ବିଧାନସଭା ବଜେଟ୍‌ ଅଧିବେଶନରେ ସାମ୍ବାଦିକଙ୍କୁ କଟକଣା

ଭୁବନେଶ୍ବର: ଆସନ୍ତା ୨୫ ତାରିଖରୁ ଆରମ୍ଭ ହେଉଛି ବିଧାନସଭାର ସ୍ବଳ୍ପକାଳୀନ ବଜେଟ୍‌ ଅଧିବେଶନ। ୬ ଦିନିଆ ଅଧିବେଶନ ପାଇଁ ଏଥର ବି ସାମ୍ବାଦିକଙ୍କୁ ସିଧାସଳଖ ତଥ୍ୟ ସଂଗ୍ରହ ପାଇଁ ସୁଯୋଗ ନାହିଁ, ଗତ ୨ ବର୍ଷ ପରି ଏଥର ମଧ୍ୟ ବଜେଟ୍‌ ଅଧିବେଶନରେ କରୋନା ସଂକ୍ରମଣ ଆଶଙ୍କାକୁ ଆଳ କରି ବିଧାନସଭା ବାଚସ୍ପତି ଏଭଳି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଲୋକସେବା ଭବନ(ରାଜ୍ୟ ସଚିବାଳୟ)ରେ ମଧ୍ୟ ସାମ୍ବାଦିକଙ୍କ ପ୍ରବେଶକୁ ବାରଣ କରାଯାଇଛି। ରାଜ୍ୟରେ କଟକଣାମୁକ୍ତ ଜୀବନ ପ୍ରବାହ ପାଇଁ ସରକାର ସୁଯୋଗ ସୃଷ୍ଟି କରିଥିବାବେଳେ ନିଜର ବୃତ୍ତିଗତ କାର୍ଯ୍ୟ ପରିଚାଳନା ସକାଶେ ସ୍ବାଧୀନ ସୁଯୋଗ ନ ଦେବା ଘଟଣାରେ ବିଜେପି ଓ କଂଗ୍ରେସ ଦଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।
ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ଯୋଗୁଁ ଦେବାଳୟ ଠାରୁ ବିଦ୍ୟାଳୟ ପର୍ଯ୍ୟନ୍ତ ସବୁକିଛି ଖୋଲି ଦିଆଯାଇଛି। ଆସନ୍ତା ୨୦ ତାରିଖରୁ ସବୁଠୁ ଅଧିକ ଜନସମାଗମ ହେଉଥିବା ଶ୍ରୀମନ୍ଦିରର ରବିବାର କଟକଣାକୁ ମଧ୍ୟ ସରକାର ହଟାଇ ଦେଇଛନ୍ତି।

ଏପରିକି ସଦ୍ୟ ସମାପ୍ତ ପଞ୍ଚାୟତ ନିର୍ବାଚନର ପ୍ରଥମ ମାର୍ଗଦର୍ଶିକାରେ କିଛି କରୋନା କଟକଣା ରହିଥିଲା; ମାତ୍ର ପରେ ତାହାକୁ ରାଜ୍ୟ ନିର୍ବାଚନ ଆୟୋଗ ଅନେକ କୋହଳ କରିଥିଲେ। ଏବେ ପୌର ନିର୍ବାଚନ ପ୍ରଚାର ଜୋରଦାର ଚାଲିଛି। ତେବେ ସାମ୍ବାଦିକଙ୍କୁ ବିଧାନସଭା ବିବରଣୀର ପ୍ରତ୍ୟକ୍ଷ ରିପୋର୍ଟିଂ ପାଇଁ ସୁଯୋଗ ସୃଷ୍ଟି କରିବାର ଯଥାର୍ଥତା ଥିଲେ ମଧ୍ୟ ସେଥିରୁ ବଞ୍ଚିତ କରାଯିବା ଘଟଣା ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସାମ୍ବାଦିକ ମହଲରୁ ଏନେଇ ବାଚସ୍ପତିଙ୍କୁ ଅନୁରୋଧ ମଧ୍ୟ କରାଯାଇଥିଲା। ମାତ୍ର ନିଷ୍ପତ୍ତି ବଦଳିନି। ଏବେ ପ୍ରେସ୍‌ ଗ୍ୟାଲେରିରେ ବିଧାୟକମାନେ ୬ଫୁଟ ସାମାଜିକ ଦୂରତା ରକ୍ଷାକରି ବସୁଥିବାରୁ ସେଠାରେ ସାମ୍ବାଦିକଙ୍କୁ ବସିବାର ସୁଯୋଗ ମିଳିପାରୁନି। କରୋନା ବାରମ୍ବାର ରୂପ ବଦଳାଉଥିବାରୁ ପୁନର୍ବାର ପୁଣି କାଳେ ଆସିପାରେ ସେଥିପାଇଁ ମଧ୍ୟ ବ୍ୟବସ୍ଥାକୁ ବଦଳା ଯାଉନ ଥିବା ଯୁକ୍ତି ହେଉଛି। ଏବେ ବିଧାନସଭାର ଉପର ମହଲାର ଏକ କୋଠରୀରେ ୪ଟି ଟିଭି ଲଗାଯାଇ ସରକାରୀ ଭାବେ ଲାଇଭ୍‌ ଭିଡିଓ ଜରିଆରେ ସାମ୍ବାଦିକଙ୍କୁ ସୂଚନା ଦିଆଯାଉଛି। ତେବେ ବିଧାନସଭା ପାଇଁ ପ୍ରେସ୍‌ ଗ୍ୟାଲେରୀର ସ୍ଥାନାଭାବକୁ କାରଣ ଦର୍ଶାଯାଉଥିବାବେଳେ ଲୋକସେବା ଭବନ (ସଚିବାଳୟ) ପାଇଁ କି ସମସ୍ୟା ରହିଛି ବୋଲି ପ୍ରଶ୍ନ ଉଠିବା ସ୍ବାଭାବିକ।

Spread the love