ଏକାମ୍ର ନିର୍ବାଚନ ମଣ୍ଡଳୀର ବାତ୍ୟା ଆଶ୍ରୟସ୍ଥଳୀ ଓ ଅଞ୍ଚଳ ପରିଦର୍ଶନ କଲେ ବିଧାୟକ

ଭୁବନେଶ୍ୱର, ତା.୨୪/୧୦ : ବାତ୍ୟା ‘ଦାନା’ ପାଇଁ ଆମେ ସତର୍କ ରହିବା ଏବଂ ଅନ୍ୟମାନଙ୍କୁ ସତର୍କ କରାଇବା । ଏହି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଓ ପ୍ରସ୍ତୁତି ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ପ୍ରଶାସନ, ସରକାର, ଅଗ୍ନିଶମ, ଏନଡିଆରଏଫ, ଏସଡିଆରଏଫ ଉଦ୍ଧାରକାରୀ ଦଳ ସହଯୋଗରେ ବାତ୍ୟାର ପୂର୍ବ ଓ ପରବର୍ତୀ ପରିସ୍ଥିତିର ମୁକାବିଲା କରିବା ପାଇଁ ନିର୍ବାଚମଣ୍ଡଳୀ ର ସମସ୍ତ ସ୍ଵେଚ୍ଛାସେବୀ ଓ ପାର୍ଟିର କାର୍ଯ୍ୟକର୍ତାମାନଙ୍କୁ ବିଧାୟକ ଶ୍ରୀ ବାବୁ ସିଂ ଅନୁରୋଧ କରିଛନ୍ତି। ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ବାତ୍ୟା ଆଶ୍ରୟସ୍ଥଳୀ କୁ ବିଧାୟକ ଶ୍ରୀ ସିଂ ପରିଦର୍ଶନକରି ସ୍ଥାନୀୟ ଜନସାଧାରଣ ଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ବିପର୍ଯୟ ପରିଚାଳନା ବ୍ୟବସ୍ଥାର ନିରୀକ୍ଷଣ କରି କହିଛନ୍ତି ଯେ,ସମସ୍ତ ଆଶ୍ରୟସ୍ଥଳୀଗୁଡ଼ିକରେ ସୁଗମତାର ସହ ଖାଦ୍ୟ, ପାନୀୟ ଓ ଅତ୍ୟାବଶକୀୟ ସାମଗ୍ରୀର ବ୍ୟବସ୍ଥା କରାଯାଇଛି।ଲୋକମାନେ ମଧ୍ୟ ସତର୍କତା ଅବଲମ୍ବନ କରି ସହଯୋଗ କରୁଛନ୍ତି।ବାତ୍ୟା ‘ଦାନା’ର ସଫଳ ମୁକାବିଲା ପାଇଁ ସରକାରଙ୍କର ନିରନ୍ତର ପ୍ରୟାସ ଜାରି ରହିଛି । ସରକାର ବାତ୍ୟା ମୁକାବିଲା ପ୍ରସଙ୍ଗରେ ସବୁ ପରିସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି । ସେହିପରି ପାର୍ଟିର ସମସ୍ତ କାର୍ଯ୍ୟକର୍ତାମାନେ ମଧ୍ୟ ପ୍ରସ୍ତୁତ ଅଛନ୍ତି । ବାତ୍ୟା ମୁକାବିଲା, ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ପ୍ରାଧାନ୍ୟ ଦିଆଯାଇ ଏହି ସମୟରେ ପାର୍ଟିର ସମସ୍ତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଛି ।ପାର୍ଟିର ସମସ୍ତ ନିର୍ବାଚିତ ଜନପ୍ରତିନିଧି, ଜିଲ୍ଲା ପଦାଧିକାରୀ ଏବଂ କାର୍ଯ୍ୟକର୍ତାମାନେ ନିଜ ନିଜ ଅଂଚଳରେ ଉପସ୍ଥିତ ରହି ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ସହଯୋଗ କରିବେ।ସାମାଜିକ ସଂଗଠନଗୁଡିକ ସମେତ ଦଳମତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଏହି ବିପର୍ଯ୍ୟୟକୁ ମୁକାବିଲା କରିବା । ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ପ୍ରଶାସନିକ କଳ ଲାଗିବ କିନ୍ତୁ ସାମାଜିକ ସଂଗଠନମାନେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବାକୁ ବିଧାୟକ ଶ୍ରୀ ସିଂ ଆହ୍ୱାନ ଜଣାଇଛନ୍ତି ।ପ୍ରତ୍ୟେକଟି ଜୀବନ ଆମ ପାଇଁ ଅମୁଲ୍ୟ । ତଳି ଅଂଚଳରେ ବାସ କରୁଥିବା ଲୋକମାନଙ୍କୁ ସର୍ବପ୍ରଥମେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରିବାରେ ପ୍ରଶାସନ ଓ ସରକାରକୁ ସହଯୋଗ କରିବା ହେଉଛି ଆମ ସମସ୍ତଙ୍କ ପ୍ରାଥମିକତା । “ଦାନା” ବାତ୍ୟା ସଂପର୍କିତ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଖୋର୍ଦ୍ଧା ଜିଲ୍ଲା ନିମନ୍ତେ 06755-220002 ଓ ଭୁବନେଶ୍ୱର ମହାନଗର ନିଗମ ତରଫରୁ 1929 ଏକ ୨୪ ଘଂଟିଆ ହେଲ୍ପ ଲାଇନ ନମ୍ବର ଜାରୀ କରାଯାଇଛି । ପ୍ରଭାବିତ ଅଂଚଳବାସିନ୍ଦାମାନେ ଏହି ନମ୍ବରରେ ଯୋଗାଯୋଗ କରି ଅଭିଯୋଗ କରିପାରିବେ । ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ବାତ୍ୟା ସଂପର୍କିତ ସମସ୍ୟା ତଥା ଅଭିଯୋଗ ପାଇଁ ସତର୍କ ଆପ୍ ଜାରୀ କରାଯାଇଛି । ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ କରିଛନ୍ତି । ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ କଳାବଜାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପ୍ରସଙ୍ଗରେ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି। ବିଜେପିର ସମସ୍ତ କାର୍ଯ୍ୟକର୍ତା ସକ୍ରିୟ ରହି ଲୋକଙ୍କ ପାଖେ ପହଁଚିବେ । ମିଛ ଓ ଗୁଜବରୁ ଦୁରେଇ ରହିବା ସହିତ ଅଯଥା ଆତଙ୍କିତ ଓ ଭୟଭିତ ନହେବାକୁ ବିଧାୟକ ଶ୍ରୀ ବାବୁ ସିଂ ଲୋକମାନଙ୍କୁ ଅନୁରୋଧ କରିଛନ୍ତି ।

Spread the love