ଡିପ୍‌ଫେକ୍‌ ଭିଡିଓ ମାମଲା: ସୋସିଆଲ ମିଡିଆ ସଂସ୍ଥାକୁ ସରକାରଙ୍କ ଚେତାବନୀ, ପର୍ଯ୍ୟାପ୍ତ ପଦକ୍ଷେପ ନ ନେଲେ ସୁରକ୍ଷା ମିଳିବନି

ନୂଆଦିଲ୍ଲୀ: ଡିପ୍‌ଫେକ୍‌ ଭିଡିଓ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଭାଇରାଲ ହେଉଥିବାରୁ କେନ୍ଦ୍ର ସରକାର ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହାକୁ ନେଇ ଖୁବ୍‌ଶୀଘ୍ର ବିଭିନ୍ନ ସୋସିଆଲ ମିଡିଆ ସଂସ୍ଥା ସହିତ ସରକାର ବୈଠକ କରିବେ। କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ, ସରକାର ଖୁବ୍‌ଶୀଘ୍ର ଡିପ୍‌ଫେକ ପ୍ରସଙ୍ଗରେ ସାମାଜିକ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ସହ ଆଲୋଚନା କରି ଏଥିରେ ଅଙ୍କୁଶ ଲଗାଇବା ଦିଗରେ ଜରୁରୀ ପଦକ୍ଷେପ ଗ୍ରହଣ କରିବେ। ଯଦି କୌଣସି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଏ ସଂକ୍ରାନ୍ତ ପର୍ଯ୍ୟାପ୍ତ ପଦକ୍ଷେପ ଗ୍ରହଣ କରିବେ ନାହିଁ ତା’ହେଲେ ଆଇଟି ଅଧିନିୟମ ଅନୁଯାୟୀ ବିହୀତ ପଦକ୍ଷେପ ଗ୍ରହଣ କରାଯିବ ଏବଂ ସେମାନଙ୍କୁ ଆଉ ସୁରକ୍ଷା ଓ ସଂରକ୍ଷଣ ମିଳିବ ନାହିଁ।

ସୂଚନାଯୋଗ୍ୟ, ଭିଡିଓରେ କୌଣସି ବ୍ୟକ୍ତିଙ୍କ ଶରୀରକୁ ଡିଜିଟାଲ ପ୍ରକ୍ରିୟାରେ ବଦଳାଇବାକୁ ଡିପ୍‌ଫେକ୍‌ କୁହାଯାଏ। ଏଆଇ (କୃତ୍ରିମ ବୁଦ୍ଧିମତା) ଦ୍ବାରା ତିଆରି ହେଉଥିବା ଏହି ଭିଡିଓ ଯେ କୌଣସି ବ୍ୟକ୍ତିଙ୍କୁ ସହଜରେ ଧୋକା ଦେଇପାରେ। ସରକାର ନିକଟରେ ଡିପ୍‌ଫେକ ପ୍ରସଙ୍ଗରେ କମ୍ପାନିମାନଙ୍କୁ ନୋଟିସ୍‌ ଜାରି କରିଥିଲେ ଏବଂ ପ୍ଲାଟ୍‌ଫର୍ମଗୁଡ଼ିକୁ ଜବାବ ମାଗିଥିଲେ। ତେବେ ସୋସିଆଲ ମଡିଆ ସଂସ୍ଥାଗୁଡ଼ିକ ଏ ନେଇ ଏକ ପ୍ରକାର ନିଷ୍କ୍ରିୟ ନୀତି ଅବଲମ୍ବନ କରୁଥିବାରୁ ସରକାର ଏବେ ଅଭିମୁଖ୍ୟ କଠୋର କରିଛନ୍ତି। ସୋସିଆଲ ମିଡିଆ ସଂସ୍ଥା ମେଟା ଏବଂ ଏକ୍ସ ଭାରତର ଆଇଟି ଆଇନ ଅନୁଯାୟୀ ସର୍ତ୍ତ ପୂରଣ କରୁନଥିବାରୁ ସରକାର ଏହାକୁ ଗମ୍ଭୀରତାର ସହ ନେଇଛନ୍ତି। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଡିପ୍‌ଫେକ୍‌ ଭିଡିଓକୁ ନେଇ ଚିନ୍ତା ପ୍ରକଟ କରିବା ସହ ଗଣମାଧ୍ୟମ ଏ ଦିଗରେ ସଚେତନତା ସୃଷ୍ଟି କରିବା ପାଇଁ ଆହ୍ବାନ ଦେଇଥିଲେ।

Spread the love