ସିଲଭର ସିଟିରେ 27ଟି ଚାନ୍ଦିମେଢ଼ ଓ ପୋଲିସର କଣ ନିୟମ ରହିଛି ପଢନ୍ତୁ…

ଦୁଇ ବର୍ଷ ପରେ ଚଳିତ ବର୍ଷ ଦୂର୍ଗାପୂଜା ମହା ଆଡମ୍ବରରେ ପାଳନ ହେବ । ଭାଇଚାରାର ସହର କଟକରେ ଏଥିପାଇଁ ପ୍ରସ୍ତୁତି ଜୋଦାର ଆରମ୍ଭ ହୋଇ ଗଲାଣି । ଏଥର ସିଲଭର ସିଟି ଚମକିବ । ସୁନା ଓ ଚାନ୍ଦି ମେଢ ଶ୍ରଦ୍ଧାଳୁଙ୍କ ମନମୋହିବ । ପୂର୍ବରୁ ୨୬ଟି ମଣ୍ଡପରେ ଚାନ୍ଦି ମେଢ ଥିବାବେଳେ ଏଥର ଚାନ୍ଦିମେଢ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି । ଦୁଇ ବର୍ଷ ପରେ ଦଶହରା ପାଇଁ କଟକ ସହରରେ ବେଶ ଉତ୍ସବ ମୁଖର ହେବ ବୋଲି ଆଶା କରାଯାଉଛି ।

ଚଳିତ ବର୍ଷ କଟକ କଲେଜ ଛକରେ ପ୍ରଥମ କରି ନୂଆ ଚାନ୍ଦି ମେଢ଼ ହେଉଛି । ପ୍ରାୟ ୩ କ୍ୱିଣ୍ଟାଲରୁ ଅଧିକ ଓଜନର ଚାନ୍ଦିରେ ସୁସଜ୍ଜିତ ହେବେ ଦେବୀ ଦଶଭୂଜା । ଶେଖ ବଜାରର ଚାନ୍ଦି କାରିଗରମାନେ ଏହି ମେଢ଼ ନିର୍ମାଣ କରୁଛନ୍ତି । ମେଢ଼ ନିର୍ମାଣରେ ଲାଗିଛନ୍ତି ୧୫ରୁ ଅଧିକ କାରିଗର । ଏଥିଲାଗି ଖର୍ଚ୍ଚ ହୋଇଛି ଅଢେଇ କୋଟିରୁ ଅଧିକ ଟଙ୍କା ।

ସେହିପରି ହରିପୁର ଦୋଳମୁଣ୍ଡାଇ ପୂଜା କମିଟିରେ ଚାନ୍ଦି ସଫେଇ କାମରେ କାରିଗରମାନେ ଲାଗିଛନ୍ତି । ଦୀର୍ଘ ଦୁଇ ବର୍ଷ ପରେ ସ୍ୱାଭାବିକ ମୂର୍ତ୍ତି ହେବା ସହ ଚାନ୍ଦି ମେଢରେ ସଜେଇ ହେବେ ମାଆ । ସେଥିପାଇଁ ଦିନରାତି ଏକ କରି ଚାନ୍ଦି ସଫେଇ କରିବା ସହ ପଲିସ କରୁଛନ୍ତି । ସେହିପରି ଖାନନଗର, ଚାଉଳିଆଗଞ୍ଜ ଭଳି ପ୍ରମୁଖ ପୂଜା ମଣ୍ଡପରେ ମଧ୍ୟ ଚାଲିଛି ଚାନ୍ଦି ମେଢ ସଫେଇ କାମ । ଫଳରେ ୨ ବର୍ଷ ହେଲା ହାତ ବାନ୍ଧି ବସିଥିବା କାରିଗରଙ୍କୁ ଏଥର କାମ ମିଳିଛି ।

ଖାନନଗର ଖପୁରିଆ ଶିଳ୍ପାଞ୍ଚଳ ପୂଜା କମିଟି ସାଜସଜା ସାଙ୍ଗକୁ ଆକର୍ଷଣୀୟ ତୋରଣ ପାଇଁ ରହିଛି ସ୍ୱତନ୍ତ୍ର ପରିଚୟ । ଦୀର୍ଘ ୨୦ବର୍ଷ ଧରି ଆଧ୍ୟାତ୍ମିକ ବାତାବରଣକୁ ନେଇ ଏହି ମଣ୍ଡପ ତୋରଣ ତିଆରି କରି ଆସୁଥିବା ବେଳେ ଚଳିତ ବର୍ଷ ପୂଜାରେ ମୁଖ୍ୟ ଆକର୍ଷଣ ପାଲଟିବ ଅମରନାଥ ଗୁମ୍ଫାର ପତିକୃତୀ ତୋରଣ । ସେପଟେ ଚଳିତ ବର୍ଷ ପୂଜାକୁ ଶୃଙ୍ଖଳିତ କରିବା ପାଇଁ ମେଢ଼ରେ ଲାଗିବ ଜିପିଏସ । ମେଢ଼ର ଗତିବିଧି ଉପରେ ନଜର ରଖିବା ପାଇଁ ଜିପିଏସ ଲଗେଇବା ପାଇଁ କରାଯିବ ବ୍ୟବସ୍ଥା । ଏ ନେଇ କଟକ ସହିଦ ଭବନରେ ଦୁର୍ଗା ପୂଜା ପ୍ରସ୍ତୁତି ନେଇ କମିସନରେଟ ପୋଲିସ ପକ୍ଷରୁ ଆୟୋଜିତ ବୈଠକ ପରେ ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି । ଏଥିସହିତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ।

Spread the love