ବାତ୍ୟା ବୁରେଭି: ଘଣ୍ଟା ପିଛା ୯୦କିମି ବେଗରେ ବହିବ ପବନ

ନୂଆଦିଲ୍ଲୀ, ୩/୧୨: ବାତ୍ୟା ବୁରେଭି ଆଜି ରାତି କିମ୍ବା ଡିସେମ୍ବର ୪ ତାରିଖ (ଶୁକ୍ରବାର) ତାମିଲନାଡୁରେ ସ୍ଥଳଭାଗ ଛୁଇଁବ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହା କୁହାଯାଇଛି । ବାତ୍ୟା ସମୁଦ୍ର ଅତିକ୍ରମ କରି ସ୍ଥଳ ଭାଗ ଅତିକ୍ରମ କରିବା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୭୦-୮୦ ରହିବ। ପବନର ବେଗ ଘଣ୍ଟା ପିଛା ସର୍ବାଧିକ ୯୦ କିଲୋମିଟର ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ସମ୍ଭାବିତ ବାତ୍ୟାକୁ ଦୃଷ୍ଟିରେ ରଖି ଏନଡିଆରଏଫର ୨ଟି ଟିମ ମୁତୟନ କରାଯାଇଛି।

ତାମିଲନାଡୁ ଉପକୂଳ କନ୍ୟାକୁମାରୀ ଓ ପମ୍ବନ ମଧ୍ୟରେ ଡିସେମ୍ବର ୪ ତାରିଖ ଭୋର ସକାଳୁ ବାତ୍ୟା ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରୁଛି । ଫଳରେ ଡିସେମ୍ବର ୩ ମଧ୍ୟରେ କନ୍ୟାକୁମାରୀ, ତିରୁନେଭେଲି, ଥୋଟୁକୁଡି, ଟେନକାଶୀ, ରାମନାଥପୁରମ ଓ ଶିବାଗଂଗାଇରେ ପ୍ରବଳ ବର୍ଷା ହୋଇପାରେ ।ଉତ୍ତର ତାମିଲନାଡୁର ପଡୁଚେରୀ, କାରାଇକାଲ, ଦକ୍ଷିଣ କେରଳର ମାହେ, ଦକ୍ଷିଣ ଉପକୂଳବର୍ତ୍ତୀ ଆନ୍ଧ୍ରପ୍ରଦେଶ ଓ ଲକ୍ଷାଦୀପରେ ମଧ୍ୟ ବର୍ଷା ହୋଇପାରେ। ଲାକ୍ଷାଦୀପରେ ଡିସେମ୍ବର ୩ରୁ ୪ ମଧ୍ୟରେ ବର୍ଷା ହୋଇପାରେ ।

Spread the love