ବାତ୍ୟା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଜୀବନ ରକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଯୋଗେ ଦିଲ୍ଲୀରୁ ବାତ୍ୟା ‘ଗୁଲାବ’ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜୀବନ ରକ୍ଷା ଉପରେ ସର୍ବାଧିକ ଗୁରୁତ୍ବ ଆରୋପ କରିଛନ୍ତି । ଏହା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକାତା ଠାରୁ ଅଧିକ ଆଗକୁ ଯାଇ କାମ କରିବା ପାଇଁ ପରାମର୍ଶ ଦେଇଥିଲେ । ଆଜି ଅପରାହ୍ଣ ସୁଦ୍ଧା ‘ଗୁଲାବ’ ପ୍ରଭାବିତ ଜିଲ୍ଲା ମାନଙ୍କର ତଳିଆ ତଥା ବନ୍ୟାପ୍ରବଣ ସ୍ଥାନ ମାନଙ୍କରୁ ଏବଂ କଚ୍ଚା ଘର ମାନଙ୍କରୁ ଲୋକମାନଙ୍କୁ ସ୍ଥାନାନ୍ତର କରିଯିବ ସହିତ ଭୂସ୍ଖଳନ ଆଶଙ୍କା ଥିବା ଅଞ୍ଚଳ ମାନଙ୍କରେ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ବାତ୍ୟା ‘ୟାସ୍‌’ ପରବର୍ତ୍ତୀ ସମୟରେ ଯେପରି ପ୍ରଭାବିତ ଅଞ୍ଚଳ ମାନଙ୍କରେ କୋଭିଡ ସଂଖ୍ୟା ବୃଦ୍ଧି ଘଟିଥିଲା, ତାକୁ ଦୃଷ୍ଟିରେ ରଖି ବାତ୍ୟା ଆଶ୍ରୟସ୍ଥଳ ମାନଙ୍କରେ କୋଭିଡ୍ ନିୟମାବଳୀକୁ କଡ଼ାକଡ଼ି ଭାବରେ ପାଳନ କରାଯିବା ତଥା ମାସ୍କ ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହାସହିତ ଆସ୍କା, ଗୁଡାରୀ, ଗୁଣୁପୁର, କଡିନଗର ଏବଂ ପୁରୁଷୋତ୍ତମପୁର ତଥା ଅନ୍ୟ ବନ୍ୟା ପ୍ରବଣ ଗାଁ ମାନଙ୍କରେ ଥିବା ବନ୍ଧବାଡ଼ ଉପରେ ସତର୍କ ଦୃଷ୍ଟି ରଖିବା ପାଇଁ ପରାମର୍ଶ ଦେଇଛନ୍ତି ।

ବାତ୍ୟା ଆଶ୍ରୟସ୍ଥଳ ଗୁଡ଼ିକରେ ଭଲ ପିଇବା ପାଣି ସମେତ ସବୁ ପ୍ରକାର ମୌଳିକ ବ୍ୟବସ୍ଥା ଗ୍ରହଣ କରାଯିବା ସଙ୍ଗେ ସଙ୍ଗେ ଗର୍ଭବତୀ ମହିଳା, ବୟସ୍କ ଓ ଶିଶୁ ମାନଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାପାଇଁ ମଧ୍ୟ ପରାମର୍ଶ ଦେଇଥିଲେ । ବାତ୍ୟା ପରେ ପରେ ରାସ୍ତା ସଫା କରିବା, ବିଦ୍ୟୁତ୍ ଓ ଜଳ ଯୋଗାଣ ବ୍ୟବସ୍ଥାର ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ କରିବା ପାଇଁ ଆଗୁଆ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମାଇକ ଯୋଗେ ଲୋକଙ୍କୁ ସଚେତନ କରିବା ସହ ସ୍ଥାନାନ୍ତର, ଆଶ୍ରୟସ୍ଥଳ ପରିଚାଳନା ତଥା ପୁନରୁଦ୍ଧାର କାର୍ଯ୍ୟରେ ପଞ୍ଚାୟତିରାଜ ଅନୁଷ୍ଠାନ, ମିଶନ ଶକ୍ତି ଗୋଷ୍ଠୀ, NGO ଓ ସ୍ବଚ୍ଛାସେବୀମାନଙ୍କୁ ସାମିଲ କରିବା ପାଇଁ ପରାମର୍ଶ ଦେଇଛନ୍ତି ।

ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତାକାଲି ପ୍ରଭାବିତ ସମସ୍ତ ୧୧ ଗୋଟି ଜିଲ୍ଲାର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।  ପରବର୍ତ୍ତୀ ସମୟରେ ଜିଲ୍ଲାପାଳ ମାନେ ସ୍ଥାନୀୟ ପରିସ୍ଥିତିକୁ ବିଚାରକୁ ନେଇ ସ୍କୁଲ ଖୋଲିବା ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଯଥା ନିରାପଦ ସ୍ଥାନକୁ ସ୍ଥାନାନ୍ତର ଏବଂ କୋଭିଡ୍ ନିୟମ ପାଳନ ଆଦି ବିଷୟରେ ପୂର୍ଣ୍ଣ ସହଯୋଗ କରବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଥିଲେ ।

ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ପରିସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ପ୍ରଭାବିତ ଜିଲ୍ଲା ମାନଙ୍କରେ ୪୨ଟି ଓଡ୍ରାଫ, ୨୪ NDRF, ୧୦୩ ଅଗ୍ନିଶମ ଦଳ ମୁତୟନ କରାଯାଇଛି ବୋଲି ସୂଚନା ଦେଇଥିଲେ । ବାତ୍ୟା ଆଶ୍ରୟସ୍ଥଳ ମାନଙ୍କରେ ମାସ୍କ ଓ ସାନିଟାଇଜର ବ୍ୟବସ୍ଥା ସହିତ ସାମାଜିକ ଦୂରତା ଉପରେ ଗୁରୁତ୍ବ ଦିଆଯାଉଛି ବୋଲି ସୂଚନା ଦେଇଥିଲେ । ଏହି ବାତ୍ୟା ଦ୍ବାରା ଗଞ୍ଜାମ, ଗଜପତି, ରାୟଗଡା ଓ କୋରାପୁଟ ଜିଲ୍ଲା ସର୍ବାଧିକ ପ୍ରଭାବିତ ହେବାର ସମ୍ଭାବନା ଥିବାବେଳେ ଏହି ଜିଲ୍ଲାଗୁଡିକ ସହିତ କନ୍ଧମାଳ, ମାଲକାନଗିରି, ନବରଂଗପୁର ଓ କଳାହାଣ୍ଡିର କିଛି ଅଞ୍ଚଳରେ ପ୍ରବଳକୁ ପ୍ରବଳତର ବର୍ଷା ଏବଂ ଖୋର୍ଦ୍ଧା, ପୁରୀ ଓ ନୟାଗଡ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ବୋଲି ସୂଚନା ଦେଇଥିଲେ । ଏହା ସହିତ କେତେକ ସ୍ଥାନରେ ଭୂସ୍ଖଳନ ହେବାର ସମ୍ଭାବନା ରହିଛି ବୋଲି ସେ ସତର୍କ କରାଇ ଦେଇଥିଲେ । ଆଜି ଅପରାହ୍ଣ ୪ଟି ସୁଦ୍ଧା ସ୍ଥାନାନ୍ତର କାର୍ଯ୍ୟ ଶେଷ କରାଯିବ ବୋଲି ସେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

ଗଞ୍ଜାମ, ଗଜପତି, ରାୟଗଡା ଓ କୋରାପୁଟର ଜିଲ୍ଲାପାଳ ମାନେ ଜିଲ୍ଲାର ପରିସ୍ଥିତି ଏବଂ ବାତ୍ୟାର ମୁକାବିଲା ପାଇଁ ନିଆଯାଇଥିବା ଆଗୁଆ ପଦକ୍ଷେପ ଓ ସେମାନଙ୍କର ଆବଶ୍ୟକତା ସମ୍ପର୍କରେ ବୈଠକରେ ଜଣାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ଦିଲ୍ଲୀ ଗସ୍ତରେ ଥିବା 5T ସଚିବ ଭି.କେ. ପାଣ୍ଡିଆନ ବୈଠକ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ, ଶକ୍ତି ବିଭାଗର ପ୍ରମୁଖ ସଚିବ, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ସଚିବ ଓ ପ୍ରଭାବିତ ୧୧ଟି ଜିଲ୍ଲାର ଜିଲ୍ଲାପାଳ ମାନେ ବୈଠକରେ ଭାଗ ନେଇଥିଲେ ।

Spread the love