ଅତି ଭୀଷଣ ବାତ୍ୟାରେ ପରିଣତ ହେଲା ମୋକା, IMD ପକ୍ଷରୁ ବାତ୍ୟାର ଆଖି ଚିତ୍ର ଜାରି କରାଯାଇଛି

ଅତି ଭୀଷଣ ବାତ୍ୟାରେ ପରିଣତ ହେଲା ମୋକା। ଦକ୍ଷିଣ ପୂର୍ବ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ । ସାମ୍ନାକୁ ଆସିଛି ଭେରି ସିଭିୟର ସାଇକ୍ଲୋନର ଆଖି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମୋକାର ଆଖି ଚିତ୍ର ଜାରି କରାଯାଇଛି । ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରି ଏହା ଦିଗ ବଦଳାଇବାର ସମ୍ଭାବନା ରହିଛି। ରିକର୍ଭ କରି ଉତ୍ତର-ଉତ୍ତରପୂର୍ବ ଦିଗରେ ଏହା ଗତି କରିବ । ବାତ୍ୟାର ତୀବ୍ରତା କାଲି ସର୍ବାଧିକ ରହିବ। ୧୪ତାରିଖ ମଧ୍ୟାହ୍ନରେ ମୋକା ଦକ୍ଷିଣ ପୂୂର୍ବ ବାଂଲାଦେଶ ଏବଂ ଉତ୍ତର ମିଆଁମାର ତଟରେ ବାଂଲାଦେଶର କକ୍ସ ବଜାର ଓ ମିଆଁମାରର କ୍ୟାଉକ୍‌ପିୟୁ ମଧ୍ୟରେ ମୋକା ସ୍ଥଳଭାଗ ଛୁଇଁବ। ଅତି ଭୀଷଣ ବାତ୍ୟା ଲ୍ୟାଣ୍ଡଫଲ ବେଳକୁ ପବନର ବେଗ ଘଣ୍ଟାପ୍ରତି ୧୫୦ରୁ ୧୬୦ କିମି ଓ ସ୍ଥଳବିଶେଷରେ ୧୭୫ କିମି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ଓ଼ଡିଶା ଉପରେ ରହିବନି ମୋକାର ପ୍ରଭାବ। କିନ୍ତୁ ପଶ୍ଚିମବଙ୍ଗରେ ଏହାର ପ୍ରଭାବ ସାମାନ୍ୟ ରହିପାରେ। ସମୁଦ୍ର ଅଶାନ୍ତ ରହିବା ସହ ଉଚ୍ଚ ଜୁଆର ଉଠିପାରେ। ଏହାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗର ଦୀଘା ଠାରେ ଏନଡିଆରଏଫର ୮ଟି ଟିମ୍‌କୁ ମୁତୟନ କରାଯାଇଛି। ଶହେ ଉଦ୍ଧାରକାରୀଙ୍କୁ ଜରୁରୀକାଳୀନ ସ୍ଥିତି ପାଇଁ ରଖାଯାଇଛି। ଭାରତୀୟ ତଟରକ୍ଷୀ ବାହିନୀ ମଧ୍ୟ ହାଇ ଆଲର୍ଟରେ ରହିଛି। ମତ୍ସ୍ୟଜୀବୀମାନେ ସମୁଦ୍ରରୁ ଫେରି ଆସିବାକୁ ଡାକବାଜି ଯନ୍ତ୍ର ଯୋଗେ ସଚେତନ କରାଯାଇଛି। ବାଂଲାଦେଶର ୫ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। ମୋକା ପ୍ରଭାବ ଯୋଗୁ ବଙ୍ଗୋପସାଗରରେ ଓଡ଼ିଶା ଉପକୂଳରେ କାଲି ସଂଧ୍ୟା ଯାଏ ମତ୍ସ୍ୟଜୀବୀ, ଜାହାଜ, ବୋଟ ଓ ଟ୍ରଲର ଚଳାଚଳ ପାଇଁ ବାରଣ କରାଯାଇଛି। ସମୁଦ୍ରରେ ଉଚ୍ଚ ଜୁଆର ଆସିବାର ସମ୍ଭାବନା ଥିବାରୁ ଚେତାବନୀ ଜାରି କରାଯାଇଛି।

Spread the love