ପରଲୋକରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ମାଧବସିଂହ ସୋଲଙ୍କି

୧୯୮୫ରେ ସୋଲଙ୍କି ଇସ୍ତଫା ଦେଇଥିଲେ କିନ୍ତୁ, ପରେ ଗୁଜରାଟ ବିଧାନସଭାର ୧୮୨ଟି ଆସନରୁ ୧୪୯ଟି ଆସନରେ ବିଜୟୀ ହୋଇ ପୁନର୍ବାର କ୍ଷମତାକୁ ଫେରିଥିଲେ।

ଏହାଛଡ଼ା, ଶ୍ରୀ ସୋଲଙ୍କି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ସମ୍ପାଦନ କରିଥିଲେ। ୧୯୮୦ରେ ‘କେଏଚ୍‌ଏଏମ୍‌’ (କ୍ଷତ୍ରୀୟ, ହରିଜନ, ଆଦିବାସୀ, ମୁସଲମାନ) ଫର୍ମୁଲା ବା ସୂତ୍ର ପ୍ରୟୋଗ କରି ସୋଲଙ୍କି ଗୁଜରାଟରେ କ୍ଷମତାସୀନ ହୋଇଥିଲେ। ଗୁଜରାଟରେ ୧୯୮୦ ନିର୍ବାଚନ ପୂର୍ବରୁ ସୋଲଙ୍କି କ୍ଷମତା ଭାରସାମ୍ୟ ସ୍ଥାନାନ୍ତର କରିବାକୁ ‘କେଏଚ୍‌ଏମ୍‌’ ମେଣ୍ଟକୁ ସୁଦୃଢ଼ କରିଥିଲେ। ଓକିଲାତି ଥିଲା ତାଙ୍କର ବୃତ୍ତି।

ସୋଲଙ୍କିଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରି ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍‌ କରିଛନ୍ତି, ଉତ୍କଷ୍ଟ ସମାଜ ସେବା ନିମନ୍ତେ ସେ ସ୍ମରଣୀୟ ହୋଇ ରହିବେ। ତାଙ୍କ ବିୟୋଗରେ ମୁଁ ଦୁଃଖୀତ।

ଶ୍ରୀ ମାଧବସିଂହ ସୋଲଙ୍କି ଥିଲେ ଜଣେ ସୁଦକ୍ଷ ନେତା। ଦଶନ୍ଧି ଦଶନ୍ଧି ଧରି ଗୁଜରାଟ ରାଜନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ପୁଅ ଭରତ ସୋଲଙ୍କିଙ୍କ ସହ କଥା ହୋଇ ଶୋକବ୍ୟକ୍ତ କରିଛି। ଓଁ ଶାନ୍ତି।

ଆଉ ଏକ ଟୁଇଟ୍‌ରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ରାଜନୀତି ବ୍ୟତିରେକେ, ଶ୍ରୀ ମାଧବସିଂହ ସୋଲଙ୍କି ଜୀ ପଢ଼ିବାକୁ ସୁଖ ପାଉଥିଲେ ଏବଂ ସଂସ୍କୃତି ପ୍ରତି ତାଙ୍କର ଆବେଗ ଥିଲା। ମୁଁ ତାଙ୍କୁ ଯେତେବେଳେ ଭେଟେ କି, କଥା କହେ, ଆମେ ବହି ବିଷୟରେ ଆଲୋଚନା କରୁ। ସେ ନିକଟରେ ପଢ଼ିଥିବା ନୂଆ ବହି ବିଷୟରେ ମତେ କହନ୍ତି। ତାଙ୍କର ସହ ହୋଇଥିବା ଭାବବିନିମୟକୁ ମୁଁ ସଶ୍ରଦ୍ଧ ସ୍ମରଣ ରଖିବି।

କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ମଧ୍ୟ ଦୁଃଖବ୍ୟକ୍ତ କରି ଟୁଇଟ୍‌ କରିଛନ୍ତି, ଶ୍ରୀ ମାଧବ ସିଂହ ସୋଲଙ୍କିଙ୍କ ବିୟୋଗରେ ଦୁଃଖିତ। କଂଗ୍ରେସ ଆଦର୍ଶ ଏବଂ ସାମାଜିକ ନ୍ୟାୟ ସୁଦୃଢ଼ କରିବାରେ ତାଙ୍କର ଅବଦାନ ନିମନ୍ତେ ସେ ସ୍ମରଣୀୟ ହୋଇ ରହିବେ। ତାଙ୍କ ପରିବାର ଓ ବନ୍ଧୁବର୍ଗଙ୍କ ପ୍ରତି ସମବେଦନା ଜଣାଉଛି।

 

Spread the love