ବନ୍ୟାରେ ୨୭ ମୃତ, ପୁନେରେ ୨ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର

ମହାରାଷ୍ଟ୍ରରେ ଗତ କିଛି ଦିନ ହେବ ପ୍ରବଳ ବର୍ଷା ଜାରି ରହିଛି । ବର୍ଷା ପରେ ବନ୍ୟା ଯୋଗୁଁ ପୁନେ ଉପଖଣ୍ଡରେ ଗୁରୁବାର ଯାଏଁ ୨୭ ଜଣଙ୍କର ମୃତ୍ୟୁ ଘଟିଛି । ସେହିଭଳି ବନ୍ୟା ପୀଡ଼ିତ ୨ ଲକ୍ଷ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଉଦ୍ଧାର କରାଯାଇଥିବା ଲୋକଙ୍କୁ ପ୍ରଶାସନ ପକ୍ଷରୁ ରନ୍ଧାଖାଦ୍ୟ ଦିଆଯାଉଛି । କୋହ୍ଲାପୁର, ସାଙ୍ଗଲି ଓ ସାତରା ଜିଲ୍ଲାରେ ବର୍ଷା ଲୋକଙ୍କ ପାଇଁ ଅଧିକ ଦାଉ ସାଜିଛି । ବନ୍ୟା ଯୋଗୁଁ ପୁନେ ଉପଖଣ୍ଡର ୫ଟି ଜିଲ୍ଲାରେ ୨୭ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । କୋହ୍ଲାପୁର, ସାଙ୍ଗଲି ଓ ସତରା ଜିଲ୍ଲାରେ ୨ ଲକ୍ଷରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ ସ୍ଥାନାନ୍ତର କରାଯାଇଛି ବୋଲି ପୁନେ ଡିଭିଜନ କମିଶନର ଦିପକ ମାହିଶେଖର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । 

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଆକାଶ ମାର୍ଗରୁ ବନ୍ୟା ପ୍ରଭାବିତ ଅଂଚଳ ବୁଲି ଦେଖିଛନ୍ତି । ସେ ସାଙ୍ଗଲି ଓ କୋହ୍ଲାପୁର ଜିଲ୍ଲାରେ ଦେଖାଯାଇଥିବା ବନ୍ୟାର ସ୍ଥିତି ସମୀକ୍ଷା କରିଛନ୍ତି । ଉପରୋକ୍ତ ୨ଟି ଜିଲ୍ଲାରୁ ବର୍ଷା ବିଦାୟ ନେବାର ନାଁ ଧରୁନାହିଁ । ମୁମ୍ବାଇସ୍ଥିତ ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ କୋଙ୍କଣ ଓ କେନ୍ଦ୍ରୀୟ ମହାରାଷ୍ଟ୍ରରେ ଆଗାମୀ ୨ ଦିନ ଯାଏଁ ପ୍ରବଳ ବର୍ଷା ଜାରି ରହିବ । କୋହ୍ଲାପୁରରେ ୨୨ଟି ଉଦ୍ଧାରକାରୀ ଟିମ ମୁତୟନ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୫ଟି ଏନଡିଆରଏଫ ଟିମ, ୧୪ଟି ଭାରତୀୟ ନୌସେନା ଟିମ ଓ ଗୋଟିଏ ଲେଖାଏଁ ତଟରକ୍ଷୀ ବାହିନୀ, ସ୍ଥଳ ସେନା ଓ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଟିମ ସାମିଲ ଅଛନ୍ତି । ସେହିଭଳି ସାଙ୍ଗଲିରେ ୧୧ଟି ଉଦ୍ଧାରକାରୀ ଟିମ ମୁତୟନ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୮ଟି ହେଉଛି ଏନଡିଆର ଟିମ । 

Spread the love