ବିଶ୍ବସ୍ତରୀୟ ହେବ କଟକ ଏସ୍‌ସିବି ମେଡ଼ିକାଲ୍‌ କଲେଜ ଓ ହସ୍‌ପିଟାଲ୍‌: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍‌ପିଟାଲ୍‌ର ବିଶ୍ୱସ୍ତରୀୟ ୱବ୍‌ସାଇଟ୍‌, ପୁରାତନ ଛାତ୍ରସଂଘ ଏବଂ ଏହାର ୱବ୍‌ସାଇଟ୍‌କୁ ଲୋକାର୍ପଣ କରିଛନ୍ତି। ଏହି ୱବ୍‌ସାଇଟ୍‌ ଦ୍ୱାରା ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍‌ପିଟାଲ୍‌ ତା’ର ବିଶ୍ୱସ୍ତରୀୟ ଡିଜିଟାଲ୍‌ ଉପସ୍ଥିତି ଓ ପୁରାତନ ଛାତ୍ରସଂଘକୁ ପରିଚିତ କରାଇବ ବୋଲି ସନ୍ତୋଷ ବ୍ୟକ୍ତ କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ୫-‘ଟି’ ସୂତ୍ର ଆଧାରରେ ଏହି ଅନୁଷ୍ଠାନକୁ ବିଶ୍ୱସ୍ତରୀୟ କରାଯିବ ଏବଂ ଏହା ସମସ୍ତଙ୍କୁ ଆକର୍ଷିତ କରିବ ବୋଲି ଉଲ୍ଲେଖ କରିଛନ୍ତି ।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୭୬ ବର୍ଷରୁ ଊର୍ଦ୍ଧ୍ୱକାଳ ଧରି ସେବା ଯୋଗାଇବାର ଗୌରବମୟ ଇତିହାସ ବହନ କରିଥିବା ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍‌ପିଟାଲ୍‌ ଦେଶର ପୁରାତନ ସ୍ୱାସ୍ଥ୍ୟାନୁଷ୍ଠାନମାନଙ୍କ ମଧ୍ୟରେ ଅନ୍ୟତମ, ଏପରିକି ବିଶ୍ୱର ଅନେକ ସ୍ୱାସ୍ଥ୍ୟାନୁଷ୍ଠାନ ମଧ୍ୟରେ ପୁରାତନ। ବର୍ତ୍ତମାନର କୋଭିଡ୍‌-୧୯ ସଂକଟ କାଳରେ ଏହା ସାରା ରାଜ୍ୟରେ ଆନୁଷ୍ଠାନିକ ଦକ୍ଷତା ବୃଦ୍ଧିରେ ସହାୟକ ହୋଇଛି। ଗତ ୭୬ ବର୍ଷ ମଧ୍ୟରେ ଏହି ଅନୁଷ୍ଠାନ ଲକ୍ଷାଧିକ ଲୋକଙ୍କ ସେବା କରିଛି ଏବଂ ଗତ ୧୦ ବର୍ଷ ମଧ୍ୟରେ ୧୭ ନିୟୁତ ଲୋକଙ୍କୁ ସେବା ଯୋଗାଇପାରିଛି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର୍‌. ବାଲ୍‌କି୍ରଷ୍ଣନ୍‌, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରଦୀପ୍ତ କୁମାର ମହାପାତ୍ର ଉପସ୍ଥିତ ଥିବାବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-‘ଟି’) ଭି.କେ. ପାଣ୍ଡିଆନ୍‌ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।

Spread the love