୪ରୁ ୬ ଯାଏଁ ଅତିପ୍ରବଳ ବର୍ଷା
ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା । ବାତ୍ୟା ‘ମିଚୋଁଗ୍’ରେ ପରିଣତ ହେଲା ଗଭୀର ଅବପାତ । ଘଣ୍ଟା ପ୍ରତି ୬କିମି ବେଗରେ ଉତ୍ତରପଶ୍ଚିମ ଆଡ଼କୁ ଗତି କରୁଛି । କାଲି ପୂର୍ବାହ୍ନରେ ଦକ୍ଷିଣ ଆନ୍ଧ୍ର ଓ ଉତ୍ତର ତାମିଲନାଡୁ ଉପକୂଳରେ ପହଞ୍ଚିବା ଆଶଙ୍କା । ୫ ପୂର୍ବାହ୍ନରେ ନେଲୋର ଓ ମଛଲିପଟ୍ଟନମ ଉପକୂଳ ଛୁଇଁବ । ଏହା ଅତିକ୍ରମ କରିବା ବେଳେ ପବନର ବେଗ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କିଲୋମିଟର ରହିବ। ବାତ୍ୟା ପ୍ରଭାବରେ ୪ରୁ ୬ ତାରିଖ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ଏବଂ ଅନ୍ୟ କିଛି ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି।
ଯଦିଓ ବାତ୍ୟା ଆନ୍ଧ୍ର ଉପକୂଳ ସଂଲଗ୍ନ ନେଲୋର-ମଚ୍ଛଲିପଟନମ୍ ମଧ୍ୟରେ ସ୍ଥଳଭାଗ ଛୁଇଁବ, ତଥାପି ଓଡ଼ିଶାରେ ବର୍ଷାର ଭୀଷଣ ପ୍ରଭାବ ପଡ଼ିବ। ବିଶେଷକରି ପାଚିଲା ଧାନ କିଆରିକୁ ଜଳାର୍ଣ୍ଣବ କରିଦେବ। ପନିପରିବା ଚାଷକୁ ବିପର୍ଯ୍ୟୟ ମୁହଁକୁ ଟାଣିନେବ। କେବଳ ସେତିକି ନୁହେଁ, କିଛି ସ୍ଥାନକୁ ଜଳମଗ୍ନ କରିବ ଏବଂ କଚ୍ଚା ଘର ପ୍ରତି ବିପଦ ଆଣିପାରେ। କାନ୍ଥ ଭୁଶୁଡ଼ିବାର ମଧ୍ୟ ଭୟ ରହିଛି। ପରିସ୍ଥିତିର ଗମ୍ଭୀରତାକୁ ଅନୁଭବ କରି ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବୀଙ୍କୁ ଯିବା ଲାଗି ବାରଣ କରାଯାଇଛି।