ପରମ୍ପରା ଆଗରେ ଦରବୃଦ୍ଧି ଫିକା : ସାବିତ୍ରୀ ବଜାରରେ ଅସମ୍ଭାଳ ଭିଡ଼

ଭୁବନେଶ୍ବର: ଆଉ ଦୁଇ ଦିନ ପରେ ପବିତ୍ର ସାବିତ୍ରୀ ଅମାବାସ୍ୟା। ଓଡ଼ିଆ ମହିଳାମାନଙ୍କ ସବୁଠୁ ବଡ଼ ଓଷା ବା ବ୍ରତ। ତେଣୁ ସାବିତ୍ରୀ ବଜାରରେ ଲାଗିଛି ଭିଡ଼। ଶାଢ଼ି, ଚୁଡ଼ିଠାରୁ ଆରମ୍ଭ କରି ଫଳ ବଜାର ସବୁଠି ଅସମ୍ଭାଳ ଭିଡ଼ ଜମିଲାଣି। ଚଳିତ ବର୍ଷ ସବୁ ଜିନିଷର ଦରବୃଦ୍ଧି ହୋଇଥିଲେ ବି ବଜାର ଗହଳି କମିବା ଦେଖାଯାଉନାହିଁ। ପ୍ରଥା ଓ ପରମ୍ପରା ପଛରେ ପଡ଼ିଯାଇଛି ଦରବୃଦ୍ଧି। ଧନୀ, ଗରିବ ସବୁ ବର୍ଗର ମହିଳାମାନେ ନିଜ ନିଜର ସମ୍ବଳ ଅନୁସାରେ ସାବିତ୍ରୀ ବଜାରରେ କିଣାକିଣି କରୁଥିବା ଦେଖିବାକୁ ମିଳୁଛି। ତେଣୁ ସହରର ମଲ୍‌, ମାର୍କେଟ୍‌ ବିଲ୍‌ଡିଂ, ହାଟ, ବଜାରଠାରୁ ଆରମ୍ଭ କରି ଗଳିକନ୍ଦିର ଛୋଟ ବଜାରରେ ବି ଜମୁଛି ସାବିତ୍ରୀ ବଜାର।

ବିଧି ଅନୁସାରେ ସାବିତ୍ରୀ ଅମାବାସ୍ୟା ଦିନ ମହିଳାମାନେ ନୂଆ ଶାଢ଼ି, ଚୁଡ଼ି ସହ ଫଳ ନେଇ ଶିବ ମନ୍ଦିରକୁ ଯିବେ। ବିଭିନ୍ନ ପ୍ରକାର ଫଳ ପୂଜା ଏହି ବ୍ରତର ନିୟମ। ଏବର୍ଷ ଫଳ ବଜାରର ତାତି ବଡ଼ ଅସହ୍ୟ। ସବୁ ଫଳର ଦାମ ବଢ଼ିଛି। ଗୋଟିଏ ନଡ଼ିଆର ଦାମ୍‌ ଏବେ ୩୦ରୁ ୬୦ ଟଙ୍କା ପର୍ଯ୍ୟନ୍ତ ରହିଛି। କଦଳୀ ଡଜନ୍‌ ପିଛା ୬୦ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ଅଛି। ସେହିପରି ଗୋଟା ସପୁରିର ଦାମ୍‌ ୫୦ଟଙ୍କା, ପଣସ ୧୫୦ ଟଙ୍କା, ଖଜୁରି ‌କୋଳି ଡେମ୍ଫ ୫/୧୦ ଟଙ୍କା, ସପେଟା କିଲୋ ୧୦୦ଟଙ୍କା, ଆମ୍ବ ଦେଢ଼ କିଲୋକୁ ୧୦୦ ଟଙ୍କା, ଛୋଟ ଲିଚୁ ୧୫୦ରୁ ୧୮୦ଟଙ୍କା, ଜାମୁରୋଳ ଗୋଟା ୫ରୁ ୧୦ଟଙ୍କା, ଅଙ୍ଗୁର ୧୨୦ ରୁ ୧୬୦ ଟଙ୍କା, ସେଓ ୧୫୦ରୁ ୨୫୦ ଟଙ୍କା ଏବଂ କମଳା ୧୩୦/୧୪୦ ଟଙ୍କା ପଡ଼ୁଛି। ଏମିତିରେ ଜଣେ ମହିଳା ତାଙ୍କ ପୂଜା ଥାଳିରେ ସବୁ ଫଳରୁ କିଛି କିଛି ରଖିଲେ, ନିହାତି ୨୦୦ ଟଙ୍କାରୁ କମ୍ ଖର୍ଚ୍ଚ ହେବ ନାହିଁ। ୟୁନିଟ୍‌-୧ ହାଟର ଜଣେ ଫଳ ବ୍ୟବସାୟୀଙ୍କ କହିବା କଥା ଖରା ଅଧିକ ହେଉଥିବ‌ାରୁ ଜାମ‌ୁରୋଳ, ଲିଚୁ ଭଳି ଫଳ ଆଣି ହେଉନି। ତେବେ ଶେଷ ଦୁଇ ଦିନ ବେପାର ଆହୁରି ଭଲ ହେବ ଏବଂ ସବୁ ପ୍ରକାରର ଫଳ ବଜାରକୁ ଆଣିବାକୁ ପଡ଼ିବ। ଫଳ ବଜାର ଦରବୃଦ୍ଧିକୁ ନେଇ କିଛି ମହିଳାଙ୍କ କହିବା କଥା ବ୍ରତ ଆଗରେ ଦରବୃଦ୍ଧି କିଛି ନୁହେଁ। ବାଧିଲେ ବି କ’ଣ କରାଯିବ? ବିଧି ତ ରଖିବାକୁ ପଡ଼ିବ। ଦରବୃଦ୍ଧି ହେଲା ବୋଲି କ’ଣ ପରମ୍ପରାକୁ ଭୁଲି ହେବ କି ବୋଲି ସେମାନେ କହିଛନ୍ତି। କମ୍‌ ପରିମାଣର ଫଳ ହେଉ ପଛେ କିଣିବାକୁ ପଡ଼ିବ ଏବଂ ପ୍ରଥା କାମ ଚଳାଇବାକୁ ପଡ଼ିବ।

