ରାମ ମନ୍ଦିର ନାମରେ ଠକୁଛନ୍ତି ଠକ, ଭୁଲରେ ବି କରନ୍ତୁ ନାହିଁ ଏହି କାମ
ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଉପରେ ସମଗ୍ର ଦେଶବାସୀଙ୍କ ନଜର ରହିଛି। ଲୋକମାନେ ମନ୍ଦିରର ଉଦଘାଟନକୁ ଅପେକ୍ଷା କରି ରହିଛନ୍ତି। ବିଭିନ୍ନ ରାଜ୍ୟରୁ ରାମଲାଲାଙ୍କ ପାଇଁ ବିଭିନ୍ନ ପ୍ରକାରର ଉପହାର ଆସୁଛି। ଜାନୁଆରି ୨୨ରେ ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ହେବାକୁ ଥିବା ବେଳେ ଭାରତବାସୀଙ୍କର ଅଯୋଧ୍ୟା ଯିବାକୁ ଉତ୍ସାହ ବଢ଼ିବାରେ ଲାଗିଛି। ଲୋକଙ୍କ ଏହି ଉତ୍ସାହକୁ ଦେଖି ଠକମାନେ ଲୋକଙ୍କୁ ଠକିବାର ନୂଆ ବାଟ ପାଇଥିବା ସାମ୍ନାକୁ ଆସିଛି।
ପୂର୍ବରୁ ବିଭିନ୍ନ ଉପାୟରେ ଲୋକଙ୍କୁ ଠକି ସାରିଥିବା ଠକମାନେ ଏଥର ଅଯୋଧ୍ୟା ରାମ ମନ୍ଦିରରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମ ନାମରେ ଲୋକଙ୍କୁ ଠକୁଛନ୍ତି। କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସାଧାରଣ ଲୋକ ତଥା ପ୍ରଭୁ ଶ୍ରୀରାମଙ୍କ ଭକ୍ତ ଅନାଇ ବସିଥିବା ବେଳେ କିିଛି ଠକ ଲୋକଙ୍କୁ ମାଗଣାରେ ଭିଆଇପି ପ୍ରବେଶ କରାଇବାକୁ କହି ଠକିବା ଆରମ୍ଭ କରିଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସାଇବର ଅପରାଧୀମାନେ ହ୍ବାଟସ୍ ଆପରେ ଲୋକଙ୍କୁ ଏକ ମେସେଜ ପଠାଉଛନ୍ତି ଯେଉଁଥିରେ ଲେଖାଯାଇଛି ଯେ, ଜାନୁଆରି ୨୨ରେ ରାମ ମନ୍ଦିରର ଉଦଘାଟନ ପାଇଁ ଆପଣଙ୍କୁ ଭିଆଇପି ପ୍ରବେଶ ସୁବିଧା ଦିଆଯାଉଛି ଏବଂ ଆପଣ ଏହି ଆପ୍ ଡାଉନଲୋଡ୍ କରି ଭିଆଇପି ପାସ୍ ପାଇପାରିବେ।
ଏହି ମେସେଜ ସହିତ ଲୋକଙ୍କୁ ଏକ ଏପିକେ ଫାଇଲ୍ ଡାଉନଲୋଡ୍ କରିବାକୁ କୁହାଯାଉଛି। ଏହା ଉପରେ କ୍ଲିକ କରିବା ପରେ ସେମାନେ ଲୋକଙ୍କ ବ୍ୟକ୍ତିଗତ ତଥ୍ୟକୁ ଚୋରି କରି ନେଉଛନ୍ତି। ଏହା ଫଳରେ ଅନେକ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଖାଲି ହେଉଥିବା ସାମ୍ନାକୁ ଆସୁଛି। ଯଦି ଆପଣଙ୍କୁ ଏଭଳି କିଛି ମେସେଜ ଆସୁଛି, ତେବେ ଏହାକୁ ଅଣଦେଖା କରନ୍ତୁ।