୬ରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ, ୮ରେ ନେବ ଅବପାତ ରୂପ

 ଆସନ୍ତା ୬ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ୭ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ୮ ତାରିଖ ବେଳକୁ ଏହା ଅବପାତରେ ପରିଣତ ହୋଇପାରେ ।ଉତ୍ତର ଦିଗକୁ ଯାଇ କେନ୍ଦ୍ରୀୟ ବଙ୍ଗୋପସାଗରକୁ ମୁହାଁଇବ । ଗତି କରିବା ପରେ ଆହୁରି ଶକ୍ତିଶାଳୀ ହେବା ଆଶଙ୍କା ରହିଛି । ଲଘୁଚାପ ସୃଷ୍ଟି ପରେ ଗତିପଥ ସୃଷ୍ଟି ହେବ । ଭାରତୀୟ ପାଣିପାଗ ବିଭାଗ ଏ ନେଇ ସୂଚନା ଦେଇଛି ।

ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହାର ଗତିପଥ ଓ ତୀବ୍ରତା ଜଣା ପଡିବ । ବଙ୍ଗୋପସାଗରେ ସାମୁଦ୍ରିକ ଝଡ଼ ସୃଷ୍ଟି ନେଇ ବିଭିନ୍ନ ପାଣିପାଗ ସଂସ୍ଥା ଆକଳନ କରୁଛନ୍ତି । ଓ୍ଵିଣ୍ଡିର ୟୁରୋପିଆନ୍‌ ECMWF ଓ ଆମେରିକାନ୍‌ GFS ମଡେଲ୍‌ ଦର୍ଶାଉଛି ମେ ୧୧ ତାରିଖ ବେଳକୁ ବାତ୍ୟା ସୃଷ୍ଟି ସମ୍ଭାବନା ରହିଛି । ଏହା ବାଂଲାଦେଶ-ମିଆଁମାର ମୁହାଁ ହୋଇପାରେ ।

ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ଆଗୁଆ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ରାଜ୍ୟ ସରକାର । ସମସ୍ତ ବିଭାଗର ସଚିବମାନଙ୍କ ସହ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକ କରି ଗ୍ରୀଷ୍ମ ଋତୁ ବାତ୍ୟାର ଗତି ନେଇ ଆଲୋଚନା କରିଛନ୍ତି । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଓଡିଆରଏଫ୍, ଏନଡିଆରଏଫ୍ ସହ ଜରୁରୀକାଳୀନ ବିଭାଗକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Spread the love