ୱାୟନାଡ ଭୂସ୍ଖଳନରେ ବଢୁଛି ମୃତ୍ୟୁ ସଂଖ୍ୟା

ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା । କାଦୁଅ ମାଟିରେ ଏବେ ବି ଚାଲିଛି ଜୀବନର ସନ୍ଧାନ । ସେନା ଓ ଏନଡିଆରଏଫ ଉଦ୍ଧାରକାମ ଜାରି ରଖିଛନ୍ତି । ପାହାଡଉପରୁ ଖସିଥିବା ମୃତ୍ୟୁ ଫାଶରେ ପଡି ଏବେ ସୁଦ୍ଧା ୨୭୦ ଲୋକଙ୍କ ଜୀବନ ଚାଲିଯାଇଥିବା ସୂଚନା ମିଳିଛି । ସେହିପରି ୨୨୫ ଜଣ ନିଖୋଜ ଅଛନ୍ତି, ସେମାନଙ୍କ କୌଣସି ଖୋଜ ଖବର କି ପତ୍ତା ମିଳୁନାହିଁ । ପ୍ରଭାବିତଙ୍କୁ ଅସ୍ଥାୟୀ ଶିବିରରେ ରଖାଯାଇଛି । ୱାୟନାଡର ଭୟଙ୍କର ଭୁସ୍ଖଳନରେ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନ ବିଚ୍ଛିନ୍ନ ହେବା ଯୋଗୁଁ ଯୋଗାଯୋଗ ଓ ଯାତାୟତ ବେଶ ବାଧାପ୍ରାପ୍ତ ହୋଇପଡିଛି । ତେଣୁ ଅସ୍ଥାୟୀ ପୋଲ କରି ଉଦ୍ଧାର କାର୍ଯ୍ୟ ଚାଲିଛି । କେରଳ ପୁଲିସ, ଏନଡିଆରଏଫ ଟିମ ଓ ଭାରତୀୟ ବାୟୁସେନା ଉଦ୍ଧାରକାର୍ଯ୍ୟ ଜାରି ରଖିଛି । ଭୁସ୍ଖଳନ ପ୍ରଭାବିତଙ୍କ ପାଇଁ ଶତାଧିକ ଅସ୍ଥାୟୀ ଶିବିର ବନ୍ଦୋବସ୍ତ କରାଯିବା ସହ ୫ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ରାଜ୍ୟ ଓ ରାଜ୍ୟବାହାର ଡାକ୍ତରଖାନାରେ ଚାଲିଛି ଗୁରୁତରଙ୍କ ଚିକିତ୍ସା । ରାଜ୍ୟ ଓ କେନ୍ଦ୍ରସରକାର ଅନୁକମ୍ପା ସାହାଯ୍ୟ ରାଶି ଘୋଷଣା କରିବା ସହ ପଡୋଣୀ ରାଜ୍ୟମାନେ ବି ସାହାଯ୍ୟ ପାଇଁ ଆଗେଇ ଆସିଛି ସୋମବାର ଭୋରରୁ ଆସିଥିବା ଭୟଙ୍କର ଭୁସ୍ଖଳନରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ୫ ଜିଲ୍ଲା । ଚାଲିୟାର ନଦୀରେ ଅନେକ ଲୋକ ଭାସିଯିବା ଯୋଗୁଁ ମୃତ୍ୟୁ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।
ୱାୟନାଡ ଭୁସ୍ଖଳନ ପରେ ନିଖୋଜ ଓଡିଆ ଡାକ୍ତର ସ୍ୱାଧୀନ ପଣ୍ଡାଙ୍କ ପତ୍ତା ମିଳୁନାହିଁ । ଗତ ୨୬ ତାରିଖରେ ବେଙ୍ଗାଳୁରୁରେ ଏକ କନଫରେନ୍ସରେ ଯୋଗଦେବାକୁ ବାହାରିଥିଲେ ଡାକ୍ତର ସ୍ୱାଧିନ ପଣ୍ଡା । ସାଙ୍ଗରେ ଥିଲେ ଚୌଦ୍ୱାର ଚାରବାଟିଆ ଅଞ୍ଚଳର ଡାକ୍ତର ବିଷ୍ଣୁ ପ୍ରସାଦ ଚିନ୍ନାରା ଓ ଡାକ୍ତର ସ୍ୱୀକୃତି ମହାପାତ୍ର। ବେଙ୍ଗାଲୁରୁ କନଫରେନ୍ସ ପରେ କେରଳ ବୁଲିବାକୁ ଯାଇଥିଲେ । ୨୯ ତାରିଖ ରାତିରେ ୱାୟନାଡ଼ର ମେପାଡ଼ି ପାହାଡ଼ ଭୂସ୍ଖଳନ ଯୋଗୁ ମାଟି ମିଶା ବନ୍ୟା ପାଣି ମାଡ଼ି ଆସିଥିଲା । ସମସ୍ତେ ପାଣିର ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ଡାକ୍ତର ବିଷ୍ଣୁ ପ୍ରସାଦଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଡାକ୍ତର ସ୍ୱୀକୃତି ମହାପାତ୍ରଙ୍କୁ ଉଦ୍ଧାର କରାଯାଇଛି । ହେଲେ ଓଡ଼ିଆ ଡାକ୍ତର ସ୍ୱାଧୀନ ପଣ୍ଡାଙ୍କର ପତ୍ତା ମିଳୁନାହିଁ ।

Spread the love