରେ ୯୦୧୧୩ ଜଣ ଝିଅ ଓ ୩୭୫୦୫୮ ଜଣ ମହିଳା ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।

ମଣିପୁର ଘଟଣାର ଭିଡିଓ ଭାଇରାଲ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ମହିଳାଙ୍କ ବିରୋଧରେ ହେଉଥିବା ଅପରାଧ ପ୍ରତି କଠୋର ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନସିଆରବିର ରିପୋର୍ଟ କହୁଛି ରାଜସ୍ଥାନରେ ୨୦୨୧ ମସିହାରୁ ଏପର୍ଯ୍ୟନ୍ତ ୬୩୩୭ ଜଣ ମହିଳାଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ସାରା ଦେଶ ତୁଳନାରେ ରାଜସ୍ଥାନର ଦୁଷ୍କର୍ମ ମାମଲା ସବୁଠାରୁ ଅଧିକ । ଏହି କ୍ରମରେ ମଧ୍ୟପ୍ରଦେଶରେ ୨୯୪୭, ଉତ୍ତର ପ୍ରଦେଶରେ ୨୮୪୫, ମହାରାଷ୍ଟ୍ରରେ ୨୪୯୬, ଓ ଛତିଶଗଡରେ ୧୦୯୩ ରହିଛି । ଦେଶରେ ୫ ବର୍ଷ ଅର୍ଥାତ ୧୮୨୫ ଦିନ ମଧ୍ୟରେ ୧.୫ ଲକ୍ଷ ମହିଳାଙ୍କ ସହ ଦୁଷ୍କର୍ମ ହୋଇଛି । ଅର୍ଥାତ ଦୈନିକ ୮୭ ଜଣ ମହିଳାଙ୍କ ସହ ଦୁଷ୍କର୍ମ ହେଉଥିବା ଏନସିଆରବି ତାର ରିପୋର୍ଟରେ ଖୁଲାସା କରିଛି ।

ଏନସିଆରବି ତାର ରିପୋର୍ଟରେ କହିଛି କି, ୨୦୧୯ ମସିହାରେ ଦେଶରୁ ମୋଟ ୮୨୦୮୪ ଝିଅ ଓ ୩୪୨୧୬୮ ଜଣ ମହିଳା ନିଖୋଜ ହୋଇଛନ୍ତି । ସେହିଭଳି ୨୦୨୦ ମସିହାରେ ୭୯୨୩୩ ଝିଅ ଓ ୩୪୪୪୨୨ ମହିଳା ନିଖୋଜ ହୋଇଛନ୍ତି । ସେହିଭଳି ୨୦୨୧ରେ ୯୦୧୧୩ ଜଣ ଝିଅ ଓ ୩୭୫୦୫୮ ଜଣ ମହିଳା ନିଖୋଜ ହୋଇଛନ୍ତି ।

Spread the love