ଅମିତ ଶାହ, ମନମୋହନ ସିଂହ, ରାହୁଲ ଓ ପ୍ରିୟଙ୍କା ଭଦ୍ରାଙ୍କ ସୁରକ୍ଷାରେ ଏବେ ରହିବେ ମହିଳା କମାଣ୍ଡୋ, ଜାଣନ୍ତୁ CRPF ଲିଷ୍ଟରେ ଅଛନ୍ତି ଆଉ କେଉଁ ନେତା

ନୂଆଦିଲ୍ଲୀ ୨୩।୧୨:  କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଏଆଇସିସି କାର୍ଯ୍ୟକାରୀ ସଭାପତି ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଓ ପ୍ରିୟଙ୍କ ଭଦ୍ରାଙ୍କ ସୁରକ୍ଷାରେ ମହିଳା କମାଣ୍ଡୋଙ୍କୁ ମୁତୟନ କରାଯିବ। ଏହି ନେତାମାନେ ପୂର୍ବରୁ ସିଆରପିଏଫର ଜେଡ ପ୍ଲସ୍‌ ସୁରକ୍ଷାରେ ଅଛନ୍ତି। ତେବେ ସିଆରପିଏଫ ପ୍ରଥମ ଥର ଏହିପରି ଭିଭିଆଇପିଙ୍କ ସୁରକ୍ଷା ଲାଗି ମହିଳା କମାଣ୍ଡୋଙ୍କୁ ନିୟୋଜିତ କରିବାକୁ ଯାଉଛି।

ଏଥିଲାଗି ପ୍ରଥମ ବ୍ୟାଚ୍‌ରେ ୩୨ ମହିଳା ସୁରକ୍ଷା କର୍ମୀଙ୍କ କମାଣ୍ଡୋ ପ୍ରଶିକ୍ଷଣ ଶେଷ ହୋଇଥିବା ଜନୈକ ବରିଷ୍ଠ ସିଆରପିଏଫ ଅଧିକାରୀ କହିଛନ୍ତି। ଆସନ୍ତା ଜାନୁୟାରୀ ୧୫ ତାରିଖ ସୁଦ୍ଧା ଏମାନଙ୍କୁ ଭିଭିଆଇପିଙ୍କ ସୁରକ୍ଷାରେ ମୁତୟନ କରିଦିଆଯିବ। ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ପ୍ଲାଟୁନର ଆକାରରୁ ପ୍ରଥମ ବ୍ୟାଚ୍‌ରେ ପ୍ରଶିକ୍ଷଣ ପ୍ରାପ୍ତ କରି ବାହାରିଥିବା କମାଣ୍ଡୋଙ୍କୁ ସୁରକ୍ଷା ପ୍ରାପ୍ତ କରିଥିବା ଲୋକଙ୍କ ବାସଭବନର ସୁରକ୍ଷାରେ ମୁତୟନ କରାଯିବ।

ଅଧିକାରୀଙ୍କ ଅନୁସାରେ ପ୍ରଶିକ୍ଷିତ ମହିଳା କମାଣ୍ଡୋଙ୍କ ସଂଖ୍ୟା ଦୃଷ୍ଟିରୁ ଜଣେ ଜଣେ ସୁରକ୍ଷା ପ୍ରାପ୍ତ ଲୋକଙ୍କ ଲାଗି ୫ରୁ ୬ ଜଣ କମାଣ୍ଡୋଙ୍କୁ ନିଯୁକ୍ତ କରାଯାଇପାରେ। ତେବେ ଯାତ୍ରାରେ ମହିଳା କମାଣ୍ଡୋଙ୍କୁ ଏବେ ସାମିଲ କରାଯାଇ ନ ପାରେ ବୋଲି କୁହାଯାଇଛି। ହେଲେ ଆବଶ୍ୟକତା ପଡିଲେ ନିର୍ବାଚନ ରାଲିମାନଙ୍କରେ ଏମାନେ ସୁରକ୍ଷା ଦାୟିତ୍ୱରେ ମୁତୟନ ହୋଇପାରନ୍ତି ବୋଲି ଆକଳନ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ ଗାନ୍ଧି ପରିବାର ଓ ମନମୋହନ ସିଂହଙ୍କ ସୁରକ୍ଷା ଲାଗି ପୂର୍ବରୁ ମୁତୟନ ଏସପିଜିରେ ମହିଳା କମାଣ୍ଡୋଙ୍କ ଏକ କ୍ଷୁଦ୍ର ପ୍ଲାଟୁନ ମୁତୟନ ଥିଲା। ଏମାନେ କେବଳ ଆବାସିକ ସୁରକ୍ଷାରେ ଥିଲେ। ତେବେ ଏମାନଙ୍କୁ ନଭେମ୍ବର ୨୦୧୯ରେ ପ୍ରତ୍ୟାହାର କରିନିଆଯାଇଥିଲା।

