ବାଲିଯାତ୍ରା : ଉତ୍କଳୀୟ ସଂସ୍କୃତିର କଥା କାହାଣୀ ଓ କିମ୍ବଦନ୍ତୀ
ବାଲିରେ ବସିଛି ବାଲି ଯାତରା । କଟକର ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରା ଆରମ୍ଭ ହୋଇଛି କାର୍ତ୍ତିକ ପୂର୍ଣ୍ଣିମା ଠାରୁ । କେତେ ପ୍ରକାରର ଦୋକାନ ବଜାର, ମୀନା ବଜାର, ଚଟପଟି ଖାଇବାଠୁ ଆରମ୍ଭ କରି ଘରକରଣା ସାମଗ୍ରୀ ବି ଗଦା ହୋଇଛି ଏହି ମେଳାରେ । କେଇଟା ଦିନ ଭିତରେ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ଲୋକ ଛୁଟି ଆସିବେ ଏହି ମେଳା ଦେଖଇବାକୁ । କୁହାଯାଏ ଏମିତି କିଛି ଜିନିଷ ନାହିଁ ଯାହା ବାଲିଯାତ୍ରାରେ ମିଳେ ନାହିଁ । ଛୁଞ୍ଚି ଠୁ ଆରମ୍ଭ କରି ସବୁ ବଡ଼ ବଡ଼ ଜିନିଷ ବି ମିଳେ ଏଠି । ଏହି ଯାତ୍ରା କେବଳ ସ୍ଥାନୀୟ କଟକ ବାସିନ୍ଦାଙ୍କ ପାଇଁ ନୁହେଁ ସାରା ରାଜ୍ୟ ପାଇଁ ଆକର୍ଷଣ ପାଲଟିଛି । ଛୋଟରୁ ବଡ଼ ବିଭିନ୍ନ ବର୍ଗର ବ୍ୟବସାୟୀଙ୍କ ମେଳା ଲାଗେ ଏଠି । ଲୋକଙ୍କ ଆଗ୍ରହ ଦେଖି ଦିନକୁ ଦିନ ବ୍ୟବସାୟୀଙ୍କ ସଂଖ୍ୟା ବଢ଼ି ଚାଲିଛି । ଆଉ ତା ସହିତ ତାଳ ଦେଇ ବଢ଼ି ଚାଲିଛି ଯାତ୍ରାର ପରିସର ।
ତେବେ ଏଇ ବାଲିଯାତ୍ରାର ଇତିହାସ କଣ, ଏହା କେବେ ଠାରୁ ଆରମ୍ଭ ହେଲା, କେମିତି ଆରମ୍ଭ ହେଲା ସେ ସମ୍ପର୍କରେ ବୋଧହୁଏ ଅନେକ ଜାଣି ନଥିବେ । ତେଣୁ ଆଜି ଆମେ ଅନ୍ତତଃ ଯୁବ ପିଢ଼ିଙ୍କ ଜାଣିବା ପାଇଁ କହିବୁ ବାଲିଯାତ୍ରାର ଇତିହାସ କଥା । ଅବଶ୍ୟ ଗବେଷକ ଓ ଐତିହାସିକଙ୍କ ଭିତରେ ବାଲିଯାତ୍ରାର ଆରମ୍ଭକୁ ନେଇ କିଛି ଦ୍ୱନ୍ଦ୍ୱ ରହିଛି । ତେବେ ଓଡ଼ିଶା ବା ତତ୍କାଳୀନ କଳିଙ୍ଗ ରାଜ୍ୟର ସାଧବ ଅର୍ଥାତ ବଣିକ ସମ୍ପ୍ରଦାୟର ଲୋକମାନେ ବୋଇତରେ ସମୁଦ୍ର ରାସ୍ତା ଦେଇ ବାହାର ରାଜ୍ୟ ତଥା ଦେଶକୁ ବ୍ୟବସାୟ କରିବାକୁ ଯାଉଥିଲେ । ସେମାନେ ନିଜ ଅଞ୍ଚଳ ଛାଡ଼ିଲା ବେଳକୁ ନଦୀ କୂଳରେ ଏକାଠି ହୁଅନ୍ତି ସମସ୍ତେ । ଆଉ ବାଲିରେ ହିଁ ଏହି ଯାତ୍ରା ହେଉଥିବାରୁ ଏହାକୁ ବାଲିଯାତ୍ରା ବୋଲି କୁହାଯାଏ । ଇଏ ହେଉଛି କିଛି