ଓଏସ୍‌ଏସ୍‌ସି ପ୍ରଶ୍ନପତ୍ର ଲିକ୍ ଘଟଣା: ବନ୍ଧାହେଲେ କୋଟିପତି ସ୍କୁଲ୍ ଶିକ୍ଷକ, ଗଞ୍ଜାମକୁ ଲମ୍ବିଛି ଚେର

ବ୍ରହ୍ମପୁର: ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିସନ୍‌ (ଓଏସ୍‌ଏସ୍‌ସି) ଦ୍ବାରା ପରିଚାଳିତ କନିଷ୍ଠଯନ୍ତ୍ରୀ(ସିଭିଲ) ମେନ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲାରେ ବାଲେଶ୍ବର ପୁଲିସ ଶୁକ୍ରବାର ଆଉ ୮ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ୫ ଜଣ ଓଡ଼ିଶାର ଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ କନିଷ୍ଠଶିକ୍ଷକ ଅଛନ୍ତି। ସେ ହେଉଛନ୍ତି, ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠାର ମୂଳବାସିନ୍ଦା ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ (୩୦)। ଗୋବିନ୍ଦ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଶିର୍ଶିପାଙ୍ଗା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ। ଗତ ୫ ବର୍ଷ ତଳେ ସେ ଚାକିରି ଜୀବନ ଆରମ୍ଭ କରିଥିଲେ।
ଗତ ୧୨ ତାରିଖରୁ ଦେହ ଅସୁସ୍ଥତା ଦେଖାଇ ଗୋବିନ୍ଦ ଛୁଟିରେ ଥିବା ପ୍ରଧାନଶିକ୍ଷକ ସୁବାସ ଓଝା କହିଥିବା ବେଳେ ଶୁକ୍ରବାର ତାଙ୍କୁ ପ୍ରଶ୍ନପତ୍ର ଲିକ୍ ଘଟଣାରେ ବାଲେଶ୍ବର ପୁଲିସ ଗିରଫ କରିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏହାପରେ ତାଙ୍କ ନାମରେ ଅନେକ ସଙ୍ଗିନ ଅଭିଯୋଗ ଆସିବାରେ ଲାଗିଛି। ସେ ବେକାର ଯୁବକଯୁବତୀଙ୍କୁ ଟାର୍ଗେଟ୍ କରି ପୁଳା ପୁଳା ଟଙ୍କା ଆଦାୟ କରୁଥିଲେ। ଏପରିକି ସେ ବେଲଗୁଣ୍ଠା ଅଞ୍ଚଳର ପ୍ରାୟ ୧୦ ଜଣଙ୍କୁ ସିବିଟି ଟିଚର୍ ଭାବେ ନିଯୁକ୍ତି ଦେଇଥିବା ଅଭିଯୋଗ ହୋଇଛି। ଓଟିଇଟି ପାସ୍ କରାଇଦେବା ପାଇଁ ସେ ଜଣଙ୍କ ପିଛା ୨ ଲକ୍ଷ ଟଙ୍କା ଓ ଓଏସଏସଟିଇଟି ପରୀକ୍ଷାରେ ପାସ୍ କରାଇବା ପାଇଁ ଜଣ ପିଛା ୩ ଲକ୍ଷ ଟଙ୍କା ନେଉଥିବା ଅଭିଯୋଗ ହୋଇଛି।

ଉଭୟ ବାଲିଗୁଡ଼ା ଓ ବେଲଗୁଣ୍ଠାରେ ଗୋବିନ୍ଦର ଉଚ୍ଚ ଅଟ୍ଟାଳିକା ଥିବା ବେଳେ ତାଙ୍କ ନାମରେ ଏକାଧିକ ପ୍ଲଟ୍ ରହିଛି। ବେଲଗୁଣ୍ଠାରେ ତାଙ୍କର ବାପା ଓ ଭାଇ ଲୁଗା ଦୋକାନ କରିଛନ୍ତି। ‘ଇନୋଭା’ ଓ ‘ଥର୍’ ଦୁଇଟି ଦାମିକା କାର୍ ଥିବା ବେଳେ ସେଥିରୁ ଇନୋଭା କ‌ାର୍‌କୁ ବାଲେଶ୍ବର ପୁଲିସ ଜବତ କରିଛି। ଜିଲ୍ଲାର ଗୋବିନ୍ଦଙ୍କ ଆଉଜଣେ ସହଯୋଗୀଙ୍କୁ ପୁଲିସ ଖୋଜୁଛି।

Spread the love