ସ୍ଥଳଭାଗ ଅଭିମୁଖେ ‘ଦାନା’ ଅଗ୍ରସର, ଅଧିକ ତଥ୍ୟ ଜାଣିବାକୁ ଏଠି କ୍ଲିକ୍ କରନ୍ତୁ
ଭୁବନେଶ୍ବର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସାମୁଦ୍ରିକ ବାତ୍ୟା ‘ଦାନା’ ସୃଷ୍ଟି ହୋଇଛି। ‘ଦାନା’ର ପ୍ରଭାବ କେନ୍ଦ୍ରାପଡ଼ାଠାରୁ ବାଲେଶ୍ବର ଉପକୂଳ ପର୍ଯ୍ୟନ୍ତ ରହିବ। ବାତ୍ୟା ସ୍ଥଳଭାଗ ଛୁଇଁଲା ବେଳକୁ ପବନର ଘଣ୍ଟାପ୍ରତି ବେଗ ୧୦୦ରୁ ୧୧୦ କିମି ରହିଥିବ। ଅତିରୁ ଅତିପ୍ରବଳ ବର୍ଷା ହେଉଥିବ। ବେଳେବେଳେ ପବନର ବେଗ ୧୨୦ କିମି ଛୁଇଁପାରେ। ୨୪ ତାରିଖ ମଧ୍ୟରାତ୍ରିରେ ସ୍ଥଳଭାଗ ଛୁଇଁବାକୁ ଥିବା ଏହି ବାତ୍ୟାର ପ୍ରଭାବ ବହୁ କମ୍ ସମୟ ରହିବ। ସ୍ଥଳଭାଗରେ ମାତ୍ର ୩୦ କିମି ପର୍ଯ୍ୟନ୍ତ ବାତ୍ୟା ତାଣ୍ଡବ ରଚିବ ଏବଂ ୨୫ ତାରିଖ ଭୋର ବେଳକୁ ଗଭୀର ଅବପାତରେ ପରିଣତ ହୋଇସାରିଥିବ। ‘ଦାନା’ର ପ୍ରଭାବ ପ୍ରାୟ ୯ଟି ଜିଲ୍ଲା ଉପରେ ପଡ଼ିବ ବୋଲି ଆକଳନ କରାଯାଇଛି। ଏହାକୁ ନଜରରେ ରଖି ୯ଟି ଜିଲ୍ଲାରେ ବାତ୍ୟା ପରିଚାଳନା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଉଥିବା ପଦକ୍ଷେପଗୁଡ଼ିକର ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ୯ଜଣ ମନ୍ତ୍ରୀଙ୍କୁ ଦାୟିତ୍ବ ଦେଇଛନ୍ତି। ଏହାସହ ବାତ୍ୟା ଦ୍ବାରା ଅଧିକ ପ୍ରଭାବିତ ହେବାକୁ ଥିବା ୬ଟି ଜିଲ୍ଲା ପାଇଁ ୬ଜଣ ବରିଷ୍ଠ ଆଇଏଏସ୍ଙ୍କୁ ସ୍ବତନ୍ତ୍ର ଦାୟିତ୍ବ ଦିଆଯାଇଛି। ଜିଲ୍ଲା ପ୍ରଶାସନକୁ ସମସ୍ତ ପ୍ରକାରର ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଆଜି ମନ୍ତ୍ରୀ ଓ ଆଇଏଏସ୍ଙ୍କୁ ଦାୟିତ୍ବ ଦେଇଛନ୍ତି।
ଗଂଜାମ, ପୁରୀ, ଜଗତସିଂହପୁର, କେନ୍ଦୁଝର, ଭଦ୍ରକ, ବାଲେଶ୍ବର, ମୟୂରଭଂଜ, ଢେଙ୍କାନାଳ, ଯାଜପୁର, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ଼, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପବନ ଓ ବର୍ଷା ହେବ। ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଅଛନ୍ତି। ସହଯୋଗ ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଛନ୍ତି। ଅଗ୍ନିଶମ, ଓଡ୍ରାଫ୍, ଏନ୍ଡିଆରଏଫ୍, ତଟରକ୍ଷୀ ବାହିନୀ, ନୌସେନା ଓ ବାୟୁସେନା ପ୍ରସ୍ତତ ରହିଛି।
ଭାରତୀୟ ରେଳବାଇ ପକ୍ଷରୁ ପୂର୍ବତଟ ରେଳପଥ ଦେଇ ଯାତାୟତ କରୁଥିବା ୧୯୭ଟି ଟ୍ରେନ୍କୁ ଆଜିଠାରୁ ୨୫ ତାରିଖ ପର୍ଯ୍ୟନ୍ତ ବାତିଲ କରିଦେଇଛନ୍ତି। ରାଜ୍ୟର ୧୪ଟି ଜିଲ୍ଲାରେ ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟ ପିଲାମାନଙ୍କର ପାଠପଢ଼ା ବନ୍ଦ ରଖାଯାଇଛି। ଶିମିଳିପାଳ ଅଭୟାରଣ୍ୟକୁ ମଧ୍ୟ ଏହି ୩ ଦିନ ବନ୍ଦ ରଖାଯାଇଥିବା ବେଳେ ପୁରୀ ସମୁଦ୍ରକୂଳକୁ ପର୍ଯ୍ୟଟକମାନଙ୍କୁ ଆଜିଠାରୁ ୨୫ ତାରିଖ ପର୍ଯ୍ୟନ୍ତ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ସେହିପରି ସମୁଦ୍ର ଭିତରୁ ମତ୍ସ୍ୟଜୀବୀମାନେ ଫେରି ଆସନ୍ତୁ ବୋଲି ରାଜ୍ୟ ସରକାର ଅପିଲ କରିଛନ୍ତି। ଉପକୂଳବର୍ତ୍ତୀ ଗାଁଗୁଡ଼ିକ ଉପରେ ପ୍ରଶାସନ ଅଧିକ ଫୋକସ ରଖିଛନ୍ତି।