ଝିଅର ତଣ୍ଟି କାଟିଲେ ମାଆ ଓ ଭାଇ

ମହାରାଷ୍ଟ୍ର ୦୬/୧୨: ମହାରାଷ୍ଟ୍ରର ଔରଙ୍ଗାବାଦରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ୧୯ ବର୍ଷର ଝିଅ ପରିବାରର ଇଚ୍ଛା ବିରୁଦ୍ଧରେ ଯାଇ ବିବାହ କରିଥିଲା। ତାର ୧୭ ବର୍ଷର ଭାଇକୁ ଏହା ଏତେ ଖରାପ ଲାଗିଥିଲା ଯେ ସେ ତାର ମା ସହିତ ମିଶି ବଡ଼ ଭଉଣୀର ଗଳା କାଟି ହତ୍ୟା କରିଥିଲା। କେବଳ ଏତିକି ନୁହେଁ ଉଭୟ ହତ୍ୟା କରିବା ପରେ ଝିଅର ମୁଣ୍ଡ ସହ ସେଲଫି ନେଇଥିଲେ।

ପୋଲିସ କହିଛି, ଝିଅଟି ତାର କଲେଜରେ ଏକାଠି ପଢୁଥିବା ଜଣେ ପୁଅକୁ ଭଲ ପାଉଥିଲା। ଦୁହେଁ ପରସ୍ପରକୁ ବିବାହ କରିବା ପାଇଁ ଘରୁ ଲୁଚି ପଳାଇ ଯାଇଥିଲେ ଏବଂ ଅନେକ ମାସ ଧରି ନିଖୋଜ ହୋଇ ରହିଥିଲେ। କିଛି ଦିନ ପୂର୍ବରୁ ଝିଅର ମା ଏବଂ ଭାଇ ତାଙ୍କ ଘର ବିଷୟରେ ଜାଣିବାକୁ ପାଇଥିଲେ। ଦୁହେଁ ଝିଅକୁ ଭେଟିବାକୁ ଏବଂ ଆଶୀର୍ବାଦ ଦେବାକୁ ତାର ଘରକୁ ଯାଇଥିଲେ। କିନ୍ତୁ ରାତିରେ ଝିଅର ଭାଇ ଏବଂ ମା ମିଶି ତାର ଗଳା କାଟି ହତ୍ୟା କରିଥିଲେ।

ଏତିକିରେ ତାଙ୍କ ମନ ଶାନ୍ତ ହୋଇନଥିଲା। କଟିଯାଇଥିବା ମୁଣ୍ଡ ସହିତ ସେମାନେ ସେଲଫି ମଧ୍ୟ ନେଇଥିଲେ। ହତ୍ୟା ପରେ ମା-ପୁଅ ପୋଲିସ ଷ୍ଟେସନରେ ପହଞ୍ଚି ଅପରାଧ ସ୍ୱୀକାର କରି ଆତ୍ମସମର୍ପଣ କରିଥିଲେ। ପୋଲିସ ଉଭୟ ଅଭିଯୁକ୍ତକୁ ଗିରଫ କରି ଅଧିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।

Spread the love