ଧୋନିଙ୍କ ବିରୋଧରେ ମାନହାନୀ ମକଦ୍ଦମା କଲେ ପୂର୍ବତନ ବ୍ୟବସାୟିକ ସହଯୋଗୀ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଧୋନିଙ୍କ ନାଁରେ ମାନହାନୀ ମକଦ୍ଦମା କରିଛନ୍ତି ତାଙ୍କର ପୂର୍ବତନ ବ୍ୟବସାୟିକ ପାର୍ଟନର ମିହିର ଦିବାକର ଏବଂ ଦିବାକରଙ୍କ ପତ୍ନୀ ସୌମ୍ୟ ଦାସ ।  ଦିଲ୍ଲୀ ସେମାନେ ହାଇକୋର୍ଟରେ ଏହି ମାନହାନି ମାମଲା ଦାୟର କରିଛନ୍ତି। ନିକଟରେ ଧୋନି ତାଙ୍କ ଦୁଇ ପୁରୁଣା ବ୍ୟବସାୟିକ ଅଂଶୀଦାରଙ୍କ ବିରୋଧରେ ଠକେଇ ଅଭିଯୋଗ ଆଣିଥିଲେ। ଏହି ପୁରା ମାମଲା ୧୫ କୋଟି ଟଙ୍କା ସହ ଜଡିତ ।

୨୦୧୭ ର ଚୁକ୍ତି ଉଲ୍ଲଂଘନ ମାମଲାରେ ଧୋନି ଓ ତାଙ୍କ ଲୋକମାନେ ଯେଉଁ ଅପମାନଜନକ ଆରୋପ ଲଗାଇଛନ୍ତି ତାହା ଉପରେ ରୋକ ଲଗାଇବାକୁ ଦିବାକର ଦମ୍ପତ୍ତି କୋର୍ଟଙ୍କ ନିକଟରେ ଆବେଦନ କରିଛନ୍ତି । ଧୋନି ଏବଂ ମିହିର ଦିବାକରଙ୍କ କମ୍ପାନୀ ଅର୍କା ସ୍ପୋର୍ଟସ ମ୍ୟାନେଜମେଣ୍ଟ ମଧ୍ୟରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଭାରତରେ ଓ ବିଶ୍ବର ବିଭିନ୍ନ ସ୍ଥାନରେ କ୍ରିକେଟ ଏକାଡେମୀ ସ୍ଥାପନ ପାଇଁ ଏହି ଚୁକ୍ତି କରାଯାଇଥିଲା । କିନ୍ତୁ ନିକଟରେ ଧୋନି ଦିବାକରଙ୍କ ବିରୋଧରେ ୧୫ କୋଟିର ଠକେଇ ଅଭିଯୋଗ କରିଥିଲେ । କିନ୍ତୁ କୌଣସି ପ୍ରମାଣ ନଥାଇ ଧୋନିଙ୍କ ପକ୍ଷରୁ ଏହି ଅଭିଯୋଗ କରାଯାଇଥିବା ଦିବାକର କହିଛନ୍ତି । ଧୋନିଙ୍କ ଏହି ଅଭିଯୋଗ ସମ୍ପର୍କରେ ଗଣମାଧ୍ୟମରେ ବ୍ୟାପକ ପ୍ରଚାର କରାଯାଇଥିବାରୁ ତାଙ୍କର ମାନହାନୀ ହୋଇଥିବା ଦିବାକର ଅଭିଯୋଗ କରିଛନ୍ତି ।

Spread the love