ଦୁଇ ଶିଶୁପୁତ୍ରଙ୍କୁ ହତ୍ୟା କରି ମା’ର ଆତ୍ମହତ୍ୟା

ଚମ୍ପୁଆ : କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ଦୁରୁକୁଳିଆ ଗ୍ରାମରେ ସୋମବାର ଦୁଇ ଶିଶୁପୁତ୍ରଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଜଣେ ମହିଳା ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତକମାନେ ହେଲେ ଗ୍ରାମର ଭୀମସେନ ନାୟକଙ୍କ ସ୍ତ୍ରୀ କ୍ଷଣପ୍ରଭା ନାୟକ, ବଡ଼ପୁଅ ଜନ୍‌ସନ୍‌ (୪) ଓ ସାନପୁଅ ଚନ୍ଦନ (୨)। କେଉଁ କାରଣରୁ ମହିଳା ଜଣଙ୍କ ଏପରି କଲେ ତାହା ଜଣାପଡ଼ିନି।

ପ୍ରାପ୍ତ ସୂଚନା ଅନୁସାରେ, ଭୀମସେନଙ୍କ ବାପାମା’ ଓ ଭାଇଭାଉଜ ନୂଆ ଘରେ ରହୁଥିଲେ। ଭୀମସେନ, ପତ୍ନୀ କ୍ଷଣପ୍ରଭା, ଦୁଇପୁଅ ଓ ଝିଅ ଅନ୍ୟ ଏକ ଘରେ ରହୁଥିଲେ। ଭୀମସେନ ହଳ କରିବା ପାଇଁ ବିଲକୁ ପାୱାରଟିଲର ନେଇଯାଇଥିବା ବେଳେ ଘରେ କ୍ଷଣପ୍ରଭା ଓ ଦୁଇପୁଅ ଥିଲେ। ଘରେ କେହି ନଥିବା ସମୟରେ କ୍ଷଣପ୍ରଭା ଦୁଇ ଶିଶୁପୁତ୍ରଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ନିଜେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଭୀମସେନଙ୍କ ବଡ଼ଝିଅ ତପସ୍ବିନୀ (୬) ସ୍କୁଲ ଛୁଟି ହେବା ପରେ ଘରକୁ ଫେରିଥିଲେ। କବାଟ ବନ୍ଦ ଥିବାରୁ ସେ ମା’ଙ୍କୁ ଡାକିଥିଲେ। କିନ୍ତୁ ମା’ କବାଟ ଖୋଲିନଥିଲେ। ଏହାପରେ ତପସ୍ବିନୀ ନିକଟରେ ରହୁଥିବା ଜେଜେମା’ଙ୍କୁ ଡାକି ନେଇଥିଲେ। ଉଭୟ ଅନେକ ସମୟରେ ଧରି ଡାକିବା ସହ କବାଟ ବାଡ଼େଇ ଥିଲେ ମଧ୍ୟ କେହି ଶୁଣିନଥିଲେ। ଖବର ପାଇ ପଡ଼ୋଶୀ ପହଞ୍ଚି ଟାଇଲ ଛପର ଖୋଲି ଦେଖିଲା ବେଳକୁ ଘରେ ଦୁଇପୁଅଙ୍କ ମୃତଦେହ ପଡ଼ିଥିବା ବେଳେ କ୍ଷଣପ୍ରଭାଙ୍କ ଶବ ଝୁଲୁଥିବା ଦେଖିବାକୁ ପାଇଥିଲେ।

ଭୀମସେନଙ୍କ ଭାଇ ମୋହନ ନାୟକ ଏ ସମ୍ପର୍କରେ ‌ଚମ୍ପୁଆ ଥାନାକୁ ଜଣାଇଥିଲେ। ଚମ୍ପୁଆ ଏସ୍‌ଡିପିଓ ରାମରାୟ ମୁର୍ମୁ, ଚମ୍ପୁଆ ଥାନା ଅଧିକାରୀ ଗଗନ ବିହାରୀ ନାୟକ ପହଞ୍ଚି ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସନ୍ଧ୍ୟା ହୋଇଯାଇଥିବାରୁ ବ୍ୟବଚ୍ଛେଦ ପାଇଁ ପଠାଯାଇପାରି ନାହିଁ। ଅନ୍ୟପକ୍ଷରେ ଖବର ପାଇ କ୍ଷଣପ୍ରଭାଙ୍କ ବାପଘର ଲୋକେ ପହଞ୍ଚିଥିବା ଜଣାପଡ଼ିଛି। ଏହି ଘଟଣା ପରେ ପୂରା ଗାଁ ସ୍ତବ୍ଧ ହୋଇଯାଇଛି। ଏଭଳି ଚରମ ପଦକ୍ଷେପ ପଛର କାରଣ ସ୍ପଷ୍ଟ ହୋଇପାରି ନାହିଁ। ପୁଲିସ ପକ୍ଷରୁ ପଚରାଉଚରା ଜାରି ରହିଛି।

Spread the love