ଦିଲ୍ଲୀ ପ୍ଲାନ’ରେ ଘୋଷଣା, ଆତଙ୍କବାଦୀଙ୍କ ଗଡ ପାଲଟି ପାରିବ ନାହିଁ ଆଫଗାନିସ୍ତାନ

ନୂଆଦିଲ୍ଲୀ ୧୦।୧୧: ଦିଲ୍ଲୀରେ ୮ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଆଫନିସ୍ତାନର ସାଂପ୍ରତିକ ସ୍ଥିତିକୁ ନେଇ ଆଲୋଚନା ହୋଇଛି। ବୈଠକରେ ଏହା ଉପରେ ଜୋର ଦିଆଯାଇଛି ଯେ, ଆଫଗାନିସ୍ତାନ ଯେମିତି  ଆତଙ୍କବାଦ, ଉଗ୍ରବାଦୀର ଭୂସ୍ଵର୍ଗ ନପାଲଟେ। ଏହା ବ୍ୟତୀତ ଆଫଗାନ ସମାଜରେ ସବୁ ବର୍ଗରେ ସମାନ ମାନବିକତା ସହାୟତା ମିଳିବା ଉପରେ ସହମତି ପ୍ରକାଶ ପାଇଛି। ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଇରାନ, ଋଷ, କଜାକସ୍ତାନ, କିର୍ଗିଜିସ୍ତାନ, ଚେକ୍ ଗଣରାଜ୍ୟ, ତାଜିକିସ୍ତାନ, ଉଜବେକିସ୍ତାନ ଏବଂ ତୁର୍କିମେନିସ୍ତାନର ଜାତୀୟ ସୁରକ୍ଷା ପରାମର୍ଶଦାତା କିମ୍ବା ସୁରକ୍ଷା ପରିଷଦର ସଚିବ ଭାଗ ନେଇଛନ୍ତି। ବୈଠକରେ ପାକିସ୍ତାନ ଓ ଚୀନକୁ ମଧ୍ୟ ଆମନ୍ତ୍ରଣ କରାଯାଇଥିଲା। ହେଲେ ଦୁଇ ଦେଶ ଭାଗ ନେଇ ନାହାନ୍ତି।

ବୈଠକରେ ଦିଲ୍ଲୀ ଘୋଷଣା ପତ୍ର ଜାରି କରାଯାଇଛି। ଘୋଷଣାପତ୍ର ଅନୁଯାୟୀ, ଆଫଗାନିସ୍ତାନରେ ବିଶେଷ କର ସେଠାକାର ସୁରକ୍ଷା ସ୍ଥିତି ତଥା ଏହାର ଆଞ୍ଚଳିକ ଏବଂ ବୈଶ୍ଵିକ ପ୍ରଭାବ ଉପରେ ଆଲୋଚନା କରାଯାଇଛି। ସମସ୍ତ ପକ୍ଷ ଆଫଗାନିସ୍ତାନର ସାଂପ୍ରତିକ ରାଜନୈତିକ ସ୍ଥିତି, ଆତଙ୍କବାଦ କାରଣରୁ ଉପୁଜୁଥିବା ବିପଦ, କଠୋରପନ୍ଥୀ ଓ ନିଶା ପଦାର୍ଥର ଚୋରାଚାଲାଣ ଉପରେ ରୋକ୍ ଲଗାଇବା ସହିତ ଆଫଗାନ ଜନତାଙ୍କୁ ମାନବିକତା ସହାୟତାର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି।

ବୈଠକରେ ଜାତୀୟ ସୁରକ୍ଷା ପରାମର୍ଶଦାତାମାନେ ଏକ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଏବଂ ସ୍ଥିର ଆଫଗାନିସ୍ତାନ ପ୍ରତି ନିଜର ଅକୁଣ୍ଠ ସମର୍ଥନ ବ୍ୟକ୍ତ କରିଛନ୍ତି। ଏଥିସହ ଆଫଗାନିସ୍ତାନର ସାର୍ବଭୌମତା, ଏକତା ଏବଂ ରାଜ୍ୟର ଅଖଣ୍ଡତାର ସମ୍ମାନ କରିବା ଏବଂ ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ ନ କରିବା ନେଇ ସହମତି ପ୍ରକାଶ ପାଇଛି। ସବୁଠୁ ବଡ କଥା ଆଫଗାନିସ୍ତାନରେ ଆତଙ୍କବାଦୀ ଗତିବିଧି ଉପରେ ରୋକ୍ ଲଗାଯିବା ସହ ଟେରର ଫଣ୍ଡିଂ ଉପରେ ଅଙ୍କୁଶ ଲଗାଇବା ଉପରେ ବିଶେଷ ଗୁରୁତ୍ଵ ଦିଆଯାଇଛି। ଏହା ବ୍ୟତୀତ ବୈଠକରେ କୁନ୍ଦୁଜ, କାନ୍ଧାର ଏବଂ କାବୁଲରେ ଆତଙ୍କବାଦୀ ଆକ୍ରମଣର ଭର୍ତ୍ସନା କରାଯାଇଛି।

Spread the love