ଛୁଟିରେ ଆସି ଚାକିରି ହରାଇଲେ, ଆତ୍ମହତ୍ୟା ନିଷ୍ପତ୍ତି ନେଲେ ଯବାନ

ଛୁଟିରେ ଆସି ଚାକିରି ହରାଇବା ପରେ ଆତ୍ମହତ୍ୟା ଉଦ୍ୟମ କରିଥିବା କମିଶନରେଟ ପୁଲିସ ଏସଏସ୍‌ବି ବାଟାଲିୟନର ଯବାନ ସୁଭାଶିଷ ସେଠୀଙ୍କ କଟକ ବଡ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ସୁଭାଶିଷ ୨୦୧୦ ମସିହାରେ ଏସଏସବି ବାଟାଲିୟନରେ ଯୋଗ ଦେଇଥିଲେ।

ଏନେଇ ତାଙ୍କ ପତ୍ନୀ ଶୁଭାସିନୀ ସେଠୀ କହିଛନ୍ତି, ଚଳିତବର୍ଷ ଅଗଷ୍ଟ ମାସ ୩ ତାରିଖରେ ସ୍ୱାମୀ କିଡ୍‌ନୀ ଖରାପ ଜନିତ ରୋଗ ଥିବାରୁ ଡାକ୍ତରଙ୍କୁ ଦେଖାଇବା ନିମନ୍ତେ ୨ଦିନ ଛୁଟି ନେଇ ଆସିଥିଲେ। ହେଲେ ଦେହ ଭୀଷଣ ଖରାପ ହେବାରୁ ଚାକିରିରେ ଯୋଗଦେବାକୁ ଯାଇପାରି ନ ଥିଲେ। ଦେହ ଭଲ ଲାଗିବାରୁ ସେ ଚାକିରିରେ ଯୋଗଦେବା ନିମନ୍ତେ ଯାଇଥିଲେ। ହେଲେ ସେଠାରେ ତାଙ୍କୁ ଚାକିରିରେ ରଖାଯାଇ ନ ଥିଲା। କେଉଁ କାରଣ ନିମନ୍ତେ ଏତେଦିନ ବିନା ଅନୁମତିରେ ଘରେ ରହିଲେ ତାହାର କାରଣ ଓ ପ୍ରମାଣପତ୍ର ଦେବାକୁ କୁହାଯାଇଥିଲା। ବିଭିନ୍ନ ରିପୋର୍ଟ ନେଇ ଦାଖଲ ସତ୍ତ୍ୱେ ତାଙ୍କୁ ଚାକିରିରେ ରଖାଯାଉ ନ ଥିଲା। ଯାହାକୁ ନେଇ ପରିବାରରେ ଝଗଡ଼ା ମଧ୍ୟ ହେଉଥିଲା। ଏସବୁକୁ ନେଇ ସେ ମାନସିକ ଭାବେ ଭାଙ୍ଗି ପଡିଥିଲେ। ଗତ ୧୩ ତାରିଖରେ ମଧ୍ୟ ଏକ ପ୍ରମାଣପତ୍ର ଯୋଗାଡ଼ କରି ନେଇ ଯାଇଥିଲେ। ହେଲେ ତାଙ୍କୁ ଚାକିରିରେ ରଖାଗଲାନି। ତେଣୁ ଏହି ଦିନ ସେ ମାନସୀକ ଭାରସାମ୍ୟ ହରାଇ ଢେଙ୍କାନାଳ ଗୋବିନ୍ଦପୁର ବାସଭବନରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରିବାର ଲୋକ ତୁରନ୍ତ ତାଙ୍କୁ ଢେଙ୍କାନାଳ ଓ ପରେ କଟକ ଏସସିବିରେ ଭର୍ତ୍ତି କରିଥିଲେ। ଗତକାଲି ତାଙ୍କର ମୃତ୍ୟୁ ଘଟିଥିଲା।
Spread the love