ଦିଲ୍ଲୀ ପରେ ହରିୟାଣାରେ ସ୍କୁଲ ବନ୍ଦ ଘୋଷଣା କଲେ ରାଜ୍ୟ ସରକାର, କର୍ମଚାରୀଙ୍କ ଲାଗି ୱାର୍କ ଫ୍ରମ ହୋମ ନିର୍ଦ୍ଦେଶ

ଚଣ୍ଡିଗଡ ୧୪।୧୧: ଦିଲ୍ଲୀ ଏନସିଆର ବାୟୁ ପ୍ରଦୂଷଣ ଏବେ ସୀମା ଅତିକ୍ରମ କରିଛି। ଏଣୁ ଦିଲ୍ଲୀ ସରକାର ରାଜ୍ୟରେ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କରିଥିବା ବେଳେ ପଡୋଶୀ ହରିୟାଣା ପରିସ୍ଥିତି ଏବେ ଜଟିଳ ହୋଇପଡିଛି। ଏଣୁ ରବିବାର ହରିୟାଣା ସରକାର ୧୭ ନଭେମ୍ବର ପର୍ଯ୍ୟନ୍ତ ରାଜ୍ୟରେ ସ୍କୁଲ ବନ୍ଦ ଘୋଷଣା କରିଛନ୍ତି। ଏହା ଛଡା ନିର୍ମାଣ କାର୍ଯ୍ୟ ଉପରେ ମଧ୍ୟ ସରକାର କଟକଣା ଜାରି କରିଛନ୍ତି। ସରକାରୀ ଓ ଘରୋଇ ଦପ୍ତରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ୱାର୍କଫ୍ରମ ହୋମ ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ତି।
ସରକାର ରବିବାର କରିଥିବା ଘୋଷଣାରେ ସ୍କୁଲ ବନ୍ଦ, ନିର୍ମାଣ କାର୍ଯ୍ୟ ସ୍ଥଗନ ଓ କର୍ମଚାରୀଙ୍କୁ ୱାର୍କଫ୍ରମ ହୋମ କେବଳ ରାଜଧାନୀ ଦିଲ୍ଲୀ ସଲଗ୍ନ ହରିୟାଣାର ୪ଟି ଜିଲ୍ଲା ଗୁରୁଗ୍ରାମ, ଫରିଦାବାଦ, ସୋନିପତ ଓ ଝଜ୍ଜର ଲାଗି। ତେବେ ରାଜ୍ୟର ଅନ୍ୟ ଭାଗରେ ବିଦ୍ୟାଳୟ, ନିର୍ମାଣ ଓ ସରକାରୀ ଘରୋଇ କାର୍ଯ୍ୟାଳୟ ସ୍ୱଭାବିକ ରହିବ। ରାଜଧାନୀ ଦିଲ୍ଲୀରେ ଦୀପାବଳି ପରଠାରୁ ବାୟୁର ମାନ ଲଗାତାର ହ୍ରାସ ହୋଇଚାଲିଛି। ଯାହା ନିଶ୍ୱାସ ଉପଯୋଗୀ ବି ନୁହେଁ ବୋଲି କୁହାଯାଇଛି।
ଏଣୁ ପ୍ରଦୂଷଣ ଯୋଗୁ ଦିଲ୍ଲୀ ସରକାର ରାଜଧାନୀର ସମସ୍ତ ସ୍କୁଲ ବନ୍ଦ ଘୋଷଣା କରିଥିବା ବେଳେ କେତେକାଂଶରେ ସରକାରୀ କର୍ମଚାରୀଙ୍କୁ ୱାର୍କଫ୍ରମ ହୋମ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀକୁ ଲାଗି ରହିଥିବା ହରିୟାଣାର ୪ଟି ଜିଲ୍ଲା ମଧ୍ୟ ବାୟୁ ପ୍ରଦୂଷଣରେ ସମାନ ପ୍ରଭାବିତ ହୋଇଛି। ଏଣୁ ପରିସ୍ଥିତି ନିୟନ୍ତ୍ରଣ ଲାଗି ହରିୟାଣା ସରକାର ମଧ୍ୟ ଦିଲ୍ଲୀକୁ ଅନୁକରଣ କରିଛନ୍ତି। ୧୭ ତାରିଖ ପର୍ଯ୍ୟନ୍ତ ଲୋକେ ଘରେ ରହିଲେ ହୁଏତ ପ୍ରଦୂଷଣ ସ୍ତର ହ୍ରାସ ହୋଇପାରେ ବୋଲି ସରକାର ଆଶା ପୋଷଣ କରୁଛନ୍ତି।

Spread the love