ମହାବାତ୍ୟାର ରୂପ ନେଲା ସାମୁଦ୍ରିକ ଝଡ ଅମ୍ଫାନ: ଏହି ୫ ଜିଲ୍ଲାରେ ପଡ଼ିବ ଅଧିକ ପ୍ରଭାବ

ସମୁଦ୍ର ଭିତରେ ମହାବାତ୍ୟାର ରୂପ ନେଲା ସାମୁଦ୍ରିକ ଝଡ ଅମ୍ଫାନ । ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ତେବେ ଅମ୍ଫାନକୁ ନେଇ ଆଗାମୀ ୧୨ ଘଂଟା ବେଶ୍ ଗୁରୁତ୍ୱ ପୂର୍ଣ୍ଣ। କାରଣ ଅମ୍ଫାନ୍ ଏହି ସମୟରେ ଅଧିକ ଶକ୍ତିଶାଳୀ ହୋଇ ସମୁଦ୍ର ମଧ୍ୟରେ ଆଗେଇବ। ସ୍ଥଳ ଭାଗକୁ ଛୁଇଁଲା ବେଳକୁ ନେବ ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ । ପୂର୍ବାନୁମାନ ଅନୁସାରେ ଆସନ୍ତା ୬ ଘଂଟା ମଧ୍ୟରେ ଏହା ଏକ୍ସଟ୍ରିମଲି ସିିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ । ସମୁଦ୍ର ଭିତରେ ଏବେ ଘଂଟାକୁ ୮ କିଲୋମିଟର ବେଗରେ ଉତର, ଉତର- ପୂର୍ବ ମୁହାଁ ହୋଇ ମାଡି ଆସୁଛି ।

ପୂର୍ବାନୁମାନ ଅନୁଯାୟୀ ଏହା ଆସନ୍ତା ୧୨ ଘଂଟା ପର୍ଯ୍ୟନ୍ତ ଉତର ଦିଗରେ ଗତି କରିବ । ତାପରେ ଉତ୍ତର- ଉତ୍ତର ପୂର୍ବକୁ ଦିଗ ବଦଳାଇ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ଅତି ତୀବ୍ର ବେଗରେ ଗତି କରିବ ।

୨୦ ତାରିଖ ଅପରାହ୍ନରୁ ସଂଧ୍ୟା ମଧ୍ୟରେ ପଶ୍ଚିମବଙ୍ଗର ଦୀଘା ଉପକୂଳ ଓ ବାଂଲାଦେଶର ହାତିଆ ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବା ସ୍ଥଳଭାଗ ଛୁଇଁବ । ଏହି ଭୀଷଣ ସାମୁଦ୍ରିକ ବାତ୍ୟା ସ୍ଥଳଭାଗ ଛୁଇଁଲା ବେଳକୁ ମଧ୍ୟ ଶକ୍ତିଶାଳୀ ରହିଥିବ । ଯାହା କି ଚିନ୍ତାର କାରଣ ହୋଇଛି । କାରଣ ସ୍ଥଳ ଭାଗ ଛୁଇଁଲା ବେଳକୁ ଏହି ସମୟରେ ପବନର ବେଗ ଘଂଟାପ୍ରତି ୧୪୫ରୁ ୧୫୫ କିମି ରହିବ ।

ସର୍ବାଧିକ ୧୭୦ କିଲୋମିଟର ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସ୍ଥଳ ଭାଗ ଛୁଇଁଲା ବେଳକୁ ଓଡିଶାର ଗଂଜାମ, ପୁରୀ, ଖୋର୍ଧା ଉପକୂଳରେ ପବନର ବେଗ ପ୍ରାୟ ୭୫ କିମି ରହିଥିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର। ଅମ୍ଫାନ ପ୍ରଭାବରେ ରାଜ୍ୟର ୫ ଜିଲ୍ଲା ଉପରେ ପଡିବ ପ୍ରଭାବ। କେନ୍ଦ୍ରାପଡା, ଜଗତସିଂହପୁର, ବାଲେଶ୍ୱର, ଯାଜପୁର ଓ ଭଦ୍ରକ ଜିଲ୍ଲାରେ ଆଜି ସଂଧ୍ୟାରୁ ବର୍ଷା ଆରମ୍ଭ ହୋଇଯିବ ବୋଲି ସୂଚନା ଦେଇଚି ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଭାଗ ।

Spread the love