ଗତ ୨୦୧୨ ମସିହାରେ ଏନଏସଜି ପକ୍ଷରୁ ୨୫ ମହିଲା କମାଣ୍ଡୋଙ୍କୁ ପ୍ରସ୍ତୁତ କରାଯାଇଥିଲା। ଏହି କମାଣ୍ଡୋମାନେ ଏବେ ଦେଶରେ ଆତଙ୍କବାଦ ନିରୋଧୀ ଫୋର୍ସ ଭାବେ ଏବେ କାର୍ଯ୍ୟକରୁଛନ୍ତି। ତେବେ ସେତେବେଳେ ଏମାନଙ୍କୁ ବ୍ୟକ୍ତିଗତ ସୁରକ୍ଷାରେ ମୁତୟନ କରାଯାଇନଥିଲା। ଦେଶରେ ସର୍ବ ପ୍ରଥମେ ବହୁଜନ ସମାପାର୍ଟି ନେତ୍ରୀ ମାୟାବତୀ ଓ ଏଆଇଡିଏମକେ ନେତ୍ରୀ ଜୟ ଲଳିଥାଙ୍କୁ ମହିଳା କମାଣ୍ଡୋଙ୍କ ସୁରକ୍ଷା ପ୍ରାପ୍ତ ଥିଲା। ତେବେ ସେତେବେଳେ ଉଭୟ ନେତ୍ରୀ ମହିଳା କମାଣ୍ଡୋଙ୍କୁ ନେଇ ଅସନ୍ତୁଷ୍ଟ ଥିଲେ ଓ ସେମାନେ ପ୍ରାପ୍ତ କରୁଥିବା ସୁରକ୍ଷା ଯୋଗାଇଦେବାକୁ କହିଥିଲେ। ହେଲେ ଘଟଣାର ପ୍ରଚାର ହେବ ଓ ମିଡିଆକୁ ଯିବ ଏଣୁ ପରେ ଏହାକୁ ସ୍ୱୀକାର କରିନେଇଥିଲେ।

ସେପଟେ ଗୃହମନ୍ତ୍ରାଳୟଙ୍କ ସୂତ୍ରରୁ ମିଳୁଥିବା ସୂଚନାରୁ ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ରାଜୀବ ବାନାର୍ଜୀଙ୍କୁ ମିଳିଥିବା କେନ୍ଦ୍ରୀୟ ସୁରକ୍ଷା ପ୍ରତ୍ୟାହାର କରିନିଆଯାଇଛି। ୨ ଥର ବିଧାୟକ ଥିବା ବାନାର୍ଜୀ ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ ଛାଡି ବିଜେପିରେ ଯୋଗ ଦେଇଥିଲେ। ତେବେ ଗତ ଅକ୍ଟୋବରରେ ସେ ପୁଣି ନିଜ ପୂରୁଣା ଦଳକୁ ଫେରିଆସିଥିବାରୁ ତାଙ୍କର କେନ୍ଦ୍ରୀୟ ସୁରକ୍ଷା ପ୍ରତ୍ୟାହୃତ ହୋଇଯାଇଛି।

Spread the love