ମା’ ଶାରଳାଙ୍କ ସମେତ ବିଭିନ୍ନ ଦେବୀ ପୀଠରେ ପାର୍ବଣ ପୂଜା ଆରମ୍ଭ

ଜଗତସିଂହପୁର ୨୯।୦୯: ଆଜି ପବିତ୍ର ମୂଳାଷ୍ଟମୀ । ଆଜି ଠାରୁ ଜଗତସିଂହପୁର ଜିଲା ଝଙ୍କଡ଼ ସ୍ଥିତ ମା ଶାରଳାଙ୍କ ପୀଠରେ ଆରମ୍ଭ ହୋଇଛି ପାର୍ବଣ ପୂଜା । କେବଳ ଶାରଳା ନୁହନ୍ତି ସବୁ ଦେବୀ ପୀଠାରେ ଆରମ୍ଭ ହୋଇଛି ପାର୍ବଣ ପୂଜା । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ୧୪ ଦିନ ବ୍ୟାପୀ ପାର୍ବଣ ପୂଜା ମାଙ୍କ ପୀଠରେ ଅନୁଷ୍ଠିତ ହେବ ।

ଆଜିଠାରୁ ମା ଜଗତ ଜନନୀଙ୍କୁ ବିଭିନ୍ନ ବେଶରେ ସୁସଜିତ କରାଯିବା ସହିତ ଷୋଡଶ ଉପଚାର ପୂଜା, ଚଣ୍ଡୀ ପାଠ ଆଦି କରାଯିବା ସହିତ ମା ଙ୍କୁ ସୁସଜିତ ବିମାନରେ ବେଢ଼ା ପରିକ୍ରମା କରାଯିବ । କୋଭିଡ ନିୟମକୁ ପାଳନ କରି ଶ୍ରଦ୍ଧାଳୁ ମାନେ ମାଆଙ୍କୁ ଦର୍ଶନ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।

ସେହିପରି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଶାରଦୀୟ ପୂଜା ଉତ୍ସବ ଆରମ୍ଭ ହୋଇଛି। ବ୍ରହ୍ମା କୁଣ୍ଡରେ ଘଟ ପୂଜା ପରେ ଯଥାରୀତିରେ ଆରମ୍ଭ ହୋଇଛି ପୂଜାର୍ଚ୍ଚନା। ମା ବିରଜାଙ୍କ ପୀଠରେ ଷୋହଳ କଳସ ସ୍ଥାପନ ପାଇଁ ଷୋଡ଼ଶ ଉପଚାର ଆରମ୍ଭ ହୋଇଛି । ବିରାଟ ପଟୁଆରାରେ ମାଙ୍କ ଘଟକୁ ମନ୍ଦିରରୁ ବ୍ରହ୍ମା କୁଣ୍ଡ ନିଆଯାଇଥିଲା। ସେଠାରେ ଘଟ ନିମଗ୍ନ ପରେ ଷୋହଳ କଳସରୁ ପ୍ରଥମ କଳସ ସ୍ଥାପନ ହୋଇଛି। ମା ବିରଜା ମହିଷାସୁରକୁ ବଧ କରିବାକୁ ବ୍ରହ୍ମା କୁଣ୍ଡରୁ ଜାତ ହୋଇଥିବା ବିଶ୍ବାସ ଥିବାରୁ,ଏହି ପରମ୍ପରାରେ ପ୍ରତ୍ୟେକ ବର୍ଷ ପୂଜାବିଧି ହୋଇ ଆସୁଛି।

Spread the love