ଇଂଜିନିୟରିଙ୍ଗ ଛାତ୍ରଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ରାୟଗଡା: ଏକ ଘରୋଇ ଇଂଜିନିୟରିଙ୍ଗ କଲେଜର ଜଣେ ଇଂଜିନିୟରିଙ୍ଗ ଛାତ୍ର ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଜଣା ପଡ଼ିଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଥିବା ବେଳେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି। ମୃତକ ଜଣକ ରାୟଗଡା ଜିଲ୍ଲା କୋଲନରା ବ୍ଲକ ଭୁଜବଳ ସ୍ଥିତ ମିଟ୍ସ ଇଂଜିନିୟରିଙ୍ଗ କଲେଜର କୃଷି ବିଭାଗର  ତୃତୀୟ ବର୍ଷର ଛାତ୍ର ପ୍ରୀତମ ପ୍ରଧାନ (୧୯)। ତାଙ୍କ ଘର ବରଗଡ଼ ଜିଲ୍ଲାରେ ବୋଲି ଜଣାପଡିଛି।

ଚାନ୍ଦିଲି ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ଶବକୁ ଉଦ୍ଧାର କରି ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଚାନ୍ଦିଲି ଥାନା ଅଧିକାରୀ ଯଶବନ୍ତ ହିଆଲଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ ପ୍ରତିଦିନ ପରି ରବିବାର ସକାଳେ ପ୍ରିତମ ଜଳଖିଆ କରି ନିଜ ରୁମକୁ ଯାଇଥିବା ବେଳେ ତାଙ୍କ ସହପାଠୀମାନେ କଲେଜକୁ ଯାଇଥିଲେ। ତେବେ କଲେଜକୁ ପ୍ରିତମ ନ ଆସିବାରୁ ତାଙ୍କ ସହ ପାଠୀ ବନ୍ଧୁ ମାନେ ପୁଣି ହଷ୍ଟେଲକୁ ଆସି ପ୍ରୀତମ ରହୁଥିବା ରୁମ’ର କବାଟ ଖୋଲିବାକୁ କହିଥିବା ବେଳେ ଦୀର୍ଘ ସମୟ ଧରି ପ୍ରିତମ ଭିତର ପଟୁ କବାଟ ନ ଖୋଲିବାରୁ ହଷ୍ଟେଲ ୱାଡେର୍ନଙ୍କୁ ଜଣାଇଥିଲେ। ୱାର୍ଡେନ ମଧ୍ୟ ଆସି କବାଟ ଖୋଲିବାକୁ କହିବା ପରେ ମଧ୍ୟ ପ୍ରିତମ କିଛି ଉତ୍ତର ନ ଦେବାରୁ ସନ୍ଦେହ କରି ଚାନ୍ଦିଲି ଥାନା କୁ ଜଣାଯାଇଥିଲା।
ତୁରନ୍ତ ଘଟଣାସ୍ଥଳରେ ଚାନ୍ଦିଲି ଥାନା ପୋଲିସ ପହଂଚି କବାଟ ଭାଙ୍ଗି ରୁମ ଭିତରକୁ ଯାଇଥିଲେ। ତେବେ ରୁମ ଭିତରେ ପ୍ରୀତମଙ୍କ ଝୁଲନ୍ତା ଶବ ଦେଖିବାକୁ ମିଳିଥିଲା। ରୁମରେ ଥିବା ସିଲିଂ ଫେନରେ ଦଉଡି ଲଗାଇ ପ୍ରୀତମ ଆତ୍ମହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିବା ବେଳେ ତୁରନ୍ତ ପ୍ରୀତମଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ବେଳେ ଏହା ହତ୍ୟା ନା ଆତ୍ମହତ୍ୟା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣା ପଡିବ ବୋଲି ଆଇଆଇସି ଶ୍ରୀ ହିଆଲ ପ୍ରକାଶ କରିଛନ୍ତି। ମୃତ ପ୍ରୀତମଙ୍କ ବାପା ବୀରେନ୍ଦ୍ର ପ୍ରଧାନ ଓ ସମ୍ପର୍କୀୟମାନେ ରାୟଗଡ଼ାରେ ପହଂଚି ଥିବା ବେଳେ ଆଜି ରବିବାର ହୋଇଥିବାରୁ ସୋମବାର ପ୍ରୀତମଙ୍କ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି।
Spread the love