ଯୁବତୀଙ୍କୁ ପ୍ରତାରଣା କରି ସିଆରପିଏଫ ଯବାନ ଗିରଫ

ଝାରସୁଗୁଡା ୧୨/୦୨: ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ପ୍ରେମ ଓ ପରେ ପ୍ରତାରଣା କରିବା ଅଭିଯୋଗରେ ଜଣେ ସିଆରପିଏଫ ଯବାନକୁ ଗିରଫ କରିଛି ଲଖନପୁର ପୋଲିସ । ସୂଚନା ଅନୁଯାୟୀ, ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ୧୧ ବର୍ଷ ପ୍ରେମ ସମ୍ପର୍କ ରଖିବା ପରେ ସିଆର୍ପିଏଫର ଯବାନ ଜଣକ ପ୍ରତାରଣା କରିଥିଲେ ।

ଗିରଫ ସିଆରପିଏଫ ଯବାନ ଜଣକ ଲଖନପୁର ଥାନା ଜୟବୁଡ଼ିଆ ଗାଁର ୩୧ ବର୍ଷୀୟ ନରେଶ ପ୍ରଧାନ ବୋଲି ପୋଲିସ ସୂଚନା ଦେଇଛି । ଉଭୟ ଅଭିଯୁକ୍ତ ଓ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯାଇଛି । ପୁଲିସ ସୂଚନା ଅନୁଯାୟୀ ପୀଡ଼ିତା ୨୦୧୦ ମସିହାରେ ଲଖନପୁର ବ୍ଲକ ଅଞ୍ଚଳରେ ଥିବା ଏକ ସ୍କୁଲ୍ ହଷ୍ଟେଲରେ ରହି ପାଠ ପଢ଼ୁଥିଲେ। ସେହି ସମୟରେ ନରେଶଙ୍କ ସହିତ ତାଙ୍କର ପରିଚୟ ହୋଇଥିଲା ।

ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏହାପରେ ଯୁବତୀଙ୍କୁ ନରେଶ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ l ଏହାସହ ମନ୍ଦିରରେ ବିବାହ ମଧ୍ୟ କରି ସମ୍ପୂର୍ଣ ରୀତିନୀତିରେ ବିବାହ କରିବେ ବୋଲ ପ୍ରତିଶ୍ରୁତି ଦେଇଥିଲେ ।

ହେଲେ ଏହାପରେ ଦୀର୍ଘଦିନ ଧରି ଆଉ ଯୁବତୀଙ୍କ ସହ କୌଣସି ସମ୍ପର୍କ ନରଖି ଅନ୍ୟ ଜଣେ ଯୁବତୀଙ୍କୁ ବାହା ହେବାର ଯୋଜନା କରିଥିଲେ । ଏ ବିଷୟରେ ଖବର ପାଇ ନରେଶଙ୍କ ବିରୋଧରେ ଲଖନପୁର ଥାନାରେ ଯୁବତୀ ଅଭିଯୋଗ କରିବା ପରେ ପୋଲିସ ନରେଶକୁ ଗିରଫ କରିବାସହ ଆଜି କୋର୍ଟ ଚାଲାଣ କରିବ ବୋଲି ସୂଚନା ଦେଇଛି ।

Spread the love