ପାରାଦୀପ ଠାରୁ ୪୭୦କିମି ଦୂରରେ ‘ଅମ୍ଫାନ, ସଂଧ୍ୟାରୁ ଛଅଟି ଜିଲ୍ଲାରେ ପ୍ରବଳ ବର୍ଷିବ

ମହାବାତ୍ୟା ‘ଅମ୍ଫାନ’ ଏବେ ପାରାଦୀପ ଠାରୁ ଦକ୍ଷିଣରେ ୪୭୦କିମି ଦୂରରେ ରହିଥିବାର ସୂଚନା ମିଳିଛି | ଏହା ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ୧୫ କିମି ବେଗରେ ଉତ୍ତର-ଉତ୍ତର-ପୂର୍ବ  ଦିଗରେ ଗତି କରୁଛି | ଏହା ଦୁର୍ବଳ ହୋଇ ଅତି-ତୀବ୍ର-ସାମୁଦ୍ରିକ ଝଡ ଭାବରେ ସ୍ଥଳ ଭାଗ ଛୁଇଁବ ଏବଂ ଏହି ସମୟରେ ପବନର ବେଗ ୧୫୫ ରୁ ୧୬୫ କିମି ସହ ଗଷ୍ଟିଙ୍ଗ ୧୮୦ କିମି ରହିବାର ସମ୍ଭାବନା ଅଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଆଶ୍ବସ୍ତିର ବିଷୟ ହେଲା ସମୁଦ୍ର ଗର୍ଭରେ ମହାବାତ୍ୟାର ରୂପ ନେଇଥିବା ଅମ୍ଫାନ୍ କ୍ରମଶଃ ଦୁର୍ବଳ ହେଉଛି। ସୁପର ସାଇକ୍ଲୋନିକ ଷ୍ଟର୍ମରୁ ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇଛି। ଏଥିସହ ଓଡ଼ିଶା ପ୍ରତି ବିପଦ କମିଛି ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ତେବେ ଆଜି ସଂଧ୍ୟାରୁ ବର୍ଷା ଧୀରେଧୀରେ ବଢିବ ଏବଂ ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର ଆଦି  ଛଅଟି ଜିଲ୍ଲାରେ ପ୍ରବଳ ବର୍ଷିବ।ଏହା ଉତ୍ତର-ଉତ୍ତର-ପୂର୍ବ ଦିଗକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରକୁ ଯାଇ ପଶ୍ଚିମବଙ୍ଗ – ବାଂଲାଦେଶ ଉପକୂଳ ଦେଇ ଦୀଘା (ପଶ୍ଚିମବଙ୍ଗ) ଏବଂ ହାଟିଆ ଦ୍ୱୀପପୁଞ୍ଜ (ବାଂଲାଦେଶ) ମଧ୍ୟରେ ସୁନ୍ଦରବନ ନିକଟବର୍ତ୍ତୀ ଅଞ୍ଚଳରେ ମଇ ୨୦ ତାରିଖ ମଧ୍ୟାହ୍ନ / ସନ୍ଧ୍ୟା ସମୟରେ ଅତି ଭୟଙ୍କର ରୂପ ନେଇ ସ୍ଥଳଭାଗକୁ ଛୁଇଁବ ବୋଲି ସୂଚନା ମିଳୁଛି | ଏହି ସମୟରେ  ପବନର ବେଗ ସର୍ବାଧିକ ୧୫୫ରୁ ୧୬୫ କିଲୋମିଟର ରହିବ ବୋଲି କୁହାଯାଇଛି। ତେବେ ସ୍ଥଳ ବିଶେଷରେ ପବନର  ବେଗ ୧୮୦ କିଲୋମିଟରକୁ ମଧ୍ୟ ଅତିକ୍ରମ କରିପାରେ |ମହାବାତ୍ୟା ‘ଅମ୍ଫାନ’କୁ  ବର୍ତ୍ତମାନ ବିଶାଖାପାଟନମ୍ (ଆନ୍ଧ୍ରପ୍ରଦେଶ)ରେ ଥିବା ଭାରତୀୟ ପାଣିପାଗ ବିଭାଗ ଡୋପଲର୍ ରାଡାର ଦ୍ୱାରା ନିରନ୍ତର ଟ୍ରାକିଂ କରାଯାଉଛି |

Spread the love