ବର୍ଷା କଲା କଲବଲ; ବୁଡ଼ିଲା ହେକ୍ଟର ହେକ୍ଟର ଧାନ

ଭୁବନେଶ୍ୱର: ଜମିରେ ବତୁରି ଯାଉଛି ଫସଲ । ଉଜୁଡି ଯାଉଛି ସ୍ୱପ୍ନ, ଭାଙ୍ଗିଯାଉଛି ଚାଷୀର ମନ । ସାମୁଦ୍ରିକ ଝଡ଼ ‘ଜୱାଦ’ ବାତ୍ୟା ନ ହୋଇ ଯେତିକି ଆଶ୍ୱସ୍ତି ଦେଇଛି ତାଠୁ ଅଧିକ ଚିନ୍ତା ବଢ଼ାଇଛି ଲଗାଣ ବର୍ଷା । ଦକ୍ଷିଣରୁ ଉତ୍ତର ଓଡ଼ିଶା ପୁଣି ଉପକୂଳ ସବୁଠୁ ସମାନ ଚିତ୍ର । ଅମଳ ପରେ ଘରକୁ ଅଣାଯିବାକୁ ଥିବା ଫସଲ ଏବେ ପାଣି ସରସର ହୋଇ ନଷ୍ଟ ହେବାକୁ ବସିଲାଣି । ଆଉ ଆଣ୍ଠୁଏ କାଦୁଅ ଭିତରୁ କିଛିଟା ପାଇବା ଆଶାରେ ଫସଲକୁ ଛାଣୁଛି ହତାସ ଚାଷୀ ।

ପୁରୀ ସମେତ ଭଦ୍ରକ, କେନ୍ଦୁଝର, ଗଞ୍ଜାମ, ଗଜପତି, ଜଗତସିଂହପୁର ଜିଲ୍ଲାର ହଜାର ହଜାର ହେକ୍ଟର ଜମିରେ ଖରିଫ ଧାନ ପାଣିରେ ବତୁରି ନଷ୍ଟ ହେବାକୁ ବସିଲାଣି । ପୁରୀ ଜିଲ୍ଲାର  ଅସ୍ତରଙ୍ଗ, କାକଟପୁର, ଗୋପ, କୋଣାର୍କ ଆଦି ଅଞ୍ଚଳରେ ହେକ୍ଟର ଚାଷ ଜମି ପାଣିରେ ବୁଡ଼ି ରହିଛି । ସେପଟେ ଗଞ୍ଜାମ ଜିଲ୍ଲା ଆସିକାରେ ଧାନ କଟା ସରିଥିଲେ ମଧ୍ୟ ବେଙ୍ଗଳା ନହୋଇ ପଡ଼ି ରହିଛି । ବର୍ଷା ଦାଉରୁ ଏହାକୁ ବଞ୍ଚାଇବାକୁ ଜମିରେ ପାଲ ପକାଇ ସାଇତି ରଖିଛନ୍ତି ଚାଷୀ ।

ଚାଷୀମାନେ ବିଲରୁ ଧାନ ଉଠାଇ ପାରିନଥିବା ବେଳେ, ଅଧିକାଂଶ ବିଲରେ ପାଣି ଜମିରହିବା ଯୋଗୁଁ ଗଜା ହେବାର ଆଶଙ୍କା ରହିଛି । ସେପଟେ ୭ ଦିନ ଭିତରେ କ୍ଷୟକ୍ଷତି ଆକଳନ କରାଯାଇ କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି ଏସଆରସି ।

Spread the love