ସାମାନ୍ୟ ଝଗଡ଼ାରୁ ଭଉଣୀକୁ ହତ୍ୟା କଲା ଭାଇ

ଥାନେ ଜିଲ୍ଲା ଉଲ୍ଲାସ ନଗର ଅଞ୍ଚଳରେ ଏକ ନିର୍ମମ ହତ୍ୟାକାଣ୍ଡ ଘଟିଛି । ଭଉଣୀ ସହ ସାମାନ୍ୟ ଝଗଡ଼ାକୁ ନେଇ ହତ୍ୟା କରିଛି ଭାଇ । ହତ୍ୟା କରିବା ପରେ ସେ ମୃତଦେହକୁ ଘରେ ଲୁଚାଇ ରଖିଥିବା ଜଣାପଡ଼ିଛି । ଘରୁ ଦୁର୍ଗନ୍ଧ ବାହାରିବାରୁ ଅଭିଯୁକ୍ତ ଭାଇ ପୋଲିସ୍‌ ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ମହାରାଷ୍ଟ୍ର ଥାନେ ଜିଲ୍ଲାର ଉଲ୍ଲାସ ନଗରରେ ବାସ କରୁଥିବା ଯୋଗେସ ମାଇତମାଲେ (୪୫) କିଛି ଦିନ ତଳେ ସ୍ତ୍ରୀକୁ ହତ୍ୟା ମାମଲାରେ ବେଲ୍‌ରେ ଫେରିଥିଲେ । ଘରେ ରହୁଥିବା ଭଉଣୀ ଅରୁଣାଙ୍କ ସହିତ ରହୁଥିଲେ । ହେଲେ କୌଣସି କାରଣରୁ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହେଉଥିଲା । ଏହାକୁ ନେଇ ଉତ୍‌କ୍ଷିପ୍ତ ହୋଇ ଯୋଗେସ୍‌ ଏକ ଧାରୁଆ ଅସ୍ତ୍ରରେ ଭଉଣୀ ଆରୁଣାକୁ ହତ୍ୟା କରିଥିଲା । ହତ୍ୟା ପରେ ଘରେ ମୃତଦେହ ପଡ଼ି ରହିବା କାରଣରୁ ଦୁର୍ଗନ୍ଧ ବାହାରିଥିଲା । ଯାହାକୁ ନେଇ ଭୟଭୀତ ହୋଇ ଯୋଗେସ୍‌ ଥାନାରେ ଆତ୍ମସମର୍ପଣ କରିଥିଲା ।

ଥାନାରେ ଆତ୍ମସମର୍ପଣ ପରେ ପୋଲିସ୍‌ ଯୋଗେସ୍‌ର ଘରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ବ୍ୟବଛେଦ ପାଇଁ ପଠାଯାଇଥିବା ବେଳେ କେଉଁ କଥାକୁ ନେଇ ହତ୍ୟାକାଣ୍ଡ ଘଟିଲା ସେନେଇ ପୋଲିସ୍‌ ସ୍ପଷ୍ଟ କରିନଥିବା ଜଣାପଡ଼ିଛି । ତେବେ ଅଭିଯୁକ୍ତ ଯୋଗେସ୍‌ର ମସ୍ତିଷ୍କ ଠିକ୍‌ ନଥିବା ପୋଲିସ୍‌ କହିଛି ।

Spread the love