ଆସୁଛି ବାତ୍ୟା, ୧୬ରେ ହେବ ଘନୀଭୂତ

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା । ଏହା କ୍ରମଶଃ ଘନୀଭୂତ ହୋଇ ଆସନ୍ତା ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବ । ଏହାପରେ ଆହୁରି ଘନୀଭୂତ ହୋଇ ଭୀଷଣ କିମ୍ବା ଅତି ଭୀଷଣ ବାତ୍ୟାରେ ପରିଣତ ହୋଇପାରେ ।

ଓଡ଼ିଶାକୁ ମୁହାଁଇପାରେ ବାତ୍ୟା। ଗତବର୍ଷ ମେ ମାସରେ ଫାନି ବାତ୍ୟା ହୋଇଥିବାବେଳେ ଏଥର ବି ମେ’ ମାସରେ ବାତ୍ୟା ଆଶଙ୍କା ଘନେଇଲାଣି । ଆସନ୍ତା ୧୯ ତାରିଖ ବେଳକୁ ବାତ୍ୟା ଓଡ଼ିଶା ଉପକୂଳ ଛୁଇଁପାରେ କିମ୍ବା ଉପକୂଳ ପାଖରେ ଘଷି ହୋଇଯାଇପାରେ । ଯଦି ଏମିତି ହୁଏ, ଓଡ଼ିଶା ଉପକୂଳରେ ଘଣ୍ଟା ପ୍ରତି ୧୨୦ କିଲୋମିଟର ବେଗରେ ପବନ ରହିପାରେ ।

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) କହିଛି, ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଭାଗରେ ଆସନ୍ତା ୧୫ ତାରିଖ ବେଳକୁ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେବ ।  ଆସନ୍ତା ୧୬ ତାରିଖ ବେଳକୁ ଏହା ଆହୁରି ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବ । ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଏହାର ଗତି ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ରହିବ । ପରେ ଏହା ଦିଗ ବଦଳାଇ ଉତ୍ତର-ଉତ୍ତର ପୂର୍ବକୁ ମୁହାଁଇବ । ଏହି ବାତ୍ୟା ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟା ରୂପ ନେଇପାରେ ।

ଏହାର ଗତି ପ୍ରଥମେ ଉତ୍ତର- ପଶ୍ଚିମ ଓ ପରେ ଉତ୍ତର-ଉତ୍ତର ପୂର୍ବ ଦିଗରେ ରହିବ ବୋଲି ଆଇଏମଡି ଆକଳନ କରିଛି । ଯଦି ଏହି ଗତି ଜାରି ରହେ, ତେବେ ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳ ପାଖକୁ ଆସିପାରେ । ୧୮ ତାରିଖବେଳକୁ ଏହା ଓଡ଼ିଶା ଉପକୂଳରେ ଏହାର ପ୍ରଭାବ ଅନୁଭୂତ ହୋଇପାରେ ।

ତେବେ ୧୯ ତାରିଖରେ ଏହା ଓଡ଼ିଶା ଉପକୂଳ ଛୁଇଁପାରେ । ନଚେତ୍‌ ଓଡ଼ିଶା ଉପକୂଳରେ ଘଷି ହୋଇ ବାଲେଶ୍ୱର ପାଖ ପଶ୍ଚିମବଙ୍ଗରେ ପ୍ରବେଶ କରିପାରେ । ସାମାନ୍ୟ ଦିଗ ବଦଳିଲେ ବାତ୍ୟା ପଶ୍ଚିମବଙ୍ଗ ପାଖ ଦେଇ ବାଂଲାଦେଶ ମଧ୍ୟ ଯାଇପାରେ।ତେବେ ଓଡ଼ିଶାରେ ଉପକୂଳବର୍ତ୍ତୀ ଅଞ୍ଚଳରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଅନୁଭୂତ ହେବ।

ଯଦି ବାତ୍ୟା ଓଡ଼ିଶା ଉପକୂଳ ପାଖକୁ ଆସେ କିମ୍ବା ସ୍ଥଳଭାଗକୁ ପ୍ରବେଶ କରେ, ତେବେ ଘଣ୍ଟା ପ୍ରତି ୧୨୦ କିମି ବେଗରେ ପବନ ବହିପାରେ ବୋଲି ଡକ୍ଟର ସାହୁ ଆକଳନ କରିଛନ୍ତି ।

Spread the love