ଆଖି ବୁଜିଲେ ଅଖିଳ ନାୟକ

ଭୁବନେଶ୍ୱର: ଜଣାଶୁଣା ସାହିତ୍ୟିକ ଅଖିଳ ନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା । ଗତ ୧ ତାରିଖରେ ପାକସ୍ଥଳୀରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ରବିବାର ଭୋରରୁ ତାଙ୍କର ପରଲୋକ ହୋଇଛି । ଅଖିଳଙ୍କ ଆକସ୍ମିକ ବିୟୋଗ ଖବର ସମସ୍ତଙ୍କୁ ସ୍ତବଧ କରିଦେଇଛି । ସାହିତ୍ୟରେ ସାଧାରଣ ଓ ଶୋଷିତ ମଣିଷର ସ୍ବର ଏଣିକି ଟିକେ କମ୍ ଶୁଣିବାକୁ ମିଳିବ । ନରମିଯିବ ଜନବାଦୀ ସାହିତ୍ୟର ସ୍ବର । କାରଣ ସାହିତ୍ୟରେ ଏହି ଧାରାର ମଙ୍ଗ ଧରିଥିବା ଜଣାଶୁଣା ସାହିତ୍ୟିକଙ୍କ ମଧ୍ୟରେ ଆଗରେ ଥିବା ଅଖିଳ ନାୟକ ସବୁଦିନ ପାଇଁ ନିରବି ଯାଇଛନ୍ତି ।

ମାତ୍ର ୫୩ ବର୍ଷ ବୟସରେ ଆଖି ବୁଜିଛନ୍ତି ଦଳିତ ସାହିତ୍ୟର ଅସ୍ମିତା ଭାବେ ପରିଚିତ ଏହି ଯୁବ ସାହିତ୍ୟିକ । ଲିଭର ଜନିତ ରୋଗରେ ପୀଡ଼ିତ ଥିବା ଅଖିଳଙ୍କର କଟକର ଏକ ଘରୋଇ ହସପଟାଲରେ ମାତ୍ର ୫୩ ବର୍ଷ ବୟସରେ ପରଲୋକ ହୋଇଛି । ଅଖିଳଙ୍କ ଏପରି ଆକସ୍ମିକ ବିୟୋଗ ଖବର ସମସ୍ତଙ୍କୁ ସ୍ତବଧ କରିଦେଇଛି । କବିତା ପୁସ୍ତକ ‘ଗାଧୁଆ ବେଳ’ରୁ ଅଖିଳ ଆରମ୍ଭ କରିଥିଲେ ନିଜ ସୃଜନୀର ଅଭିଯାନ । ପରେ କ୍ଷେତ ପୁରାଣ , ଧିକ୍, ଅଖିଳ ଅକ୍ଷର, ଧୋବ ଫରଫର, ଗୁଲିଖଟି ଆଦି ବହୁତ କବିତା , ଉପନ୍ୟାସ ଓ ଗଳ୍ପ ସଂକଳନ ଲେଖି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛନ୍ତି। ତେବେ ବହୁଚର୍ଚ୍ଚିତ ଉପନ୍ୟାସ ‘ଭେଦ’ ତାଙ୍କୁ ଆହୁରି ଲୋକପ୍ରିୟ କରାଇଥିଲା ।

‘ଭେଦ’ରେ ତାଙ୍କ ପ୍ରଖର ସ୍ବର ଜାତୀୟ ସ୍ତରରେ ଚର୍ଚ୍ଚିତ ହୋଇଥିଲା । ଅକ୍ସଫୋର୍ଡ ୟୁନିଭରସିଟି ଦ୍ବାରା ଏହି ଉପନ୍ୟାସର ଇଂରାଜୀ ଅନୁବାଦ ହେବା ସହ ବେଶ୍ ଚର୍ଚ୍ଚିତ ହୋଇଥିଲା । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହାରା ଗାଁରେ ୧୯୬୮ ମାର୍ଚ୍ଚ ୧୩ରେ ଜନ୍ମ ଗ୍ରହଣ କରିଥିଲେ ଅଖିଳ । ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଭଂଜବିହାରରୁ ସ୍ନାତକୋତ୍ତର କରିବା ପରେ ଓଡ଼ିଆ ଭାଷାର ଅଧ୍ୟାପକ ଭାବେ ଯୋଗଦେଇ ଭାଷା ସାହିତ୍ୟକୁ ଆଗେଇ ନେବାରେ ସଫଳତାର ହସ୍ତାକ୍ଷର ସାଜିଥିଲେ । ସମକାଳୀନ କଥାସାହିତ୍ୟରେ ଏକ ବିକଳ୍ପ ଧାରା ଥିଲେ ଅଖିଳ ।

Spread the love