ଦେବାଶିଷ ସାମନ୍ତରାୟ ଙ୍କ ଭିଡ଼ିଓ ପାକିସ୍ତାନ ରେ ଭାଇରାଲ

ପୁଲୱାମାରେ ସହିଦ ଓଡ଼ିଆ ଯବାନଙ୍କ ଅନ୍ତିମ ସଂସ୍କାର ସମୟରେ ତାଙ୍କ ଦାଦାଙ୍କୁ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ ତଣ୍ଟିଆ ମାରିବା ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଏବେ ପାକିସ୍ତାନ ଟିଭିରେ ଚର୍ଚ୍ଚା ଚାଲିଛି । ସହିଦଙ୍କୁ ଜଣେ ରାଜନେତା କିଭଳି ଅସମ୍ମାନିତ କରୁଛନ୍ତି ତାକୁ ପ୍ରାଥମିକତା ଦେଇଛି ପାକିସ୍ତାନର ଏହି ଟିଭି ଚ୍ୟାନେଲ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଭିଡିଓକୁ ନେଇ ନିଜ ଢଙ୍ଗରେ ଉପସ୍ଥାପନା କରିଛି ସଂପୃକ୍ତ ଟିଭି ଚ୍ୟାନେଲ ।

ପୁଲୱାମା ଆତଙ୍କୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ ନେଇ ଭାରତୀୟ ରାଜନେତା ମାନେ କୁମ୍ଭୀର କାନ୍ଦୁଣା କାନ୍ଦୁଥିବା ବେଳେ ବିଜେଡି ବିଧାୟକ କିଭଳି ସହିଦଙ୍କ ଦାଦାଙ୍କୁ ଅସମ୍ମାନ କରୁଛନ୍ତି ତାହା ହିଁ ଦେଖାଇବାକୁ ଚେଷ୍ଟା କରିଛି ପାକିସ୍ତାନୀ ଗଣମାଧ୍ୟମ । ପୁଲଓ୍ୱାମା ଆତଙ୍କୀ ହମଲାରେ ସହିଦ ହୋଇଥିବା କଟକର ମନୋଜ ବେହେରାଙ୍କ ଶେଷକୃତ୍ୟ ସମୟରେ ଦେବାଶିଷ ସାମନ୍ତରାୟ ସହିଦଙ୍କ ଦାଦାଙ୍କୁ ଧକ୍କା ମାରିଥିବା ନେଇ ଭିଡିଓ ଭାଇରାଲ ହୋଇଥିଲା ।

ଫେବୃଆରୀ ୧୬ ର ଏହି ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲିବା ପରେ ବିଭିନ୍ନ ମହଲରୁ ଦେବାଶିଷଙ୍କୁ କଡ଼ା ସମାଲୋଚନା କରାଯାଇଥିଲା । ସେପଟେ ଏହି ଘଟଣା ନେଇ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ । ଏବଂ କହିଥିଲେ ଯେ, ଅଜାଣନ୍ତରେ ସହିଦଙ୍କ ସଂପର୍କୀୟଙ୍କୁ ଆଘାତ ଦେଇଥିବାରୁ କ୍ଷମା ପ୍ରାର୍ଥନା କରିବା ସହ ଦୁଃଖ ପ୍ରକାଶ କରୁଛି । ସହିଦଙ୍କ ଅନ୍ତମ ସଂସ୍କାର ବେଳେ ସେଠାରେ କିଛି ଲୋକ ବିଶୃଙ୍ଖଳା କରୁଥିଲେ ।

ତେଣୁ ସେ ତାଙ୍କୁ ଟାଣି ଆଣି ସେଠାରେ ବସେଇ ଦେଇଥିଲେ । ସେହି ବ୍ୟକ୍ତି ମନୋଜଙ୍କ ସଂପର୍କୀୟ ବୋଲି ଜାଣି ନଥିବା କହିଥିଲେ କଟକ-ବାରବାଟୀ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ ।

ଇତିହାସରେ ପ୍ରଥମ ଥର ଓଡିଶାର ଜଣେ ନେତାଙ୍କୁ ନେଇ ପାକିସ୍ତାନ ଟିଭିରେ ଖବର ପ୍ରସାରଣ ହେଇଛି । ସହିଦଙ୍କ ଦାଦାଙ୍କୁ ତଂଟିଆ ମାରି ବିବାଦୀୟ ହୋଇପଡିଥିବା ବିଜେଡି ବିଧାୟକଙ୍କୁ ଚାରିଆଡ଼େ ସମାଲୋଚନା କରିଛନ୍ତି ।

ଆଞ୍ଚଳିକ ଓ ଜାତୀୟ ଚ୍ୟାନେଲରେ ମଧ୍ୟ ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ନେଇ ଖବର ପ୍ରସାରିତ ହେବା ସହ ବିରୋଧୀମାନେ ଏହି ଘଟଣାକୁ ନେଇ ଶାସକ ବିଜେଡିକୁ ଘେରିଛନ୍ତି ।

ସହିଦଙ୍କ ପରିବାରକୁ ସମବେଦନା ଜଣାଇବା ତ ଦୂରର କଥା ଭାରତର ଦୁର୍ଗୁଣ ଗାଈବାରେ ବ୍ୟସ୍ତ ପାକିସ୍ତାନୀ ନ୍ୟୁଜ ଚ୍ୟାନେଲ୍‌ । ପାକିସ୍ତାନର ଏକ ଘରୋଇ ନ୍ୟୁଜ୍‌ ଚ୍ୟାନେଲ ଏବେ ବିଜେଡି ନେତା ଦେବାଶିଷଙ୍କ କାରନାମାକୁ ମୁଖ୍ୟ ମୁଦ୍ଦା କରି ଟିଆରପି ବଢାଇବାରେ ବ୍ୟସ୍ତ ।

Spread the love