କେବଳ ଫଳ ବଜାର କାହିଁକି, ସାବିତ୍ରୀ ପୂଜା ସାମଗ୍ରୀର ଦାମ୍‌ ମଧ୍ୟ ଗତବର୍ଷ ଅପେକ୍ଷା ବଢ଼ିଛି। ପୂଜା ବ୍ରତ, ପାଟ ଫୁଲି, ଗୁଆ, ହରିଡ଼ା, ବାହାଡ଼ା, ମଥାବସା, ସିନ୍ଦୁର, କାଠ ପାନିଆ, ଦର୍ପଣ, କଳାମାଳି, ତୁଳା ଅଳତା, ସାଲୁ କନା ଓ ବ୍ରତ ବହି ଆଦି ଉପକରଣକୁ ନେଇ ସେଟ୍‌ ୧୦୦ଟଙ୍କା ପଡ଼ୁଛି। ଗତବର୍ଷ ଏହା ୬୦/୭୦ ଟଙ୍କାରେ ମିଳିଯାଉଥିଲା। ଏହି ସବୁ ପୂଜା ସାମଗ୍ରୀ ଅଲଗା ଅଲଗା କିଣିଲେ, ଦାମ ବଢ଼ିଯିବାର ସମ୍ଭାବନା ରହିଛି। ସେହିପରି ଶାଢ଼ି ବଜାରରେ ବି ଗତ କିଛିଦିନ ହେଲା ବେଶ୍‌ ଭିଡ଼ ପରିଲକ୍ଷିତ ହେଉଛି। ବେପାର ଜମୁଛି। ଏବ‌ର୍ଷ ବିଭିନ୍ନ ନୂଆ ଡିଜାଇନ୍‌ର ଶାଢ଼ି ବଜାରକୁ ଆସିଛି। ବହୁ ଦୋକାନରେ ସାବିତ୍ରୀ ଅଫର୍‌ ରହିଥିବାରୁ ସେଠାରେ ଅଧିକ ଗହଳି ହେଉଛି। କେଉଁଠି ଶାଢ଼ିରେ ଶାଢ଼ି ଫ୍ରି ତ କେଉଁଠି ଦରରେ ସ୍ବତନ୍ତ୍ର ରହାତି। ମଲ୍‌ଗୁଡ଼ିକରେ ସାବିତ୍ରୀ ସପିଙ୍ଗ୍‌ କଲେ ଟ୍ରଲି ବ୍ୟାଗ୍‌, ହ୍ୟାଣ୍ଡ ବ୍ୟାଗ୍‌ ଭଳି ଅଫର୍‌ ମଧ୍ୟ ଉପଲବ୍ଧ ରହିଛି। ଚଳିତ ବର୍ଷ ଅର୍‌‌ଗେଞ୍ଜା ମିନି ଫ୍ଲାୱାର୍‌ ଶାଢ଼ି, ଜର୍ଜେଟ୍‌ ପ୍ରିଣ୍ଟ୍‌ ଶାଢ଼ି ଓ ଚିକନ୍‌କରି ଶାଢ଼ି, ବାଟି ପ୍ରିଣ୍ଟ ଶାଢ଼ିର ଚାହିଦା ଅଧିକ ଥିବା ଦେଖିବାକୁ ମିଳିଛି। ସାବିତ୍ରୀ ହାଟରେ ଲେଡିଜ୍ କର୍ଣ୍ଣର୍‌ମାନେ ବି ପଛରେ ପଡ଼ିନାହାନ୍ତି। ମହିଳାମାନେ ଶାଢ଼ି ସହ ମ୍ୟାଚିଂ କରି ଚୁଡ଼ି ଓ ନେଲ୍‌ ପଲିସି କିଣୁଛନ୍ତି। ଏବର୍ଷ ଶଙ୍ଖା, ପଲା, ଷ୍ଟୋନ୍‌ ଚୁଡ଼ି, ରଙ୍ଗ ଚୁଡ଼ି, ପାଣି ଚୁଡ଼ି ଭଳି ସବୁର ଦର ବଢ଼ିଛି। ଏଡି ଷ୍ଟୋନ୍‌ ଥିବା ଚୁଡ଼ିର ଚାହିଦା ଅଧିକ ଥିବା ବେଳେ ବଡ଼ ୪ ଟିକିଆ ପଲା ପ୍ରତି ମହିଳାମାନେ ଅଧିକ ପସନ୍ଦ କରୁଛନ୍ତି।

Spread the love