କଂସ ନିଧନ, ସରିଲା ଧନୁଯାତ୍ରା : ମଞ୍ଚ ଉପରେ ଯୁଦ୍ଧରେ ମାମୁଁକୁ ନିପାତ କରି ବିଜୟୀ ହେଲେ କୃଷ୍ଣ

ଆଉ ଶୁଭିବ ନାହିଁ ସେହି ପ୍ରକମ୍ପିତ ଅଟ୍ଟହାସ୍ୟ । ନିରବୀ ଯାଇଛି ରଙ୍ଗମହଲ ଓ ରାଜଦରବାର । ଦୀର୍ଘ ଏଗାର ଦିନର କଂସରାଜରେ ପୂର୍ଣ୍ଣଛେଦ ପଡ଼ିଛି । କଂସ ନିଧନ ସହ ଶେଷ ହୋଇଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ବିରାଟ ଧନୁଯାତ୍ରା । ଧନୁଯାତ୍ରାର ଶେଷ ଦିବସର ନାଟ୍ୟାଭିନୟକ୍ରମରେ କୃଷ୍ଣ ବଳରାମ ମଥୁରା ଭ୍ରମଣ କରିଥିଲେ । ମାତ୍ର କୁବଳୟା ହସ୍ତୀ ବାଟ ଓଗାଳି ଥିଲା । କୁବଳୟା ହସ୍ତୀ ସହିତ ଯୁଦ୍ଧ କରି କୃଷ୍ଣ-ବଳରାମ ତାକୁ ବଧ କରିଥିଲେ । ପରେ ଘମାଘୋଟ ଯୁଦ୍ଧ ପରେ କୃଷ୍ଣ-ବଳରାମଙ୍କୁ ହାତରେ ଅଷ୍ଟମଲ୍ଲ ନିହତ ହୋଇଥିଲେ । ଏହା ଜାଣି ବ୍ୟସ୍ତବିବ୍ରତ ହୋଇପଡ଼ିଥିଲେ ମହାରାଜ କଂସ । କୃଷ୍ଣବଳରାମ ମହାରାଜଙ୍କ ସମ୍ମୁଖରେ ଶିବଧନୁ ଭାଙ୍ଗି ପକାଇଥିଲେ । ଏହାପରେ କୃଷ୍ଣ-ବଳରାମ ଉଠି ଆସିଥିଲେ ରାଜଦରବାର ଉପରକୁ । ସେମାନଙ୍କୁ ଦେଖି ମହାରାଜ କଂସଙ୍କର ଶକ୍ତି କ୍ରମଶଃ କ୍ଷୟ ହେବାକୁ ଲାଗିଥିଲା ।

ସେ ନିଜକୁ ଅସହାୟ ମନେ କରିଥିଲେ । ଆଉ ମାମୁ-ଭଣଜାଙ୍କ ସମରରେ ମାମୁ କଂସ ହୋଇଥିଲେ ଧରାଶାୟୀ । ଦରବାର ତଳକୁ ଗଡ଼ିପଡ଼ି ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଏହାପରେ ଆନନ୍ଦିତ ହୋଇଛନ୍ତି ମଥୁରାବାସୀ । ଆଉ କୃଷ୍ଣ ଏବଂ ବଳରାମଙ୍କୁ ସ୍ୱାଗତ କରିଛନ୍ତି । ବେନିଭ୍ରାତା କାରଗାରରୁ ମାତା ଦେବକୀ ଓ ପିତା ବସୁଦେବଙ୍କୁ ମୁକୁଲାଇଥିଲେ କୃଷ୍ଣ ଏବଂ ବଳରାମ । ପରେ ପିତା ଉଗ୍ରସେନଙ୍କୁ ମଥୁରା ସିଂହାସନରେ ବସାଇଥିଲେ ।

Spread the love