ବାରପାହାଡ଼ ଜଙ୍ଗଲରୁ ହାତୀ ଛୁଆର ଗଳିତ ଶବ ଉଦ୍ଧାର

ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାର ସୀମାରେ ଥିବା ବାରପାହାଡ଼ ସଂରକ୍ଷିତ ଜଙ୍ଗଲରୁ ଏକ ହାତୀଛୁଆର ଗଳିତ ଶବ ସୋମବାର ବନ ବିଭାଗ ଉଦ୍ଧାର କରିଛି। ଏହାର ବୟସ ୨ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ରବିବାର ରାଜପାଲି ଗ୍ରାମର କିଛି ଯୁବକ ଜଙ୍ଗଲକୁ ଭୋଜି କରିବାକୁ ଯାଇଥିବା ବେଳେ ସେଠାରେ ପ୍ରବଳ ଗନ୍ଧ ହେଉଥିବାରୁ ତିଲେଇମାଲ ଫରେଷ୍ଟରଙ୍କୁ ଖବର ଦେଇଥିଲେ। ଫରେଷ୍ଟର ଅଜୟ ବାରା ସଦଳବଳ ସେଠାରେ ପହଞ୍ଚି ବାରପାହାଡ଼ ଦେବୀଙ୍କ ଗୁମ୍ଫାର ଉପରପଟେ ପଡ଼ିଥିବା ହାତୀର ଶବକୁ ଉଦ୍ଧାର କରିଥିଲେ। ପରେ ସୋନପୁର ଏସିଏଫ୍‌ ପ୍ରଫୁଲ୍ଲ ଧରୁଆ, ରେଞ୍ଜର, ମେଣ୍ତା ଫାଣ୍ତି ଅଧିକାରୀ ଓ ସିଡିଭିଓ ପହ‌ଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ହାତୀର ଶବ ବ୍ୟବଚ୍ଛେଦ ପରେ ପୋତି ଦିଆଯାଇଛି।

ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ଗୋଟିଏ ହାତୀପଲ ଗତ କିଛି ଦିନ ହେଲା ଡୁଙ୍ଗୁରିପାଲି ଥାନା ଡୁମେରଖୋଲ ଅଞ୍ଚଳରେ ରହୁଥିଲେ। ଡୁମେରଖୋଲ ଗ୍ରାମର କିଛି ଲୋକ ଜଙ୍ଗଲ ଭିତରେ ବେଆଇନ ମଦ ରାନ୍ଧୁଛନ୍ତି। ସେଥିପାଇଁ ଝରଣା ପାଖରେ ମହୁଲ ପୋଚ ରଖିଥିବା ଓ ତାକୁ ହାତୀ ଖାଇଥିବା କୁହାଯାଉଛି। ଫଳରେ ଫୁଡ୍‌ ପଏଜନିଂ ହୋଇ ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଏସିଏଫ୍‌ ଶ୍ରୀ ଧରୁଆ କହିଛନ୍ତି। ୪/୫ ଦିନ ତଳେ ହାତୀଟି ମରିଥିବା ଅନୁମାନ କରାଯାଉଛି। ତେବେ ଏ ବାବଦରେ ବନ ବିଭାଗ ଜାଣି ନ ପାରିବା ଲୋକଙ୍କୁ ବିସ୍ମିତ କରିଛି।

ପ୍ରକାଶ ଯେ, ସୋନପୁର ରେଞ୍ଜ ଅନ୍ତର୍ଗତ ବାରପାହାଡ଼ ଜଙ୍ଗଲରେ ଗତ ୨୫ବର୍ଷ ହେଲା ଏକ ୩୦ ଟିକିଆ ହାତୀପଲ ରହି ଆସୁଛନ୍ତି। ସେମାନେ ତରଭା ଥାନା, ଡୁଙ୍ଗୁରିପାଲି ଥାନା ଓ ବିନିକା ଥାନା ଅଞ୍ଚଳରେ ବ୍ୟାପକ ମାତ୍ରାରେ ଚାଷୀଙ୍କର ଫସଲ ନଷ୍ଟ କରୁଛନ୍ତି। ବିଭିନ୍ନ ସମୟରେ ଗାଁକୁ ପଶି ଧନଜୀବନ ନଷ୍ଟ କରୁଛନ୍ତି। ପୂର୍ବରୁ ମଧ୍ୟ ଡାହିମାଲ ଓ କନ୍ଧପାଲିରେ ଦୁଇଟି ହାତୀର ମୃତ୍ୟୁ ହୋଇସାରିଛି। ଧାନ ଫସଲ ଅମଳ ସମୟରେ ଲୋକଙ୍କ ମଧ୍ୟରେ ହାତୀ ଭୟ ରହୁଛି।

Spread the love