ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ପାବୁକ’ ଏବେ ଆଣ୍ଡାମାନ ମୁହାଁ : ଓଡିଶା ଉପରେ କଣ ରହିବ ପ୍ରଭାବ, ପଢନ୍ତୁ ରିପୋର୍ଟ

ଦକ୍ଷିଣ ଚୀନ୍‌ ଓ ଥାଇଲ୍ୟାଣ୍ଡ ଉପରେ  ସୃଷ୍ଟି ହୋଇଥିବା ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ପାବୁକ’ ଏବେ ଆଣ୍ଡାମାନ ମୁହାଁ । ପୋର୍ଟ ବ୍ଲେୟାରଠାରୁ 270 କିମି ଦୂରରେ ରହିଛି। ଏଠାରୁ ଘୂର୍ଣ୍ଣିଝଡ଼ ‘ପାବୁକ’ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆଜି ସନ୍ଧ୍ୟା କିମ୍ବା ରାତିରେ ଆଣ୍ଡାମାନ ସାଗର ଉପରେ ପହଞ୍ଚିବ।

ଓଡ଼ିଶା ଉପରେ ଏହାର ପ୍ରଭାବ କ’ଣ ରହିବ, ତା’ହା ସ୍ପଷ୍ଟ ହୋଇନାହିଁ। ତେବେ ଗୁରୁବାର ରାଜ୍ୟ ସରକାର ସତର୍କତା ସ୍ୱରୂପ ରାଜ୍ୟର 7ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଜିଲ୍ଲାଗୁଡ଼ିକ ହେଲା, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଗଂଜାମ ଓ ଖୋର୍ଦ୍ଧା। ଯେହେତୁ ଆଣ୍ଡାମାନ ଦ୍ୱୀପପୁଞ୍ଜରେ ‘ପାବୁକ’ର ପ୍ରଭାବ ପଡ଼ିବ, ତେଣୁ ଓଡ଼ିଶାର ଆକାଶ ପ୍ରାୟତଃ ମେଘୁଆ ରହିବ।

ଏହାପରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆସନ୍ତାକାଲି ରାତି ସୁଦ୍ଧା ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଅତିକ୍ରମ କରିବ। ଏହାର ପ୍ରଭାବରେ ଆଣ୍ଡାମାନ ଓ ବଙ୍ଗୋପସାଗର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏଥିସହ ପବନର ଘଣ୍ଟାପ୍ରତି ବେଗ 75ରୁ 85 କିମି ରହିବ ବୋଲି ଆଶଙ୍କା କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ପାଇଁ ୟଲୋ ଆଲର୍ଟ ଜାରି କରିଛି।

 

Spread the love