ଦିନସାରା ଚକ୍ମା ଦେଲା ‘ଦାନା’
କଟକ / କେନ୍ଦ୍ରାପଡ଼ା / ଜଗତସିଂହପୁର: କେତେବେଳେ ସମୁଦ୍ରରେ ଉଚ୍ଚ ଜୁଆର ଉଠିଲା ତ କେତେବେଳେ ଥମିଗଲା। କେତେବେଳେ ପବନର ଜୋର୍ ଝଟକା ଆସିଲା ତ କେତେବେଳେ ପ୍ରବଳ ବର୍ଷା ହୋଇ କମିଗଲା। ଆଜି ଦିନସାରା ଏଭଳି ଢଙ୍ଗରେ କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାବାସୀଙ୍କୁ ଚକ୍ମା ଦେଇଛି ବାତ୍ୟା ‘ଦାନା’। ଗୁରୁବାର ରାତି ପ୍ରାୟ ୧୧ଟା ପର୍ଯ୍ୟନ୍ତ ୩ଟି ଜିଲ୍ଲାରେ ‘ଦାନା’ ବିଶେଷ ପ୍ରଭାବ ଦେଖାଇ ପାରି ନଥିବା ବେଳେ ରାତି ୧୧ଟା ପରଠୁ କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ପୁଣି ପବନ, ବର୍ଷାର ପ୍ରଭାବ ବଢ଼ିବାକୁ ଆରମ୍ଭ କରିଛି। ରାତିରେ ସମୁଦ୍ର ଅଶାନ୍ତ ହେବା ସହିତ ଉଚ୍ଚ ଜୁଆର ଉଠି କୂଳରେ ମାଡ଼ ହୋଇଛି। ଗତକାଲି ସନ୍ଧ୍ୟାରୁ ଆଜି ଗୁରୁବାର ରାଜ୍ୟରେ ସର୍ବାଧିକ ବର୍ଷା ପାରାଦୀପରେ ରେକର୍ଡ କରାଯାଇଛି। ଅନ୍ୟପଟେ ବାତ୍ୟା ପ୍ରଭାବରେ ରାଜନଗର, ପାରାଦୀପ, କୁଜଙ୍ଗ ଅଞ୍ଚଳର ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଛି। କେନ୍ଦ୍ରାପଡ଼ାରେ ୨୯ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଏହା ପଛକୁ ରାଜନଗରରେ ୨୬ ମିମି, ପଟ୍ଟାମୁଣ୍ତାଇରେ ୨୪ମିମି ଓ ଆଳିରେ ୨୨ମିମି ବର୍ଷା ରେକର୍ଡ କରାଯାଇଛି। ଜିଲ୍ଲାରେ ୫୮ହଜାର ୯୭୦ ଲୋକଙ୍କୁ ୫୫୦ଟି ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ଅନେକ ସ୍ଥାନରେ ଲୋକେ ଘର ଛାଡ଼ି ଆସିବାକୁ ମଙ୍ଗୁ ନଥିବାରୁ ପ୍ରଶାସନ ପକ୍ଷରୁ ସେମାନଙ୍କୁ ବୁଝାସୁଝା କରାଯାଇ ଆଶ୍ରୟସ୍ଥଳକୁ ଅଣାଯାଉଛି।
ଉଦ୍ଧାରକାରୀ ଦଳ ଲୋକଙ୍କୁ କାନ୍ଧରେ ବୁହାଇ ଆଣୁଥିବା ଦେଖିବାକୁ ମିଳିଛି। ପ୍ରଶାସନର ରିପୋର୍ଟ ମୁତାବକ ମହାକାଳପଡ଼ା ବ୍ଲକ୍ରୁ ସର୍ବାଧିକ ୧୧ ହଜାର ୬୩୪ ଲୋକ ୧୧୦ଟି ଆଶ୍ରୟସ୍ଥଳକୁ ସ୍ଥାନାନ୍ତର ହୋଇଥିବା ବେଳେ ରାଜକନିକାରୁ ୧୧ହଜାର ୩୮୭ ଏବ˚ ରାଜନଗରରୁ ୯ହଜାର ୨୨୮ଲୋକଙ୍କୁ ୧୧୨ଟି ଆଶ୍ରୟସ୍ଥଳରେ ଥଇଥାନ କରାଯାଇଛି। ସେହିଭଳି ପଟ୍ଟାମୁଣ୍ତାଇରୁ ୮ହଜାର ୭୧୬ ଲୋକଙ୍କୁ ୪୪ଟି ଆଶ୍ରୟସ୍ଥଳକୁ ଅଣାଯାଇଥିବା ବେଳେ ଆଳିରେ ୨୯୭୦, ଡେରାବିଶରେ ୪୧୧୪, ଗରଦପୁରରେ ୧୬୮୮, କେନ୍ଦ୍ରାପଡ଼ାରେ ୩୬୨୧, ମାର୍ଶାଘାଇରେ ୨୮୩୫, ପଟ୍ଟାମୁଣ୍ତାଇ ପୌରାଞ୍ଚଳରେ ୨୩୦୨ ଏବ˚ କେନ୍ଦ୍ରାପଡ଼ା ପୌରାଞ୍ଚଳରେ ୪୭୫ଲୋକ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର ହୋଇଛନ୍ତି। ଜିଲ୍ଲାରେ ୫୫୦ଟି ଆଶ୍ରୟସ୍ଥଳ କାର୍ଯ୍ୟକ୍ଷମ କରାଯାଇଛି। ୧୨୨ଟି ସ୍ଥାୟୀ ଆଶ୍ରୟସ୍ଥଳକୁ ଛାଡ଼ି ଦେଲେ ବାକି ସ୍କୁଲ, କଲେଜ ଏବ˚ କଲ୍ୟାଣ ମଣ୍ତପଗୁଡ଼ିକରେ ୪୨୮ଟି ଅସ୍ଥାୟୀ ଆଶ୍ରୟସ୍ଥଳ ଖୋଲାଯାଇଛି।
ଜଗତସିଂହପୁରରେ ଆଜି ସନ୍ଧ୍ୟା ୫ଟା ସୁଦ୍ଧା ପାରାଦୀପ ପୌରାଞ୍ଚଳ, କୁଜଙ୍ଗ, ଏରସମା ଓ ବାଲିକୁଦା ଅଞ୍ଚଳରୁ ୩୧ ହଜାର ୨୯ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ସେହିପରି ୩୪୫ ଗର୍ଭବତୀ ମହିଳାଙ୍କୁ ମଧ୍ୟ ସୁରକ୍ଷିତ ଭାବେ ମେଡିକାଲରେ ଭର୍ତ୍ତି କରାଯାଇଛି। ପାରାଦୀପ ସମୁଦ୍ରକୂଳରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍) ଆଇନର ଧାରା-୧୬୩ ଲାଗୁ କରାଯାଇଛି। ପାରାଦୀପ ବନ୍ଦରରୁ ସମସ୍ତ ଜାହଜ ଗଭୀର ସମୁଦ୍ର ଆଙ୍କରେଜ୍ ଏରିଆକୁ ଚାଲି ଯାଇଥିବା ବେଳେ ଆଜି ବନ୍ଦର ଅଧ୍ୟକ୍ଷ ପି.ଏଲ୍. ହରନାଦ ସ୍ଥିତି ସମୀକ୍ଷା କରିଛନ୍ତି। ଜିଲ୍ଲାରେ ସବୁପ୍ରକାର ସତର୍କତାମୂଳକ ପଦକ୍ଷେପ ନିଆଯାଇଛି ବୋଲି ଜିଲ୍ଲାପାଳ ଜେ.ସୋନାଲ ସୂଚନା ଦେଇଛନ୍ତି।
କଟକ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ସମ୍ଭାବ୍ୟ ଜଳବନ୍ଦି ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ୩୫୨ଟି ସମ୍ବେଦନଶୀଳ ତଥା ତଳିଆ ଅଞ୍ଚଳ ଚିହ୍ନଟ କରାଯାଇଛି। ଲୋକଙ୍କ ପାଇଁ ୭୦୭ଟି ଆଶ୍ରୟସ୍ଥଳ ପ୍ରସ୍ତୁତ ରଖିଛି ପ୍ରଶାସନ। ଆଜି ରାତି ସୁଦ୍ଧା ଜିଲ୍ଲାରେ ୩୪ ହଜାରରୁ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ବିଭିନ୍ନ ଆଶ୍ରୟସ୍ଥଳରେ ରଖାଯାଇଛି। ଅନ୍ୟପଟେ ଏସ୍ସିବିରେ ସଂପ୍ରସାରଣ କାର୍ଯ୍ୟ କରୁଥିବା ୩୫ଶହ ଶ୍ରମିକଙ୍କୁ ଏସ୍ସିବି ପରିସର ନିର୍ମାଣସ୍ଥଳରେ ରଖାଯାଇଛି। ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ୧୯ଟି ଗାଡ଼ି ନିୟୋଜନ କରାଯାଇଛି। ୭୩ଟି ସ୍ଥାନରେ ମାଗଣା ରନ୍ଧାଖାଦ୍ୟ ଦିଆଯିବା ସହ ୪୭୬ଟି ଜେନେରେଟର ବିଭିନ୍ନ ଆଶ୍ରୟସ୍ଥଳ ଓ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ସ୍ଥାନରେ ରଖାଯାଇଛି। ନିଆଳି, ସାଲେପୁର, ମାହାଙ୍ଗା ଓ କଟକ ପୌର ନିଗମ ଅଞ୍ଚଳରେ ଓଡ୍ରାଫ୍ ଓ ଏନ୍ଡିଆରଏଫ୍ ଟିମ୍ ସଜାଗ ଅଛନ୍ତି। ୩୦୦ ଜଣ ସ୍ବେଚ୍ଛାସେବୀଙ୍କୁ ମଧ୍ୟ ବିଭିନ୍ନ ସ୍ଥାନରେ ସହାୟତା ଯୋଗାଇ ଦେବାକୁ ନିୟୋଜନ କରାଯାଇଛି।
ରାତି ଯାଏ କଟକ ଜିଲ୍ଲାର କେବଳ ନିଆଳି ଅଞ୍ଚଳରେ ଅଧିକ ବର୍ଷା ହୋଇଥିବା ବେଳେ ଅନ୍ୟ ଅଞ୍ଚଳରେ ବିଶେଷ ବର୍ଷା କି ପବନ ନ ହେବା ଲୋକଙ୍କୁ ଚକିତ କରିଥିଲା। ଜିଲ୍ଲାର ବିଭିନ୍ନ ସ୍ଥାନରେ ଲୋକ ଆଶ୍ରୟସ୍ଥଳକୁ ଆସିବାକୁ ରାଜି ହେଉ ନଥିବା ବେଳେ ଏସପି ପ୍ରତୀକ ସିଂହଙ୍କ ନେତୃତ୍ବରେ ବରିଷ୍ଠ ପୁଲିସ ଅଧିକାରୀମାନେ ବିଭିନ୍ନ ସ୍ଥାନକୁ ଯାଇ ଲୋକଙ୍କୁ ବୁଝାସୁଝା କରି ସ୍ଥାନାନ୍ତର କରୁଛନ୍ତି। ବିଭିନ୍ନ ଥାନାରେ ୨ ସେକ୍ସନ୍ ଲେଖାଏ ଫୋର୍ସ, ପ୍ରତି ବ୍ଲକ୍ରେ ଜଣେ ନୋଡାଲ୍ ଅଫିସର ରହି ବ୍ଲକ୍ ପ୍ରଶାସନ ଓ ଓଡ୍ରାଫ୍ ଟିମ୍ ସହିତ ସମନ୍ବୟ ରକ୍ଷା କରି କାର୍ଯ୍ୟ କରୁଛନ୍ତି। କଟକ ପୌର ନିଗମ ଅଞ୍ଚଳରେ ୧୦ ହଜାରରୁ ଅଧିକ ଲୋକଙ୍କୁ ବିଭିନ୍ନ ଆଶ୍ରୟସ୍ଥଳରେ ରଖାଯାଇଛି। ମେୟର ସୁବାସ ସିଂହ, ବିଧାୟକ ସୋଫିଆ ଫିର୍ଦୋସ୍, ବିଧାୟକ ସୌଭିକ ବିଶ୍ବାଳ, ପ୍ରଭାତରଞ୍ଜନ ବିଶ୍ବାଳ ପ୍ରମୁଖ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିବା ବେଳେ ଜିଲ୍ଲାପାଳ ଓ ସିଏମସି କମିସନର ସମ୍ଭାବ୍ୟ ଜଳବନ୍ଦି ସ୍ଥିତିର ମୁକାବିଲା ପାଇଁ ସ୍ଥିତି ଅନୁଧ୍ୟାନ କରିଛନ୍ତି।