ଆଗାମୀ ୨୪ ଘଣ୍ଟାରେ ଘୂର୍ଣ୍ଣିଝଡର ରୂପ ନେବ ଲଘୁଚାପ, ୧୮ ରୁ ୨୦ ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୧୫/୦୫: ଦକ୍ଷିଣ-ପୂର୍ବ ପଶ୍ଚିମବଙ୍ଗ ସାଗରର  ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଆଗାମୀ ୨୪ ଘଣ୍ଟାରେ ଏହା ଘୁର୍ଣ୍ଣିଝଡର ରୂପ ନେଇପାରେ  ବୋଲି ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି), ସୋଆ ଡିମ୍ସ ବିଶ୍ଵ ବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସିଇସି ନିର୍ଦ୍ଦେଶକ ଡଃ ଶରତ ଚନ୍ଦ୍ର ସାହୁ କହିଛନ୍ତି, ଲଘୁଚାପ ଶନିବାର ସକାଳ ସୁଦ୍ଧା ଗଭୀର ଅବତାପରେ ପରିଣତ ହେବାର ସମ୍ଭାବନା ରହିଛି।

ସେ କହିଛନ୍ତି, ଘୂର୍ଣ୍ଣିଝଡ ରବିବାର ସୁଦ୍ଧା ଉତ୍ତର-ଦକ୍ଷିଣ ଦିଗ ଅଭିମୁଖେ ଗତି କରି ଆଗକୁ ବଢିବ।  ୧୯ ସୁଦ୍ଧା ଧିରେ ଧିରେ ଏହା ଭୟଙ୍କର ଘୂର୍ଣ୍ଣିଝଡର ରୂପ ନେଇପାରେ। ୧୭ ରୁ ୧୯ ସୁଦ୍ଧା ଘୂର୍ଣ୍ଣିଝଡ ତାମିଲନାଡୁ-ଆନ୍ଧ୍ର ପ୍ରଦେଶ- ଓଡିଶା ଉପକୂଳ ଦେଇ ଗତି କରିବ ଏବଂ  ୧୯ ରାତିରେ ଓଡିଶା-ପଶ୍ଚିମବଙ୍ଗ ଉପକୂଳ ନିକଟ ଦେଇ ଅତିକ୍ରମ କରିବ। ଏହାରି ପ୍ରଭାବରେ  ୨୦ ସନ୍ଧ୍ୟାରେ  ଓଡିଶାର ପୁରୀ, କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ଵର ଉପକୂଳବର୍ତ୍ତୀ ଜିଲ୍ଲାକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି।

ଏହାରି ପ୍ରଭାବରେ ୧୮ରୁ  ମାଲକାନଗିରି, କୋରାପୁଟ, ଗଜପତି, ରାୟଗଡା, ଗଞ୍ଜାମ ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ସେହିପରି  ୧୯ରେ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା ଏବଂ ଭଦ୍ରକ ଜିଲ୍ଲାଗୁଡିକର କିଛି ଜାଗାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଡ. ସାହୁ କହିଛନ୍ତି  ୨୦ରେ  ଭଦ୍ରକ, ବାଲେଶ୍ଵର ଓ ମୟୂରଭଞ୍ଜ, କେନ୍ଦ୍ରାପଡା, ଯାଜପୁର, ଖୋର୍ଦ୍ଧା, ନୟାଗଡ, କଟକ, ଢେଙ୍କାନାଳ ଓ କେନ୍ଦୁଝରରେ ପ୍ରବଳ ବର୍ଷା ହୋଇପାରେ।

ଏହି ସମୟରେ ଓଡିଶାର ସମୁଦ୍ର ଉପକୂଳବର୍ତ୍ତୀ ଜିଲ୍ଲାରେ  ପବନର ବେଗ ଘଣ୍ଟା ପ୍ରତି ବେଗ ୧୨୯ କିମି ରହିପାରେ।  ୧୭ରୁ  ୨୧ ତାରିଖ  ମଧ୍ୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି।

Spread the love