ଦଶହରା ବେଳକୁ ଲଘୁଚାପ ସୃଷ୍ଟି ସମ୍ଭାବନା

ଭୁବନେଶ୍ୱର: ଆହୁରି ସପ୍ତାହେ ଯାଏଁ ଅନୁଭୂତ ହେବ ଅସହ୍ୟ ତାତି । ୧୯ କିମ୍ବା ୨୦ ତାରିଖ ବେଳକୁ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ବଙ୍ଗୋପସାଗର ଓ ଆରବସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଗରମର ପ୍ରକୋପ କମିବ । ହେଲେ ଦଶହରା ପୂଜା ବେଳକୁ ବର୍ଷା ଆଶଙ୍କା କମ୍ ରହିଛି । ମିଳିଥିବା ସୂଚନା ମୁତାବକ ଏବେ ରାଜ୍ୟରେ ଅସହ୍ୟ ଗରମ ଅନୁଭୂତ ହେଉଛି । ଅନେକ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଛି । ପାଣିପାଗ ବିଶେଷଜ୍ଞ କହିଛନ୍ତି, ଅକ୍ଟୋବରରେ ଏଭଳି ତାତି ଏକ ବିଚିତ୍ର କଥା। ଅନ୍ୟପଟେ ରାଜ୍ୟକୁ ଉତ୍ତର-ପୂର୍ବ ପବନ ବିଳମ୍ବିତ ହେଉଥିବାରୁ ଥଣ୍ଡା ବଦଳରେ ଗରମ ହେଉଥିବା ‌ସେ କହିଛନ୍ତି । ଅ‌ଳ୍ପବହୁତ ଏହି ଭଳି ତାତି ଜାରି ରହିବ ଓ ଦୁର୍ଗାପୂଜା ଆଡ଼କୁ ପାଗ‌ ପରିବର୍ତ୍ତନ ହୋଇପାରେ ବୋଲି ସେ ଆଶା ପ୍ରକଟ କରିଛନ୍ତି । ଡ. ପଶୁପାଳକ ଆହୁରି ମଧ୍ୟ କହିଛନ୍ତି, ସାଧାରଣତଃ ଅକ୍ଟୋବର ୧୦ରୁ ୧୫ ତାରିଖ ଭିତରେ ଓଡ଼ିଶାରୁ ମୌସୁମୀ ଫେରିଯାଏ । ଏହାପରେ ରାଜ୍ୟକୁ ଉତ୍ତର-ପୂର୍ବ ମୌସୁମୀ ବାୟୁ ପ୍ରବାହିତ ହୋଇଥାଏ । କିନ୍ତୁ ଏବେ ଉତ୍ତର-ପୂର୍ବ ବଦଳରେ ଉତ୍ତର-ପଶ୍ଚିମରୁ ପବନ ଓଡ଼ିଶାକୁ ବହୁଛି। ଅନ୍ୟପଟେ ଅକ୍ଟୋବର ମାସରେ ମଝିରେ ମଝିରେ କିଛି କିଛି ବର୍ଷା ହୋଇଥାଏ ।କିନ୍ତୁ ଚଳିତ ବର୍ଷ ଅକ୍ଟୋବରରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ମଧ୍ୟ ହୋଇନାହିଁ। ଫଳରେ ମାଟି ଶୁଖିଲା ରହିଛି, ମାଟି ତାତି ବାୟୁମଣ୍ଡଳକୁ ତତାଇ ଦେଉଛି । ସେହିଭଳି ଆକାଶ ଏବେ ମେଘମୁକ୍ତ ରହିଛି । ସୂର୍ଯ୍ୟକିରଣ ସିଧାସଳଖ ପୃଥିବୀ ପୃଷ୍ଠରେ ପଡ଼ୁଛି । ଏସବୁ କାରଣରୁ ଏବେ ଓଡ଼ିଶାରେ ପ୍ରଚଣ୍ଡ ଖରା ଓ ଗରମ ଅନୁଭୂତ ହେଉଛି। ପଶ୍ଚିମ ଭାରତରେ ଗୁରୁଚାପ ସୃଷ୍ଟି ହୋଇଛି । ଫଳରେ ସେଠାରୁ ପଶ୍ଚିମା ପବନ ବହୁଛି ଓ ଓଡ଼ିଶା ଗରମ ହେବାରେ ଲାଗିଛି। ଏହାକୁ ‘ଅକ୍ଟୋବର ହିଟ୍‌’ ବୋଲି କୁହାଯାଇଥାଏ ।

Spread the love