ଐତିହାସିକଙ୍କ ମତ । ତେବେ ଆଉ କିଛି କୁହନ୍ତି କି ବାଣିଜ୍ୟ ସାରି ସେମାନେ ଧନରତ୍ନ ଧରି ଫେରିବା ବେଳକୁ ସେମାନଙ୍କୁ ସ୍ୱାଗତ କରିବା ଲାଗି ଲୋକେ ଅପେକ୍ଷା କରୁଥିଲେ । ତେଣୁ ସେଠାରେ ଯାତ୍ରା ଲାଗୁଥିଲା । ବାଲିଦ୍ୱୀପରୁ ସେମାନେ ଫେରୁ ଥିବାରୁ ଏହାର ନାଁ ବାଲିଯାତ୍ରା ହୋଇଛି ।
ତେବେ ଏକଥା ସତ ଯେ କଳିଙ୍ଗର ପୁରୁଷମାନେ ସେତେବେଳେ ବେଶ୍ ଦୁର୍ଦ୍ଧର୍ଷ ଥିଲେ । ନଚେତ ସମୁଦ୍ରରେ ବୋଇତ ମେଲି ଦୂରଦୂରାନ୍ତ ଦେଶକୁ ବୋଇତ ନେଇ ବେପାର ବଣିଜ କରିବାକୁ ଯାଇ ନଥାନ୍ତେ । ପୁଣି ସମୁଦ୍ରରେ ଜଳଦସ୍ୟୁଙ୍କର ଭୟ ଥିଲା । ସେମାନଙ୍କୁ ମଧ୍ୟ ସାମନା କରୁଥିଲେ । ଆଉ ପୂରା ପ୍ରସ୍ତୁତ ରହୁଥିଲେ ଏସବୁ ପ୍ରତିକୂଳ ସ୍ଥିତି ପାଇଁ । କାରଣ ଏସବୁ ପାଇଁ ଦରକାର ଅଦମ୍ୟ ସାହସ । ସମୁଦ୍ରରେ ଦୂର ଯାତ୍ରା କଲା ଭଳି ପ୍ରଶିକ୍ଷଣ ଏବଂ ଜଳଦସ୍ୟୁଙ୍କ ମୁକାବିଲା କରିବାର ସାମର୍ଥ୍ୟ ।
ଅତୀତରେ ସାଧବ ପୁଅମାନେ ବାଣିଜ୍ୟ କରିବା ପାଇଁ ଜାଭା, ବାଲି, ସୁମାତ୍ରା, ବୋର୍ଣ୍ଣିଓ ବା ବର୍ତ୍ତମାନର ଇଣ୍ଡୋନେସିଆକୁ ଯାଉଥିଲେ । ତେଣୁ ସେମାନେ ବିଶେଷ କରି ସମୁଦ୍ର ଉପକୂଳ ଏବଂ ବୋଇତ ବା ଡଙ୍ଗା ଯାଇ ପାରୁଥିବା ସ୍ଥାନରୁ ହିଁ ଯାତ୍ରା ଆରମ୍ଭ କରନ୍ତି । ଆଉ ସମୁଦ୍ର ଭିତରେ ଏସବୁ ଦ୍ୱୀପାଞ୍ଚଳକୁ ଯାଇ ବ୍ୟବସାୟ କରି ଫେରି ଆସନ୍ତି । ଓଡ଼ିଶାରୁ ସେମାନେ ବିଭିନ୍ନ ସାମଗ୍ରୀ ନେଇ ସେଠାକୁ ଯାଆନ୍ତି ଏବଂ ଫେରିଲା ବେଳେ ସେଠାରୁ ବିଭିନ୍ନ ମସଲା ଜାତୀୟ ସାମଗ୍ରୀ ନେଇ ଆସିଥାନ୍ତି ।
ତେବେ ସବୁଠାରୁ ବଡ଼ କଥା ହେଉଛି ବର୍ଷା ୠତୁ ବା ମୌସୁମୀ ଫେରିଗଲା ପରେ ଅକଟୋବର ଠାରୁ ପବନର ଗତି ବଦଳି ଯାଏ । ସେତେବେଳେ ଯନ୍ତ୍ର ଚାଳିତ ବୋଟ୍ ବା ଡଙ୍ଗା ନଥିଲା । କେବଳ ପବନ ଏବଂ କାତ ଓ ଆହୁଲା ଉପରେ ନିର୍ଭର କରି ଡଙ୍ଗା ଚାଳନା କରାଯାଉଥିଲା । କିନ୍ତୁ ଦୂର ଜାଗାକୁ କାତ ଓ ଆହୁଲା ଦ୍ୱାରା ବୋଇତ ଚାଳନା କରି ଯିବା ସମ୍ଭବ ହୁଏ ନାହିଁ । ତେଣୁ କେବଳ ପବନର ଗତି ଦ୍ୱାରା