ରେଳଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର: ଜିଆର୍‌ପି ଥାନା ଅନ୍ତର୍ଗତ ଗୋପାଳପୁର ଲେବଲ୍‌ କ୍ରସିଂ ନିକଟସ୍ଥ ରେଳଧାରଣାରୁ ଜଣେ ଯୁବକଙ୍କ ମୃତଦେହ ଜବତ ହୋଇଛି। ମୃତକ ଜଣଙ୍କ ଗୋପାଳପୁର ଥାନା ଅନ୍ତର୍ଗତ ଭଞ୍ଜବିହାର ନିକଟସ୍ଥ ଜଗନ୍ନାଥବିହାରର ଦୀପକ କୁମାର ଗୌଡ଼(୨୬) ବୋଲି ପୁଲିସ କହିଛି। ପୁଲିସ ମୃତ ଯୁବକଙ୍କ ପକେଟରୁ ଏକ ମନିପର୍ସ ଜବତ କରିଛି। ସେଥିରେ ୧୧୦୦ ଟଙ୍କା, ଅନ୍ୟାନ୍ୟ କାଗଜପତ୍ର ଥିବା ପୁଲିସ କହିଛି। ସେହିପରି ଏକ ମୋବାଇଲ ମଧ୍ୟ ଜବତ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ଭାଇ ରାଜେଶ ଗୌଡ଼ ଓ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ। ଦୀପକଙ୍କ ସହିତ ଜଣେ ଝିଅର ପ୍ରେମ ସମ୍ପର୍କ ଥିଲା। ପ୍ରେମ ସମ୍ପର୍କକୁ ଝିଅର ପରିବାରବର୍ଗ ବିରୋଧ କରୁଥିଲେ। ଏଣୁ ସମ୍ପୃକ୍ତ ଝିଅର ପରିବାରବର୍ଗ ଦୀପକଙ୍କୁ ହତ୍ୟା କରି ରେଳଧାରଣାରେ ମୃତଦେହ ଫିଙ୍ଗି ଦେଇଇଥିବା ନେଇ ଭାଇ ରାଜେଶ ଗୌଡ଼ ଅଭିଯୋଗ କରିଛନ୍ତି। ଜିଆର୍‌ପି ଥାନା ପୁଲିସ କେସ୍ ନମ୍ବର ୧୬/୨୩ରେ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।
ଏମ୍‌କେସିଜି ବଡ଼ ଡାକ୍ତରଖାନା ପରିସରରେ ଥିବା ନର୍ସିଂ ହଷ୍ଟେଲ୍‌କୁ ଦୀପକ ଖାଦ୍ୟ ସାମଗ୍ରୀ ଯୋଗାଣ କରୁଥିଲେ। ଗତରାତି ସେ ଘରକୁ ଯାଇ ନଥିଲେ। ପରିବାରବର୍ଗ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର ପତ୍ତା ମିଳି ନଥିଲା। ଆଜି ସକାଳେ ରେଳଧାରଣାରେ ଦୀପକଙ୍କ ମୁଣ୍ଡ ଓ ଗଣ୍ଡି ଅଲଗା ହୋଇଥିବା ଶବ ଜବତ ହୋଇଥିଲା। ଦୀପକ ରେଳଧାରଣାରେ ମୁଣ୍ଡ ଦେଇ ଆତ୍ମହତ୍ୟା କରିଥିବା ନେଇ ପୁଲିସର ପ୍ରାଥମିକ ତଦନ୍ତରେ ଜଣାପଡ଼ିଛି। ହେଲେ ପରିବାରବର୍ଗ ଦୀପକଙ୍କ ଆତ୍ମହତ୍ୟାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଦୀପକଙ୍କୁ କିଛି ଯୁବକ ହଷ୍ଟେଲ୍‌ ମେସ୍‌ରୁ ଡାକି ନେଇଥିବା ପରିବାରବର୍ଗ କହିଛନ୍ତି। ଏଣୁ ତାଙ୍କ ସହିତ କିଛି ଅଘଟନ ଘଟିଥିବା ନେଇ ପରିବାରବର୍ଗ ଅଭିଯୋଗ ଆଣିଛନ୍ତି।

Spread the love