ପୋଖରୀପୁଟ ଡିଏଭିରେ ଜାତୀୟ କ୍ରୀଡା ଦିବସ ପାଳିତ

ଭୁବନେଶ୍ୱର ତା ୨୮.୦୮ଡିଏଭି ପୋଖରୀପୁଟରେ ଜାତୀୟ କ୍ରୀଡ଼ାଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବିଶିଷ୍ଟ ଦିବ୍ୟାଙ୍ଗ ଆନ୍ତର୍ଜାତିକ ପାରା ଆ‌ଥ୍‌ଲେଟ୍ ଜୟନ୍ତୀ ବେହେରା ଯୋଗଦାନ କରି ଦୃଢ଼ ଆତ୍ମବଳ ମାଧ୍ୟମରେ ଅସାଧ୍ୟ ସାଧନ ସମ୍ଭବ ବୋଲି ମତପ୍ରକାଶ କରି ବିଦ୍ୟାର୍ଥୀମାନଙ୍କୁ ନିଷ୍ଠାର ସହ କାର୍ଯ୍ୟ କରିବା ନିମନ୍ତେ ଆହ୍ଵାନ ଦେଇଥିଲେ ।

ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରତି ଯଥୋଚିତ ସମ୍ମାନପ୍ରଦର୍ଶନ କରିବା ସହ ଯଥା ସମୟରେ ଏକାଗ୍ରତାପୂର୍ବକ ଉପଯୁକ୍ତ କାର୍ଯ୍ୟ ସାଧନ କଲେ ସଫଳତା ନିଶ୍ଚୟ ମିଳିବ ବୋଲି ସେ ଛାତ୍ରଛାତ୍ରୀଙ୍କୁ ପ୍ରେରଣାଦାୟୀ ବାର୍ତ୍ତାପ୍ରଦାନ କରିଥିଲେ । ଏହି ଅବସରରେ ଜୟନ୍ତୀ ବେହେରାଙ୍କୁ ପ୍ରଶିକ୍ଷଣ ଦେଇଥିବା ଗୁରୁ ବିଷ୍ଣୁ ପ୍ରସାଦ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟରସୁଜାତା ନିଜର ଅଭିଭାଷଣରେ ବିଦ୍ୟାଭ୍ୟାସ ସହ କ୍ରୀଡ଼ାଭ୍ୟାସ ଦ୍ଵାରା ଶାରୀରିକ ଓ ମାନସିକ ସୁସ୍ଥତା ରକ୍ଷା କରାଯାଇ ପାରିବ ବୋଲି କହିଥିଲେ ।

ବରିଷ୍ଠ ନିରୀକ୍ଷକ ଶିତିକଣ୍ଠ ପତି ବିଦ୍ୟାର୍ଥୀମାନଙ୍କୁ ଉ‌ଦ୍‌ବୋଧନ ଦେଇ ସାଧନା ହିଁ ସିଦ୍ଧିର ଜନକ, ଏଣୁ ସାଧନାରେ ଅବହେଳା ନ କରିବା ପାଇଁ ପରାମର୍ଶ ଦେଇଥିଲେ ।ଅନ୍‌ଲାଇନ୍ ମାଧ୍ୟମରେ ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାର୍ଥୀ ତଥା ଅଭିଭାବକ ମନଭରି ଉପଭୋଗ କରିଥିଲେ। ପରିଶେଷରେ ବିଦ୍ୟାଳୟର ମୁଖ୍ୟକ୍ରୀଡ଼ା ଶିକ୍ଷକ ନବକିଶୋର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। କ୍ରୀଡ଼ା ବିଭାଗର ଶିକ୍ଷୟିତ୍ରୀ ପତ୍ରପୁଷ୍ପା ମହାନ୍ତି, ଶିକ୍ଷକ ଦୀପକ ରଞ୍ଜନ ବେହେରା ଏଥିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Spread the love