ପାଲଟଣା ବୋଇତ ସବୁ ଆଗେଇ ଚାଲେ ଲକ୍ଷ୍ୟ ସ୍ଥଳକୁ । ସେହି ଅନୁସାରେ ଅକଟୋବର ଓ ନଭେମ୍ବର ମାସକୁ ବୋଇତ ଯାତ୍ରାର ପ୍ରକୃଷ୍ଟ ସମୟ ବୋଲି ଧରାଯାଏ । ପୁଣି କାର୍ତ୍ତିକ ପୂର୍ଣ୍ଣିମା ଦିନଟି ଅତ୍ୟନ୍ତ ପବିତ୍ର ଓ ଶୁଭ ଥିବାରୁ ସାଧବମାନେ ପ୍ରଭୁ ଶ୍ରୀଜଗନ୍ନାଥ ଏବଂ ମା ମଙ୍ଗଳାଙ୍କ ପୂଜାର୍ଚ୍ଚନା ଏବଂ ସ୍ମରଣ କରି ଯାତ୍ରା ଆରମ୍ଭ କରନ୍ତି । କଟକ ମହାନଦୀ କୂଳ ଗଡ଼ଗଡ଼ିଆ ଘାଟ ଏକ ପ୍ରମୁଖ ଯାତ୍ରା ସ୍ଥଳ ଥିଲା ବୋଲି ମନେ କରାଯାଏ । ଆଉ ସେହିଠାରୁ ଅନେକ ବ୍ୟବସାୟୀ ସେମାନଙ୍କ ଯାତ୍ରା ଆରମ୍ଭ କରିଥାନ୍ତି । ସେଥିଲାଗି ହୁଏତ ଏହିଠାରେ ହିଁ ବାଲିଯାତ୍ରା ବେଶି ପ୍ରସିଦ୍ଧ ହୋଇଗଲା ବୋଲି ମନେ କରାଯାଏ ।
ଯାହା ଐତିହାସିକ କୁହନ୍ତି, ବ୍ରିଟିଶ ଶାସନ ଆସିବା ପରେ ସେମାନଙ୍କ ଆଧୁନିକ ଜାହାଜ ଏବଂ ବୋଟ୍ ତଥା ସେମାନଙ୍କର ପେସାଦାର ବ୍ୟବସାୟ ମନୋବୃତ୍ତି ଯୋଗୁଁ ଓଡ଼ିଶାର ସାଧବମାନଙ୍କ ଏହି ବୋଇତ ଯାତ୍ରା ବନ୍ଦ ହୋଇଯାଇଥାଇ ପାରେ । ପରେ ପରେ ସ୍ଥଳପଥର ବିକାଶ ଯୋଗୁଁ ଧୀରେ ଧୀରେ ଏହି ବ୍ୟବସାୟ ବାଣିଜ୍ୟ ବନ୍ଦ ହୋଇଗଲା । ଏବେ ତ ଆଉ ବୋଇତ ନାହିଁ କି ସେ ସାଧବ ପୁଅ ନାହନ୍ତି । ତେବେ ତାଙ୍କରି ସ୍ମୃତିରେ ପାଳିତ ହେଉଛି ବାଲିଯାତ୍ରା ।
ଅବଶ୍ୟ ବର୍ତ୍ତମାନ କେବଳ କଟକ ନୁହେଁ ଅନ୍ୟ କିଛି ଜାଗାରେ ମଧ୍ୟ ବାଲିଯାତ୍ରା ଆରମ୍ଭ ହେଲାଣି । ପାରାଦୀପ, କେନ୍ଦ୍ରପଡ଼ା, ଜଗତସିଂହପୁର ଏବେ ଏବେ ଭୁବନେଶ୍ୱର କୁଆଖାଇ ନଦୀ ନିକଟରେ ମଧ୍ୟ ବାଲିଯାତ୍ରା ହେଉଛି । ହେଲେ କଟକ ବାଲିଯାତ୍ରାର ପ୍ରସିଦ୍ଧି ଏବଂ ଆକର୍ଷଣ ଏମିତି ଯେ କେହି ତାର ସମକକ୍ଷ ହୋଇ ପାରୁ ନାହାନ୍ତି । ତେବେ ସ୍ମୃତି ହେଉ କି ଐତିହ୍ୟ, ଇଏ ଆମ ଉତ୍କଳର ଗାଥା ଓ କିମ୍ବଦନ୍ତୀ । ଯାହା କେବଳ ମନୋରଞ୍ଜନଧର୍ମୀ ନଥିବ ନିଶ୍ଚୟ । ତେଣୁ ବାଲିଯାତ୍ରାର ଐତିହାସିକ ମହତ୍ୱ ଉପରେ ଅଧିକ ଗବେଷଣା ହେଲେ ତାର ପରିଚୟ ସମ୍ପର୍କରେ ବର୍ତ୍ତମାନ ଓ ଆଗାମୀ ପିଢ଼ି ଅନେକ କଥା ଜାଣି ପାରନ୍ତେ ।