ରୁଟି ନଦେବାରୁ ଛାତିକୁ ଗୁଳି ମାରିଦେଲେ, ମହିଳା ମୃତ

ନୂଆପଡା, ୦୧|୦୮ :  ଢାବାରେ ଫୁଟିଲା ଗୁଳି । ମହିଳା ମୃତ । ମୃତ ମହିଳା ଜଣଙ୍କ ବାସନ୍ତୀ ମେହେର ବୋଲି ଜଣାପଡିଛି । ପୂର୍ବ ଶତ୍ରୁତାକୁ ନେଇ ଏଭଳି କାଣ୍ଡ ଘଟିଥିବା ଚର୍ଚ୍ଚା ହେଉଥିବା ବେଳେ ପୋଲିସ ଏହାର ତଦନ୍ତ କରୁଛି । ନୂଆପଡା ଜିଲ୍ଲା ଖଡିଆଳ ଥାନା ଡୁଆଝର ଗ୍ରାମରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ସୂଚନାନୁସାରେ, ଡୁଆଝର ଗାଁ ମୁଣ୍ଡରେ ଦେଶୀ ମଦଭାଟି ନିକଟରେ ରହିଛି ଆପନା ଢାବା । ସବୁଦିନ ଭଳି ଶନିବାର ରାତିରେ ମଧ୍ୟ ସ୍ବାମୀ ସ୍ତ୍ରୀ ନିଜ ଖାଇବା ପାଇଁ ରୁଟି ତିଆରି କରୁଥିଲେ। ଦୁଇଜଣ ବାଇକ ଚାଳକ ଖଡିଆଳ ପଟୁ ମଦ ବୋତଲ ଧରିବା ସହ ଢାବାରେ ପହଞ୍ଚି ଖାଇବା ହେବକି ନାହିଁ ବୋଲି ପଚାରିଥିଲେ । ତେବେ ନିଜ ପାଇଁ ରୁଟି ତିଆରି କରୁଥିବା କହି ମନା କରିଦେଇଥିଲେ ମହିଳା । ସାମାନ୍ୟ ଯୁକ୍ତିତର୍କ ହେବା ପରେ ବିଅର ବୋତଲ ଭାଙ୍ଗିଦେବା ସହ ପକେଟରୁ ପିସ୍ତଲ କାଢି ଗୋଟିଏ ରାଉଣ୍ଡ ଫାୟାରିଂ କରିଥିଲେ ।

ଗୁଳିଟି ମହିଳାଙ୍କ ବାମପଟ ଛାତିରେ ବାଜିଥିଲା । ପରେ ଦୁଇଜଣ ଯୁବକ ସେଠାରୁ ସିନାପାଲି ରାସ୍ତାରେ ଫରାର୍ ମାରିଥିଲେ । ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତର ଅବସ୍ଥାରେ ମହିଳାଙ୍କୁ ସ୍ଥାନୀୟ ଖଡିଆଳ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରା ଯଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଖବର ପାଇ ଖଡିଆଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏହାର ତଦନ୍ତ କରୁଥିବା ବେଳେ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରା ଯାଇଥିବା ଖଡିଆଳ ଥାନା ଅଧିକାରୀ କୈଳାଶ ଚନ୍ଦ୍ର ସେଠୀ କହିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଦୁର୍ବୃତ୍ତଙ୍କ ପତ୍ତା ମିଳିନଥିବା ଜଣାପଡିଛି ।  

Spread the love