ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର

ବାଲେଶ୍ବର: ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ବର ଜିଲ୍ଲାର ସିମୁଳିଆ ଥାନା ବାଲିଖଣ୍ଡ ବଜାରରେ ରହୁଥିବା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଆନନ୍ଦ ଚନ୍ଦ୍ର ପତ୍ରୀ ଓ ତାଙ୍କ ପତ୍ନୀ ଗତକାଲି ରାତି ପ୍ରାୟ ୧୧ଟା ୪୫ ମିନିଟ୍ ସମୟରେ ଖାଇପିଇ ଶୋଇବାକୁ ଯାଇଥିଲେ।ବିଳମ୍ବିତ ରାତିରେ କିଛି ଡକାୟତ ତାଙ୍କ ଘରୁ ଲୁଟ୍ କରିବା ଉଦ୍ଦେଶ୍ୟ ନେଇ ଘର ଭିତରେ ପଶିଥିଲେ। କିନ୍ତୁ ନିଦ ଭାଙ୍ଗିଯିବାରୁ ଶିକ୍ଷକ ଆନନ୍ଦ ଚନ୍ଦ୍ର ପତ୍ରୀ (୬୨) ଏହାକୁ ବିରୋଧ କରିବାରୁ ତାଙ୍କୁ ଡକାୟତମାନେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।ଏଣେ ସ୍ବାମୀଙ୍କୁ ରକ୍ଷା କରିବାକୁ ଯାଇ ସ୍ତ୍ରୀ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ଡକାୟତମାନେ ସୁନାଗହଣା ଓ ଟଙ୍କା ଲୁଟି ନେବା ପରେ ଆନନ୍ଦ ଚନ୍ଦ୍ର ପତ୍ରୀଙ୍କୁ ନିକଟସ୍ଥ ବିଲରେ ଫିଙ୍ଗି ଦେଇ ଚାଲିଯାଇଥିଲେ। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ଚିହ୍ନ ରହିଥିବା ଜଣାଯାଇଛି।

ଆଜି ସକାଳେ ଆନନ୍ଦ ଚନ୍ଦ୍ର ପତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ଏଣେ ସ୍ତ୍ରୀ ମନୋରମା ପତ୍ରୀ ବି ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।

ଘଟଣା ପଛର ନିର୍ଦ୍ଦିଷ୍ଟ କାରଣ ଏଯାଏ ଜଣାପଡ଼ିନଥିବା କୁହାଯାଇଛି। ଆନନ୍ଦ ବାଲିଖଣ୍ଡ ସଂସ୍କୃତ ଟୋଲର ପ୍ରଧାନ ଶିକ୍ଷକ ଥିଲେ। ୨ ବର୍ଷ ପୂର୍ବରୁ ସେ ଚାକିରିରୁ ଅବସର ନେଇଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Spread the love