ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି କଟକ ସହରକୁ ସମ୍ପ୍ରସାରଣ କରାଯିବ : ନଗର ଉନ୍ନୟନ ମନ୍ତ୍ରୀ
କଟକ : ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି କଟକ ସହରକୁ ସମ୍ପ୍ରସାରଣ କରାଯିବ । ବିଶେଷ କରି ସିଡିଏ ଅଞ୍ଚଳ କୁ ସମ୍ପ୍ରସାରଣ କରାଯାଇ ଜନ ବସତି ସ୍ଥାପନ କରାଯିବ। ମହାନଦୀ ରିଭର ଫ୍ରଣ୍ଟ ପାଇଁ 250 କୋଟି ଏବଂ କାଠ ଯୋଡ଼ି ରିଭର ଫ୍ରଣ୍ଟ ଲାଗି 60 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସିଡିଏ ଅଞ୍ଚଳରେ କପଡ଼ା ମଣ୍ଡି ଏବଂ ଚାନ୍ଦୀ ମଣ୍ଡି ନିର୍ମାଣ କରାଯିବ ।
କଟକ ସହରର ସୌନ୍ଦର୍ଯ୍ୟକରଣ ପାଇଁ ସରକାର ବିଭିନ୍ନ ପ୍ରକଳ୍ପ ପ୍ରସ୍ତୁତ କରିଛନ୍ତି ବୋଲି ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର କଟକ ସହିଦ ଭବନ ଠାରେ ସ୍ୱାୟତ୍ତ ଶାସନ ଦିବସର ଉଦ୍ଘାଟନ ଏବଂ କେତେକ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା ଦେଇ ପ୍ରକାଶ କରିଛନ୍ତି । ମେୟର ସୁବାସ ସିଂ କାର୍ଯ୍ୟ କ୍ରମରେ ସଭାପତିତ୍ବ କରି କଟକ ସହରର ବିଭିନ୍ନ ସମସ୍ୟା ସଂପର୍କରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସହରବାସୀଙ୍କର ବହୁ ପ୍ରତୀକ୍ଷିତ ସହୀଦ ଭବନ ନବୀକରଣ କରାଯାଇ ଆଜି ସିଏମସି ପକ୍ଷରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଉଦଘାଟିତ କରାଯାଇଥିଲା ।
ଏଥିସହିତ ଚୌଧୁରୀବଜାର ସ୍ଥିତ କଲ୍ୟାଣ ମଣ୍ଡପ ନବୀକରଣ କରାଯାଇ ଉଦଘାଟିତ କରାଯାଇଛି । କଟକ ମହାନଗର ନିଗମ ପକ୍ଷରୁ ଆୟୋଜିତ ସ୍ୱାୟତ୍ତ ଶାସନ ଦିବସକୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରାଯାଇଛି । ସହୀଦ ଭବନ ନବୀକରଣର ଉଦଘାଟନ ସହ ସାଧାରଣ ସଭା ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼ଃ କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି, ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ଵାଳ, ସଦର ବିଧାୟକ ପ୍ରକାଶ ସେଠୀ, ବାରବାଟୀ ବିଧାୟିକା ସୋଫିଆ ଫିରଦୋସ ଏବଂ ବହୁ ମନୟାଗଣ୍ୟ ବ୍ୟକ୍ତି ଅତିଥି ଭାବରେ ଯୋଗ ଦେଇଥିଲେ।
ମେୟର ସୁବାସ ସିଂ କାର୍ଯ୍ୟକ୍ରମରେ ସଭାପତିତ୍ଵ କରିଥିଲେ ଏବଂ ସମସ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ସିଏମସି କମିଶନର କିରଣଦୀପ କୌର ସହୋତା, ଡେପୁଟି ମେୟର ଦମୟନ୍ତୀ ମାଝି ଏବଂ ବିଭିନ୍ନ ୱାର୍ଡର କର୍ପୋରେଟରମାନେ ସମସ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ଏବଂ ଡିସିପି ହୃଷୀକେଶ ଖିଲାରୀ ପ୍ରମୁଖ ଉପସ୍ଥିତ ଥିଲେ । ମେୟରଙ୍କର ଅଧ୍ୟକ୍ଷତାରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ଏବଂ ଏହି ଅବସରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ କଟକ ସହରର ବିଶିଷ୍ଟ ବ୍ୟକ୍ତି ବିଶେଷମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।
